ରେମୁଣା ଜମି ବ୍ୟବସାୟୀ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସମେତ ୭ ଗିରଫ
ବାଲେଶ୍ୱର, (ସରୋଜ ପଣ୍ଡା ): ରେମୁଣା ଜମି ବ୍ୟବସାୟୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ବାଲେଶ୍ୱର ପୋଲିସ । ଜମି ବ୍ୟବସାୟରେ ବିବାଦ ଓ ପୂର୍ବ ଶତ୍ରୁତାକୁ ନେଇ ରଚା ଯାଇଥିବା ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସହ ଅନ୍ୟ ୭ଜଣଙ୍କୁ ପୁଲିସ ଗିରଫ କରିଛି ବୋଲି ଶିଳ୍ପାଂଚଳ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ଜମିଜମାକୁ ବିବାଦ ତଥା ଦୀର୍ଘ ଦିନର ବ୍ୟକ୍ତିଗତ ତିକ୍ତତା ଯୋଗୁଁ ଜମି ବ୍ୟବସାୟୀ ରମେଶ ବେହେରାଙ୍କୁ ଏହି ଜଘନ୍ୟ ଭାବେ ହତ୍ୟା କରାଯାଇଥିବା ସେ କହିଛନ୍ତି । ଏହି ହତ୍ୟାକାଣ୍ଡ ପାଇଁ ଗଣେଶ୍ୱରପୁର ଅଂଚଳର ଚିତ୍ତରଞ୍ଜନ ପାଣିଗ୍ରାହୀ ଓରଫ ଟୁନା ସୁପାରି ଦେଇଥିଲେ । ଏସପିଙ୍କ ସୂଚନା ଅନୁସାରେ ଶିଳ୍ପାଂଚଳର ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣପୁର ଅଂଚଳରେ ମନୋରଞ୍ଜନ ସେନଙ୍କ ନିଟକରୁ ୨.୨୭ ଏକର ଜମି କିଣିବା ନେଇ ଯୋଜନା କରିଥିଲା । ଏହାକୁ ଜମି ବ୍ୟବସାୟ କରୁଥିବା ଟୁନା ଓ ରମେଶଙ୍କ ମଧ୍ୟରେ ତିକ୍ତତା ବଢିଥିଲା । ରମେଶକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଟୁନା ଯୋଜନା ପ୍ରସ୍ତୁତ କରିଥିଲା । ଏହି ହତ୍ୟାକାଣ୍ଡ ପାଇଁ ଟୁନା ଶିଳ୍ପାଂଚଳର ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ରଞ୍ଜନ ସାହୁ ଓ ଶ୍ରୀକୃଷ୍ଣପୁର କଠୁଆସାହିର ଶମ୍ଭୁନାଥ ବିଶୋଇ ଓରଫ ସୁରଜଙ୍କୁ ୫୦ଲକ୍ଷ ଟଙ୍କାର ସୁପାରି ଡିଲ କରିବା ସହ ୧ଲକ୍ଷ ୫ହଜାର ଟଙ୍କା ଅଗ୍ରୀମ ଦେଇଥିବା ବେଳେ ହତ୍ୟାକାଣ୍ଡ ପରେ ବାକି ଟଙ୍କା ଦେଇଥିବା ଏସପି ପ୍ରକାଶ କରିଥିଲେ । ରମେଶଙ୍କୁ ହତ୍ୟା କରିବା ପାଇଁ ପ୍ରାୟ ଦୁଇ ମାସ ପୂର୍ବରୁ ଯୋଜନା ଚାଲିଥିଲା । ରଞ୍ଜନ ଓ ଶମ୍ଭୁନାଥ ଶ୍ରୀକୃଷ୍ଣପୁର ଅଂଚଳର କମଳ ବେହେରା ଓ ଅନ୍ୟ ଦୁଇଜଣ ଲକ୍ଷ୍ମୀକାନ୍ତ ବେହେରା ଓ ଦୁର୍ଯ୍ୟ ଦାସ ପ୍ରମୁଖଙ୍କୁ ଏଥିରେ ସାମିଲ କରିବା ସହ କିଛି ଦିନ ଧରି ରେକି ଚଳାଇଥିଲେ । ଏମିତିକି ହତ୍ୟାକାଣ୍ଡ ଦିନ ଅର୍ଥାତ ଅଗଷ୍ଟ ୨୮ ତାରିଖ ଦିନ ମଧ୍ୟ ରମେଶଙ୍କ ଅଫିସକୁ ଅଭିଯୁକ୍ତମାନେ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଏସପି କହିଥିଲେ । ଯୋଜନା ମୁତାବକ ସେହି ଦିନ ସନ୍ଧ୍ୟା ୬ଟା ବେଳେ ହତ୍ୟାକାରୀମାନେ କୌଣସି ଆଳ ଦେଖାଇ ରମେଶଙ୍କୁ ଅଚ୍ୟୁତପୁର ସ୍ଥିତ ତାଙ୍କ ସତ୍ୟମ ନଗର ପ୍ରୋଜେକ୍ଟ ସାଇଟ ନିକଟକୁ ଡାକିଥିଲେ । ପୂର୍ବରୁ ଅପେକ୍ଷା କରି ରହିଥିବା ରଞ୍ଜନ ଓ ଶମ୍ଭୁନାଥ ରମେଶଙ୍କୁ ଧାରୁଆ ତେଲେଙ୍ଗା କଟୁରୀ ଓ ଗୁପ୍ତି ଦ୍ୱାରା ଅତି ଜଘନ୍ୟ ଭାବେ ହତ୍ୟା କରିଥିବା ଏସପି ସୂଚନା ଦେଇଥିଲେ । ଅବଶ୍ୟ ମୁଖ୍ୟ ଆସାମୀ ଟୁନା ଘଟଣା ସ୍ଥଳରେ ଉପସ୍ଥିତ ନଥିବା କଥା ଏସପି କହିଥିଲେ । ପରେ ହତ୍ୟାକାଣ୍ଡରେ ସାମିଲ ସମସ୍ତ ଅଭିଯୁକ୍ତ ଶିଳ୍ପାଂଚଳ ଥାନା ଅନ୍ତର୍ଗତ ଓସ୍ତପୁର ଅଂଚଳର ଗୋପୀନାଥ ପାକଳ ଓରଫ ବୁଲି, ବରହମପୁର ଥାନା ଅନ୍ତର୍ଗତ ଭୋଗଡିଆ ଅଂଚଳର ଭଞ୍ଜୟ କୁମାର ବେହେରା ଓରଫ ଭଞ୍ଜୁ ଓ ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ଅନ୍ତର୍ଗତ ଚେଙ୍ଗୁଆ ମଙ୍ଗଳପୁର ଅଂଚଳର ମାନସ କୁମାର ପ୍ରଧାନ ଓରଫ ମନ ପ୍ରମୁଖଙ୍କ ସହାୟତାରେ ଲୁଚି ରହିଥିଲେ । ଘଟଣା ଘଟିବା ପରେ ପୋଲିସ ବ୍ୟାପକ ଧରପଗଡ, ପଚାରାଉଚୁରା କରିବା ସହ ଇଲେକ୍ଟ୍ରୋନିକ୍ସ ସର୍ଭିଲାନ୍ସ ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇପାରିଥିବା ଏସପି କହିଥିଲେ । ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ତେଲେଙ୍ଗା କଟୁରୀ, ଗୋଟିଏ ଗୁପ୍ତି ସହ ଗୋଟିଏ ୨୨୦ ପଲସର, ଗୋଟିଏ ହିରୋ ସ୍ପେ୍ଲଣ୍ଡର ବାଇକ, ଗୋଟିଏ ଅଟୋ ରିକ୍ସା, ଗୋଟିଏ ବୋଲେରୋ, ଗୋଟିଏ ହ୍ୟୁଣ୍ଡାଇ କ୍ରେଟା କାର, ନଗଦ ୪୨ ହଜାର ଟଙ୍କା ଓ ୭ଟି ମୋବାଇଲ ଜବତ କରାଯାଇଥିବା ଏସ ପି ସୂଚନା ଦେଇଥିଲେ । ତଦନ୍ତ ଶେଷ ହୋଇଥିବାରୁ ଆଗାମୀ ଦିନରେ ଏହି ହତ୍ୟାକାଣ୍ଡରେ ଜଡିତ ଅ।।ହୁରି କିଛି ବ୍ୟକ୍ତିଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି ବୋଲି ସେ ଏସପି କହିଥିଲେ । ଗିରଫ ହୋଇଥିବା ଟୁନା, ରଞ୍ଜନ, ସୁରଜ, କମଳ ବେହେରା, ବୁଲି, ମନ ଓ ଭଞ୍ଜୁକୁ କୋର୍ଟ ଚାଲାଣ କରାଯାଇଥିଲା ।


