ନିଆରା ପ୍ରତିଭା ; ଆଇଟିଆଇ ଛାତ୍ର ଧରୁଛନ୍ତି ବିଷଧର ସାପ
ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): ସାଂପ୍ରତିକ ସମୟରେ ବିଷଧର ସାପ ଲୋକମାନଙ୍କ ପାଇଁ ଭୟ ପାଲଟିଛି । ବିଶେଷକରି ଗ୍ରାମାଞ୍ଚଳ ମାନଙ୍କରେ ବିଭିନ୍ନ ପ୍ରଜାତିର ସାପ ଦେଖାଯାଉଥିବାବେଳେ ଅନେକ ସମୟରେ ଏହା ଲୋକମାନଙ୍କ ପାଇଁ ପ୍ରାଣଘାତି ସାଜୁଛି । ବର୍ଷକ ବାରମାସକୁ ଛାଡିଦେଲେ ମଧ୍ୟ ଜୁନ, ଜୁଲାଇ ଠାରୁ ଆରମ୍ଭ କରି ଅଗଷ୍ଟ ମାସ ଯାଏଁ ସାପଙ୍କର ପ୍ରଜନନ ସମୟ ହୋଇଥିବାରୁ ଗାଁ ବାଡି ବଗିଚାରେ ଏହାର ସଂଖ୍ୟା ଅଧିକମାତ୍ରାରେ ଦେଖିବାକୁ ମିଳିଥାଏ । ବିଲବାଡି ହେଉ ବା ବାଡି ବଗିଚାରେ କେବେ ନା କେବେ ଲୋକେ ସର୍ପାଘାତରେ ଶିକାର ହେଉଛନ୍ତି । ଏହି ବିଷଧର ସାପମାନଙ୍କୁ ସାଧାରଣ ଲୋକେ ଧରିବା କଷ୍ଟକର ହୋଇପଡୁଥିବାବେଳେ କିଛି ନିଆରା ପ୍ରତିଭା ଉକ୍ତ କାର୍ଯ୍ୟରେ ମନନିବେଷ କରି ଲୋକଙ୍କ ପାଇଁ ରକ୍ଷା କବଚ ସାଜିଛନ୍ତି । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ନିକଟ ବେଲମଳା ଗ୍ରାମର ଚନ୍ଦ୍ରଶେଖର ନାଥଙ୍କ ପୁଅ ପ୍ରଶାନ୍ତ(୨୪)ଏବେ ବିଷଧର ସାପ ଧରି ଚର୍ଚ୍ଚାକୁ ଆସିଛନ୍ତି । ପ୍ରଶାନ୍ତ ଏବେ ଆଇଟିଆଇ ଛାତ୍ରଭାବେ ପାଠ ପଢୁଥିବାବେଳେ ସ୍ଥାନୀୟ ବଜାରରେ ଥିବା ଓଲ୍ଡିଂ ଦୋକାନରେ କାର୍ଯ୍ୟ କରୁଛନ୍ତି । ଏହା ସହିତ ସ୍ଥାନୀୟ ଅଞ୍ଚଳରେ କୌଣସି ସ୍ଥାନରୁ ସାପ ବାହାରିବା ଖବର ପାଇଲେ ପ୍ରଶାନ୍ତ ତତକ୍ଷଣାତ ସେଠାରେ ପହଞ୍ଚି ଲୋକମାନଙ୍କୁ ସୁରକ୍ଷା ଦେଉଛନ୍ତି । କାହା ବାଡିବଗିଚା, କାହାଘର ହେଉ କିମ୍ବା ରାସ୍ତା ଘାଟରେ ବିଷଧର ସାପ ବୁଲୁଥିଲେ ଲୋକେ ତତକ୍ଷଣାତ ଫୋନ ଯୋଗେ ପ୍ରଶାନ୍ତଙ୍କୁ ଖବର ଦେଉଛନ୍ତି । ଖବର ପାଇବା ମାତ୍ରେ ସ୍ୱେଚ୍ଛାସେବୀ ଯୁବକ ଜଣ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ସୁଦ୍ଧା ସଂଗେ ସଂଗେ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ବିଷଧର ସାପକୁ ଉଦ୍ଧାର କରୁଛନ୍ତି । ବିଗତ ୬ମାସ ହେବ ପ୍ରଶାନ୍ତ ଏଥିରେ ମନନିବେଶ କରି ଅନେକ ବାହା ବାହା ସାଉଣ୍ଟିଛନ୍ତି । ବାରିକ ପୁର ସମେତ ତୋଡଙ୍ଗା, ଚିନ୍ନାମାଳୀ, ବେଲମଳା, ବରଡେଶ୍ୱର ପ୍ରମୁଖ ଗ୍ରାମରେ ପହଞ୍ଚି ସାପ ଉଦ୍ଧାର କରୁଛନ୍ତି । ଉଦ୍ଧାର ସାପ ଗୁଡିକୁ ମୋଟରସାଇକେଲ ଯୋଗେ ନିଜସ୍ୱ ଖର୍ଚ୍ଚରେ ନେଇ ସେ ବିଭିନ୍ନ ଜଙ୍ଗଲରେ ଛାଡୁଛନ୍ତି । ଏଥିପାଇଁ କାହାରି ଠାରୁ କୌଣସି ପାରିଶ୍ରମିକ ନେଉନଥିବାବେଳେ ଲୋକମାନଙ୍କ ଶ୍ରଦ୍ଧା ହିଁ ତାଙ୍କୁ ଏଦିଗରେ କାମ କରିବାକୁ ପ୍ରୋତ୍ସାହିତ କରୁଥିବା ସେ କହିଛନ୍ତି । ସେ ଯାହାବି ହେଉ ପାଠପଢାରେ ଥାଇ ସୁଦ୍ଧା ସ୍ୱେଚ୍ଛାସେବୀ ଭାବେ ବିପଦପୂର୍ଣ୍ଣ କାମରେ ନିଜକୁ ସାମିଲ କରିଥିବାରୁ ଏଥିପାଇଁ ତାକୁ ପ୍ରଶାସନିକ ସ୍ତରରେ ସହାୟତା ଜରୁରୀ ବୋଲି ବୃଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।


