ଡିଜିଟାଲ‘ରଙ୍ଗମଞ୍ଚ’କୁ ବରଷେ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ ହେଲେ ବହୁ ପ୍ରତିଭା
ବାଲେଶ୍ୱର, (ସରୋଜ ପଣ୍ଡା):ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ନାଟ୍ୟକାର ଜୀବନର ୫୦ବର୍ଷ ପୂର୍ତ୍ତି ଓ ଡିଜିଟାଲ ‘ରଙ୍ଗମଞ୍ଚ’ ପତ୍ରିକାର ପ୍ରଥମ ବାର୍ଷିକ ଉତ୍ସବ ମାକଲପୁରସ୍ଥିତ ସ୍ରଷ୍ଟା ନାଟ୍ୟଶାଳାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମଞ୍ଚ ନାଟ୍ୟର ସାମ୍ପ୍ରତିକ ସ୍ଥିତି ଓ ନାଟ୍ୟକାରଙ୍କ ଜୀବନର ବାସ୍ତବତା ସମ୍ପର୍କରେ ସେ ଆଲୋଚନା କରିଥିଲେ । ସଙ୍ଗୀତ ନାଟକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନବୀନ ପରିଡ଼ା, ‘ରେବତୀ’ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଗୁରୁପ୍ରସାଦ ମିଶ୍ର ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାମାଜିକ ସ୍ତରରେ ମଞ୍ଚ ନାଟକର ପ୍ରଭାବ ଓ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ନାଟ୍ୟକାର ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ନାଟ୍ୟାନୁଷ୍ଠାନ ସ୍ରଷ୍ଟାର ସଭାପତି ଆଲୋକ ସାହୁ ଏଥିରେ ସଭାପତିତ୍ୱ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିିଥିବା ବେଳେ ସମ୍ପାଦକ ନାଟ୍ୟକାର ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ କହିଥିଲେ ।ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଗବେଷକ ଡ଼.ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କୁ ରଙ୍ଗମଞ୍ଚ ସାହିତ୍ୟ ସମ୍ମାନ, ନବୀନ ପରିଡ଼ାଙ୍କୁ ରଙ୍ଗମଞ୍ଚ ନାଟ୍ୟ ସମ୍ମାନ, କଣ୍ଠଶିଳ୍ପୀ ଅନିନ୍ଦିତା ଦାସଙ୍କୁ ରଙ୍ଗମଞ୍ଚ ସଙ୍ଗୀତ ସମ୍ମାନ ଓ ରତିକାନ୍ତ ମଲିକଙ୍କୁ ରଙ୍ଗମଞ୍ଚ ବୈଷୟିକ ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧିତ ଅବସରରେ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ଓ ନନ୍ଦ କିଶୋର ଦାସ ସୁନ୍ଦର ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମନାଥ ରଥ ସଂଯୋଜନା କରିଥିଲେ । ଦ୍ୱିତୀୟ ଅଧିବେଶନରେ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କର ନାଟକ ଉପରେ ଆଲୋଚନା କରାଯାଇଥିଲା । ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରମୋଦ ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଶିକ୍ଷାବିତ ଡ଼. ହରିଶ୍ଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ନାଟ୍ୟକାର ଡ଼.ପ୍ରଦୀପ ଭୌମିକ, ଡ.ଲକ୍ଷ୍ମୀକାନ୍ତ ତ୍ରୀପାଠୀ, ଡ଼.ଶିରୀଶ ଚନ୍ଦ୍ର ଜେନା, ଡ଼.ବ୍ରଜଗୋପାଳ ମହାନ୍ତି, ଡ଼. ଭାଗବତ ଦାସ, ଡ. ରତ୍ନାକର ସିଂହ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ନାଟ୍ୟକାର ହେବେନ୍ଦ ମହାପାତ୍ରଙ୍କର ନାଟକ ଉପରେ ଆଲୋଚନା କରିଥିଲେ । ସମସ୍ତ କାର୍ଯ୍ୟକୁ ସ୍ରଷ୍ଟାର ବରିଷ୍ଠ ସଦସ୍ୟ ସଂଗ୍ରମ ମହାନ୍ତି, ଗୌରିଶଙ୍କର ସାହାଣୀ, ମନୋରଞନ ଦାସ, ବିଶ୍ୱଜିତ ମହାପାତ୍ର, ଅଜୟ ଆଚାର୍ଯ୍ୟ , ସୁଲଳିତ କର, ଶ୍ୟାମରାୟୀ କର, ଅଜିତ ପଣ୍ଡା, ସ୍ୱାତି ପଣ୍ଡା, ମାମା ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।


