ଅଲ୍ ଓଡ଼ିଶା ବାର୍ ଆସୋସିଏସନ୍ ସଭାପତି ଓ ସମ୍ପାଦକ ବୈଠକ : ଓକିଲଙ୍କ ସ୍ୱର୍ଥ ପାଇଁ ୩୦ଜିଲ୍ଲାର ପ୍ରତିନିଧି ହେଲେ ଏକଜୁଟ୍
ଭୁବନେଶ୍ୱର, (ୱାଇଏନ୍ଏସ୍): ଭୁବନେଶ୍ୱର ବାର୍ ଆସୋସିଏସନ୍ ଆନୁକୂଲ୍ୟରେ ବାର୍ ଆସୋସିଏସନ୍ ହଲ ପରିସରରେ ଅଲ୍ ଓଡ଼ିଶା ବାର୍ ଆସୋସିଏସନ୍ ସଭାପତି ଓ ସମ୍ପାଦକମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ବାର୍ ଆସୋସିଏସନ୍ର ସଭାପତି ବରିଷ୍ଠ ଆଇନଜୀବୀ ନିର୍ମଳ କିଶୋର ରଥ ପୈାରହିତ୍ୟ କରିଥିଲେ । ଏହି ବୈଠକରେ ରାଜ୍ୟର ଓକିଲମାନଙ୍କ ବିଭିନ୍ନ ଅଭାବ ଅସୁବିଧା ଓ ସମସ୍ୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଓକିଲମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ଏହି ଆକ୍ସନ୍ କମିଟି ମାଧ୍ୟମରେ ପ୍ରଚେଷ୍ଟା କରାଯିବ ବୋଲି ସ୍ଥିର କରାଯାଇଥିଲା । ସେହିପରି ଯେଉଁଠାରେ ନୂତନ କୋର୍ଟ ଖୋଲାଯାଉଛି ସେଠାରେ ଓକିଲମାନଙ୍କ ପାଇଁ ବାର୍ ଆସୋସିଏସନ୍ ହଲ୍, ଲାଇବ୍ରେରୀ ଓ କ୍ୟାଟିଂନ୍ ର ସୁବିଧା କରିବା ପାଇଁ ମାନ୍ୟବର ହାଇକୋର୍ଟକୁ ଅନୁରୋଧ କରାଯିବ ବୋଲି ସ୍ଥିର ହୋଇଥିଲା । ସେହିପରି ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ପାଇଁ ଓଡ଼ିଶାର ପ୍ରତ୍ୟେକ ବାର୍ ଆସୋସିଏସନ୍ ହାଇକୋର୍ଟରେ କେସ୍ କରିବ ବୋଲି ନିଷ୍ପତି ହୋଇଥିଲା । ଓକିଲମାନଙ୍କ ସୁରକ୍ଷା ପାଇଁ ଏକ ଆଇନ ଆଣିବା ପାଇଁ ସରକାରଙ୍କ ପାଖରେ ଦାବି କରାଯିବ ଓ ଓନିଶାର ଜନସାଧାରଣଙ୍କ ପାଇଁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବିମା ଯୋଜନା ଲାଗୁ କରିବା ପାଇଁ ସରକାରଙ୍କ ପାଖରେ ଦାବି କରାଯିବ ବୋଲି ମଧ୍ୟ ନିଷ୍ପତି ହୋଇଥିଲା । ଏହି ବୈଠକରେ ଭୁବନେଶ୍ୱର ବାର୍ ଆସୋସିଏସନ୍ ର ସମ୍ପାଦକ ରାଜ୍ କିଶୋର ଦାସ, ଉପସଭାପତି ଦେବୀଦତ ବାରିକ୍, ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ସହ ସମ୍ପାଦକ ଶିବ ନାରାୟଣ ସାହୁ, ଅଭିଜିତ୍ ମିଶ୍ର, ଅର୍ନ୍ତଜାମୀ ବିଶ୍ୱାଳ, ସୁରେଶ କୁମାର ଦାଶ, ନାରାୟଣ ଜେନା, ଲିନା ପଟ୍ଟନାୟକ, ପ୍ରମିଲା ଜାଲି ଓ ସମସ୍ତ କର୍ମକର୍ତାମାନେ ଉପସ୍ଥିତଥିଲେ ।


