ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ
ନିମାପଡା ( ସନ୍ତୋଷ ଦାଶ ): ପ୍ରତି ବର୍ଷ ପରି ବେଳାଭୂମିକୁ ସ୍ୱଚ୍ଛ ସୁନ୍ଦର ଏବଂ ଆବର୍ଜନା ମୁକ୍ତ ରଖିବା ତଥା ସାଧାରଣ ଲୋକଙ୍କୁ ସ୍ୱଚ୍ଛତା ବାର୍ତ୍ତା ଦେଇ ସଚେତନ କରିବା ପାଇଁ ଅସ୍ତରଙ୍ଗ ପଞ୍ଚାୟତ ସମିତି ଏବଂ ଅଗ୍ରଣୀ ପରିବେଶ ସୁରକ୍ଷା ସଙ୍ଗଠନ ଗ୍ରୀନ ଲାଇଫ ରୁରାଲ ଆସୋସିଏସନ ଆନୁ କୂଲ୍ୟରେ ତଥା ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ସହଯୋଗରେ ଗଙ୍ଗା ଦେବୀ ସମୁଦ୍ର ବେଳାଭୂମିରେ ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱାଧୀନ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସଫେଇ ଅଭିଯାନରେ ଅଂଶ ଗ୍ରହଣ କରିଥିବା ସ୍ବେଛାସେବୀ ମାନଙ୍କୁ ବେଳାଭୂମି ସଫେଇର ଉପକରିତା ବିଷୟରେ କହିବା ସହ କିପରି ଏହା ଆମ ପରିବେଶକୁ ପ୍ରଦୂଷିତ କରୁଛି ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଛୁରିଅନା ଗ୍ରାମ ପଞ୍ଚାୟତର ପୂର୍ଵତନ ସମିତି ସଭ୍ୟ ତଥା ବର୍ତ୍ତମାନ ର ସରପଞ୍ଚଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିମ୍ବାଧର ବିଶ୍ୱାଳ ଅଂଶ ଗ୍ରହଣ କରି ସ୍ଵଛ ବେଳାଭୂମି ସାମୁଦ୍ରିକ ଜୀବ ମାନଙ୍କ ପାଇଁ କାହିଁକି ଆବଶ୍ୟକ କହିଥିଲେ । ଆଜିର ଏହି ବେଳାଭୂମି ସଫେଇ ଅଭିଯାନରେ ଗୁଣ୍ଡଳବା ବନ ସୁରକ୍ଷା ସମିତି ଓ ଗଙ୍ଗା ଦେବୀ ବନ ସୁରକ୍ଷା ସମିତି ସହନର ସଭ୍ୟ/ସଭ୍ୟା ମାନେ ପ୍ରମୁଖ ଭାବରେ ଅଂଶ ଗ୍ରହଣ କରିବା ସହ ବେଳାଭୂମିରେ ପଡିଥିବା ବିଭିନ୍ନ ପ୍ରକାର ପ୍ରଦୂଷଣ କରୁଥିବା ଉପାଦାନ ଯଥା ପଲିଥିନ, କାଚ/ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ରସି/ସୂତା, ଛିଣ୍ଡା ଜାଲ ଓ ସୋଲ ପ୍ରଭୁତି ବହୁ ଅଦରକାରୀ ସାମଗ୍ରୀ ଗୋଟାଇ ବେଳାଭୂମି ସଫେଇ କରିବା ସହ ଆଗାମୀ ଦିନରେ ପ୍ରତି ମାସରେ ଦୁଇ ଥର ବେଳାଭୂମି ସଫା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛୁରିଅନା ଗ୍ରା.ପ ର ନାଏବ ସରପଞ୍ଚ ଶ୍ରୀଯୁକ୍ତ ଶଶୀଭୂଷଣ ବେହେରା, ଗଙ୍ଗଦେବୀ ବନ ସୁରକ୍ଷା ସମିତିର ଉପଦେଷ୍ଟା ଶ୍ରୀଯୁକ୍ତ ବଂଶୀଧର ବେହେରା, ସମସ୍ତ ସଭ୍ୟ/ସଭ୍ୟା ଓ ଗୁଣ୍ଡଳବା ବନ ସୁରକ୍ଷା ସମିତିର ପରିଚାଳନା କମିଟି ସଭ୍ୟ ଶ୍ରୀଯୁକ୍ତ ପବିତ୍ର କୁମାର ବିଶ୍ୱାଳ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୁରୀ କିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ତଥା ପରିବେଶବିତ ଶ୍ରୀଯୁକ୍ତ ଶୋଭାକର ବେହେରା ସଞ୍ଚାଳନ କରିଥିଲେ ।


