ସମ୍ଭାବ୍ୟ ସୁନାମୀ ମୁକାବିଲା ନିମନ୍ତେ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା ): ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ଆନୁକୂଲ୍ୟରେ ସମ୍ଭାବ୍ୟ ସୁନାମୀର ମୁକାବିଲା ନିମନ୍ତେ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରାଯାଇଛି । ଗତ ଗୁରୁବାର, ସେପ୍ଟେମ୍ବର ୨ତାରିଖ ଦିନ ବାହାନଗା ବ୍ଲକ ଅଭଣାଠାରେ ଏକ ଗ୍ରାମ୍ୟସ୍ତରୀୟ ସୁନାମୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଅଗଷ୍ଟ ୨୫ ଓ ୨୬ତାରିଖ ଦିନ ଜିଲ୍ଲାସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଭଣାର ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ଶିବିରରେ ଗ୍ରାମବାସୀମାନଙ୍କୁ ସମ୍ଭାବ୍ୟ ସୁନାମୀ ମୁକାବିଲା ଏବଂ ଉଦ୍ଧାର କୌଶଳ ସମ୍ପର୍କରେ ସଚେତନ କରାଯାଇଥିଲା । ସେହିପରି ସ୍ଥାନୀୟ ସଦଭାବନା ସଭାଗୃହ ଏବଂ ବାଲେଶ୍ୱର ସଦର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିକ୍ଷକ ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଭବେଶ କୁମାର ନାୟକ ଅଧ୍ୟକ୍ଷତା କରି ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରାକପ୍ରସ୍ତୁତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ ଏହି ପ୍ରଶିକ୍ଷଣ ଶିବିର ଆୟୋଜନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର ଏଥିରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ୍‌, ସଦର ଏବିଡିଓ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଓସଡାମା ଶ୍ରୀ ଅବନୀକାନ୍ତ ଭୂୟାଁ, ଓସଡାମା ସିଷ୍ଟମ ଏକ୍ସପର୍ଟ ଶ୍ରୀ ଅରବିନ୍ଦ ରାୟ ପ୍ରମୁଖ ଏଥିରେ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରିଥିଲେ । ସିଭିଲ ଡିେ‘ନ୍ସର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବିଶ୍ୱରଞ୍ଜନ କୁଅଁର ଏବଂ ଓଡ୍ରା‘ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ଗୋପାଳ ହେମ୍ବ୍ରମ ସୁନାମୀ ସଚେତନତା, ସୁନାମୀ ସମୟରେ ସତର୍କତା, ସୁରକ୍ଷା ପାଇଁ ପଦକ୍ଷେପ, କୌଶଳ ଆଦି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସିଷ୍ଟମ ଏକ୍ସପର୍ଟ ଶ୍ରୀ ରାୟ ଦୃଶ୍ୟଶ୍ରାବ୍ୟ ‘ଳକ ମାଧ୍ୟମରେ ତଥ୍ୟଭିତିକ ଉପସ୍ଥାପନା ରଖିଥିଲେ । ଉଲ୍ଲେଖଯୋଗ୍ୟ କି ବାଲେଶ୍ୱର ଜିଲ୍ଲାର ୫ଗୋଟି ସୁନାମୀପ୍ରବଣ ବ୍ଲକର ୬୩ଗୋଟି ଗ୍ରାମରେ ଥିବା ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମାଷ୍ଟର ଟ୍ରେନର ହେବା ପାଇଁ ଏହି ଶିବିରରେ ଯୋଗ ଦେଇ ତାଲିମ ନେଇଥିଲେ । ସେମାନେ ନିଜ ନିଜ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସୁନାମୀ ପ୍ରସ୍ତୁତି ଉପରେ ତାଲିମ ଦେବା ସହ ସମସ୍ତଙ୍କୁ ସଚେତନ କରାଇବେ । ଏହି କର୍ମଶାଳାକୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଓସଡାମା ଶ୍ରୀ ଅବନୀକାନ୍ତ ଭୂୟାଁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ