ହର୍ଷ ଉଲ୍ଲାସରେ ପଶ୍ଚିମ ଓଡିଶାରେ ନୂଆଁଖାଇ ପାଳିତ, ମାଁ ସମଲେଶ୍ୱରୀଙ୍କୁ ଅର୍ପଣ ହେଲା ନବାନ୍ନ

ସମ୍ବଲପୁର, (ୱାଇଏନ୍‌ଏସ୍‌): ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତୁଳା ଲଗ୍ନର ଶୁଭ ମୁହୁର୍ତ୍ତରେ ମାଁ ସମଲେଶ୍ୱରୀଙ୍କୁ ଅର୍ପଣ ହୋଇଛି ନବାନ୍ନ । ପୂର୍ବରୁ ଧାର୍ଯ୍ୟ ଶୁଭଲଗ୍ନ ଅନୁଯାୟୀ ୧୦ ଟା ୧୫ ମିନିଟରୁ ୧୦ ଟା ୨୫ ମଧ୍ୟରେ ମାଁଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା । ନୂଆଁ ଧାନରୁ ପ୍ରସ୍ତୁତ ଚରୁ ଏବଂ କ୍ଷୀରିକୁ ନୈବେଦ୍ୟ ରୂପେ ମାଁଙ୍କ ନିକଟରେ ଅର୍ପଣ କରାଯାଇଛି । ଏହାପରେ ସମସ୍ତ ପାଶ୍ୱର୍ ଦେବାଦେବୀଙ୍କୁ ନବାନ୍ନ ଅର୍ପଣ କରାଯାଇଥିଲା । ପରେ ପରେ ସମଗ୍ର ପଶ୍ଚିମ ଓଡିଶାବାସୀ ନିଜ ନିଜର ଇଷ୍ଟ ଦେବାଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରି ସ୍ୱ ସ୍ୱ ଗୃହରେ ସପରିବାର ଏକାଠି ନବାନ୍ନ ଭକ୍ଷଣ କରିଛନ୍ତି । ଏହି ମହାନ କୃଷିଭିତ୍ତିକ ପର୍ବ ପାଇଁ ଉତ୍ସବ ମୁଖରିତ ହୋଇ ଉଠିଛି ସମଗ୍ର ପଶ୍ଚିମ ଓଡିଶା । ଆଜି ଭୋରରୁ ସର୍ବ ପ୍ରଥମେ ମାଁ ସମଲେଶ୍ୱରୀଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ନେତୃତ୍ୱରେ ମାଁଙ୍କ ସ୍ୱତନ୍ତ୍ର ଶୃଙ୍ଗାର ସହ ସକାଳ ଧୂପ ଆଦି ନୀତି ଶେଷ ହୋଇଥିଲା । ଏହାପରେ ନିର୍ଦ୍ଧାରିତ ଲଗ୍ନରେ ପୂଜକ ଶ୍ରୀ ରାୟଙ୍କ ଘରେ ପ୍ରସ୍ତୁତ ହୋଇଥିବା ନୂଆଁ ଧାନର ଚରୁ ଏବଂ କ୍ଷୀରିକୁ ମାଁଙ୍କ ନିକଟରେ ଅର୍ପଣ କରାଯାଇଥିଲା । ବେଦ ମନ୍ତ୍ର ପାଠ ସହିତ ୋଶ୍ଲକ ଉଚ୍ଚାରଣରେ ଏକ ପ୍ରକାର ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା । ନବାନ୍ନ ସହିତ କ୍ଷୀରି, ପୁରି, ପିଠାପଣା ଆଦି ବିଭିନ୍ନ ବ୍ୟଞ୍ଜନ ମାଁଙ୍କୁ ପରୋସା ଯିବା ସହ ମାଁଙ୍କ ସ୍ୱତନ୍ତ୍ର ଆଳତୀ ଅନୁଷ୍ଠିତ ହୋଇଥିଲା । ଏହାବାଦ୍ ମନ୍ଦିର ପରିସରରେ ଥିବା ସମସ୍ତ ପାଶ୍ର୍‌? ଦେବାଦେବୀଙ୍କ ନିକଟରେ ଘଣ୍ଟ, ଶଙ୍ଖ, ହୁଳହୁଳି ମଧ୍ୟରେ ନବାନ୍ନ ଅର୍ପଣ କରାଯାଇଥିଲା । ଏହାପରେ ମନ୍ଦିରର ସମସ୍ତ ପୂଜକ ଏବଂ ସେମାନଙ୍କ ପରିବାର ଲୋକେ ଏକାଠି ମିଶି ନବାନ୍ନ ଭକ୍ଷଣ କରିଥିଲେ । ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ମଧ୍ୟ ଅନୁରୂପ ଭାବେ ସମସ୍ତ ପରିବାର ଏକାଠି ନବାନ୍ନ ଭକ୍ଷଣ କରିଥିଲେ । ଏହାବାଦ୍ ନିଜ ଇଷ୍ଟଦେବୀଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରିଥିଲେ । ପରେ ଜୁହାର୍ ଭେଟ୍ ପରମ୍ପରା ଆରମ୍ଭ ହୋଇଥିଲା । ସମ୍ବଲପୁର ସହରର ସମସ୍ତ ମନ୍ଦିରରେ ଦେବା ଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବା ସହିତ ଲୋକେ ନିଜ ନିଜ ଘରର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଲଗାଇ ନିଜ ନିଜ ଘରେ ପରିବାର ସହ ନବାନ୍ନ ଭକ୍ଷଣ କରିଥିଲେ । ନୂଆଁଖାଇ ପାଇଁ ଆଜି ସକାଳୁ ସକାଳୁ ଚାଷୀ ପରିବାର ପାଳନ କରିଥିଲେ ‘ଗୁରସ ରୁକା ଉତ୍ସବ’ । ଉକ୍ତ ଉତ୍ସବ ଅନୁଯାୟୀ ଚାଷୀ ତାର ହଳ ବଳଦକୁ ସିନ୍ଦୁର ଚନ୍ଦନ ଲଗାଇ ବଳଦର ଶିଙ୍ଗରେ ରାକ୍ଷୀ ବାନ୍ଧ୍ରିଛି । ଏହାସହ ପରମ୍ପରା ଅନୁଯାୟୀ ଗୁହାଳ ଏବଂ ଧାନ ବିଲରେ କ୍ଷୀର ଢାଳି ପୂଜାର୍ଚ୍ଚନା କରିଥିବା ପରିଲକ୍ଷିତ ହୋଇଛି । ଧାନ ଗଛରେ ମଧ୍ୟ ରାକ୍ଷୀ ବାନ୍ଧ୍ରିବା ସହିତ ନୂଆଁ ଧାନର ପ୍ରସ୍ତୁତ ଚରୁ ଅର୍ପଣ କରିଛି । ତେବେ କରୋନା କଟକଣା ପାଇଁ ସବୁଠି ନୂଆଁଖାଇ ଭେଟ୍ଚାଟ କାର୍ଯ୍ୟକ୍ରମ ପ୍ରାୟତଃ ବନ୍ଦ ଥିବା ବେଳେ ଭର୍ଚୁଆଲ ପ୍ଲାଟଫର୍ମ ପାଇଁ ବିଭିନ୍ନ ସ୍ଥାନରେ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଦେଖିବାକୁ ମିଳିଛି । ଅପରପକ୍ଷରେ ଗାଁରୁ ଆରମ୍ଭ କରି ସହର ଯାଏ ନୂଆଁଖାଇ ପାଇଁ ଜୁହାର ଭେଟର ଆସର ଦେଖିବାକୁ ମିଳିଛି । କନିଷ୍ଠ ମାନେ ବରିଷ୍ଠ ମାନଙ୍କୁ ଜୁହାର ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରିଥିବା ବେଳେ ବରିଷ୍ଠ ମାନେ କନିଷ୍ଠ ମାନଙ୍କୁ ଆଶୀର୍ବାଦ ଦେଇ ସେମାନଙ୍କ କୂଶଳ ମନାସୀ ଥିବା ପରିଲକ୍ଷିତ ହୋଇଛି । ନୂଆଁଖାଇର ଅନ୍ୟତମ ବିଶେଷତ୍‌? ଥିବା ଏହି ଜୁହାର୍ ଭେଟ୍ ପୂଜ୍ୟପୂଜାର ପରମ୍ପରାକୁ ସମୃଦ୍ଧ କରି ଆସିଛି । ମାନ୍ୟରେ ତଥା ବୟସରେ ନିଜ ଠାରୁ ବଡ ଲୋକଙ୍କୁ ଜୁହାର୍ ହୋଇ ଆର୍ଶିବାଦ ନେବାର ଏହି ମହାର୍ଘ୍ୟ ପରମ୍ପରା ସାରା ଦେଶରେ ବିରଳ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ