ଚଳିତ ଗୋବରୀ ବନ୍ୟାରେ କୁରୁଜଙ୍ଗା ପଞ୍ଚାୟତର ବ୍ୟାପକ କ୍ଷତି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ଅମ୍ବୁରା, ଶଙ୍କରପୁର, କୁରୁଜଙ୍ଗା, ବଡମଙ୍ଗରାଜପର, ମହେଶପୁର, ମନ୍ତ୍ରୀପଡା ଓ ନୂଆଗାଁ ଗ୍ରାମରେ ଲଗାଣ ବର୍ଷା ଗୋବରୀ ନଦୀରେ ବନ୍ୟା ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ଏହିସବୁ ଅଞ୍ଚଳର ପ୍ରାୟ ୫ଶହ ହେକ୍ଟର ଧାନ ଫସଲ ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି । କେତେକ ଖାଲୁଆ ଅଞ୍ଚଳ ଓ ବସ୍ତିରେ ପାଣି ପଶି ଚାଷୀଙ୍କ ପନିପରିବା ଫସଲ ସମେତ ଘରବାଡିର ମଧ୍ୟ କ୍ଷୟକ୍ଷତି ହୋଇଛି । ପଞ୍ଚାୟତର ଅନୁସୂଚିତ ଜନଜାତି ବସ୍ତିରେ ପାଣି ପଶି ଘରଦ୍ୱାର ଭାଙ୍ଗିବା ସହ ପ୍ରାୟ ସପ୍ତାହକରୁ ଅଧିକ ସମୟ ଧରି ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । ଏହି ପଞ୍ଚାୟତର ଅମ୍ବୁରା ପାଟନାଳି ପାଶ୍ୱର୍ରେ ଏକ ଆଡିବନ୍ଧ ନିର୍ମାଣ କରାଗଲେ ବନ୍ୟାର ସ୍ଥାଇ ପ୍ରତିକାର ହୋଇପାରିବ ବୋଲି ଅଞ୍ଚଳର ଚାଷୀମାନେ ପ୍ରଶାସନ ଓ ସରକାରଙ୍କୁ ନିବେଦନ କରିଛନ୍ତି । ପଞ୍ଚାୟତର ଲଗାଣ ବର୍ଷା ଓ ବନ୍ୟା ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଅଞ୍ଚଳବାସୀଙ୍କ ପକ୍ଷରୁ କ୍ଷୀରୋଦ ଚନ୍ଦ୍ର ସାମଲ, ନୀଳମଣି ବେହେରା, ଅଭିମନ୍ୟୁ ସାହୁ, ଦିବାକର ନାୟକ, ଗୈାରାଙ୍ଗ ଚରଣ ସାହୁ, ଗୋଲକ ଚନ୍ଦ୍ର ସାହୁ, ଗୁରୁଚରଣ ନାୟକ ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି ।


