ସମ୍ବାଦ ପରିବାର-ବିତରକଙ୍କ ତିକ୍ତତା ପ୍ରସଙ୍ଗ: ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିତରକ ସଙ୍ଘର ପ୍ରସ୍ତାବ

ବାଲେଶ୍ୱର, (ସରୋଜ ପଣ୍ଡା): ‘ସମ୍ବାଦ’ ଖବର କାଗଜକୁ ବାଲେଶ୍ୱର ସହରବାସୀଙ୍କ ନିକଟରେ ପହଞ୍ଚାଇବାରେ ଦୀର୍ଘ ୨୫ବର୍ଷ ଧରି କାର୍ଯ୍ୟ କରି ଆସିଥିବା ବିତରକଙ୍କ ପ୍ରତି ଏହାର ପରିବାର ଅବିଚାର କରିଛନ୍ତି ବୋଲି ଆରୋପ ଉଠାଇଛି ‘ବାଲେଶ୍ୱର ଖବରକାଗଜ ବିତରକ ସଂଘ’ । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ସଙ୍ଗଠନର ସଭାପତି ଅରୁଣ କୁମାର ସ୍ୱାଇଁ ଯୋଗଦେଇ କମିଶନ ନିର୍ଦ୍ଧାରଣକୁ ନେଇ ଗତ ୨୬ ତାରିଖରୁ ସମ୍ବାଦ ପରିବାର ଓ ବିତରକଙ୍କ ମଧ୍ୟରେ ଉପୁଜିଥିବା ତିକ୍ତତା ତଥା ଚାଲିଥିବା ଅସହଯୋଗ ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ଜିଲାରେ ଅନ୍ୟାନ୍ୟ ଛାପା ଗଣମାଧ୍ୟମ କର୍ତ୍ତୃପକ୍ଷ ଖବର କାଗଜ ଖଣ୍ଡ ପ୍ରତି ୩୮ରୁ ୪୦ ପ୍ରତିଶତ କମିଶନ ଦେଉଥିବା ବେଳେ ସମ୍ବାଦ ଦୀର୍ଘଦିନ ଧରି ୩୩.୩୩ ପ୍ରତିଶତରେ ଅଟକି ରହିବା ଉଚିତ କି ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଥିଲେ । ସବୁଠାରୁ ବଡ଼କଥା ହେଲା ସମ୍ବାଦ ସଂସ୍ଥା ପକ୍ଷରୁ ରାଉରକେଲା ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନର ବିତରକଙ୍କୁ ପ୍ରତିଖଣ୍ଡ ଖବର କାଗଜରେ ୩୬ ପ୍ରତିଶତ କମିଶନ ଦେଉଥିବା ବେଳେ ବାଲେଶ୍ୱରରେ ଏହାର ବ୍ୟତିକ୍ରମ ହୋଇଛି ବୋଲି ସେ କହିଛନ୍ତି । ଦୀର୍ଘବର୍ଷ ଧରି କାର୍ଯ୍ୟ କରି ‘ସମ୍ବାଦ’କୁ ଜନସାଧାରଣଙ୍କଠାରେ ଆଦୃତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରି ଆସିଥିବା ବାଲେଶ୍ୱର ସହରର ଶତାଧିକ ବିତରକଙ୍କ ପେଟକୁ କର୍ତ୍ତୃପକ୍ଷ ନାତ ମାରିଛନ୍ତି ବୋଲି ଶ୍ରୀ ସ୍ୱାଇଁ ଆରୋପ କରିଛନ୍ତି । ବିତରକଙ୍କ ଦାବିକୁ ଗ୍ରହଣ ସହ ଏ ସମ୍ପର୍କରେ ଆଲୋଚନା କରିବା ପରିବର୍ତ୍ତେ ପ୍ରତି ୱାର୍ଡ଼ ପାଇଁ ‘ସମ୍ବାଦ ସାଥୀ’ ନିଯୁକ୍ତି ଦେବା ଆଦୌ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ନୁହେଁ ବୋଲି ସେ କହିଛନ୍ତି । ‘ସମ୍ବାଦ’ର ପ୍ରତିଷ୍ଠାତା ସମ୍ପାଦକ ଜଣେ ବିଜ୍ଞ ବ୍ୟକ୍ତିତ୍ୱ ଭାବେ ବିତରକଙ୍କ କମିଶନ ବାବଦରେ ଉଚିତ ପଦକ୍ଷେପ ନେବେ ବୋଲି ସଙ୍ଗଠନର କର୍ମକର୍ତ୍ତମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଆଶା ପ୍ରକାଶ କରିଛନ୍ତି । ଆଲୋଚନା ମାଧ୍ୟମରେ ନିର୍ଯ୍ୟାସରେ ପହଞ୍ଚିବା ସହ ଏକ ସୁସ୍ଥ ବାତାବରଣ ସୃଷ୍ଟି ସମ୍ଭବ ବୋଲି ସେମାନେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିତରକ ସଙ୍ଘର ସାଧାରଣ ସମ୍ପାଦକ ଅନିରୁଦ୍ଧ ଲେଙ୍କା, ଉପ-ସଭାପତି ଅଭୟ ପ୍ରଧାନ, କୋଷାଧ୍ୟକ୍ଷ ଯୋଗେନ୍ଦ୍ର ତପସ୍ୱୀଙ୍କ ସମେତ ଗୌରଗୋପାଳ, କରୁଣାକର, ସୁକାନ୍ତ, ସୁଶାନ୍ତ, ରତିକାନ୍ତ, କମଳଲୋଚନ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ