ଭାରତ ବନ୍ଦ ସଫଳ ପାଇଁ ପଥପ୍ରାନ୍ତ ସଭା
ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ୩ଟି କଳା କୃଷି ଆଇନ ଓ ବିଦ୍ୟୁତ ଆଇନ-୨୦୨୦ ବାତିଲ ସମେତ ୨୧ ଦଫା ଦାବିରେ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି । ଏହି ବନ୍ଦକୁ ସଫଳ କରିବା ପାଇଁ ଅଲ ଇଣ୍ଡିଆ କିଷାନ କ୍ଷେତ ମଜୁଦର ସଂଗଠନର ଜିଲ୍ଲା କମିଟି ନେତୃତ୍ୱରେ ନାଉଗାଁ ବ୍ଲକ କଂଟୁଣିଆହାଟରେ ପଥପ୍ରାନ୍ତ ସଭା ଓ ପ୍ରଚାର ପତ୍ର ବଂଟନ କରାଯାଇଛି । ଜାମୁଗାଁ ଗ୍ରାମ ପଂଚାୟତ ଇନ ଚାର୍ଜ ଅଜିତ କୁମାର କାଣ୍ଡିଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ସଂଗଠକ ସୁବାସ ସ୍ୱାଇଁ ଯୋଗ ଦେଇ ରାଜଧାନୀ ଦିଲ୍ଲୀରେ ଚାଲିଥିବା ଐତିହାସିକ ଚାଷୀ ଆନ୍ଦୋଳନ ସଂର୍ପକରେ ଆଲୋଚନା କରିଥିଲେ । ଏହି ଆନ୍ଦୋଳନରେ ସହୀଦ ହୋଇଥିବା ୬୦୦ରୁ ଉର୍ଦ୍ଧ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଂଜଳି ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଉଗାଁ ବ୍ଲକ କମିଟି ସଭାପତି ମହେଶ୍ୱର ଦାସ, ବାଲିକୁଦା ବ୍ଲକ କମିଟି ସଂପାଦକ ଆର୍ତ ଦାସ, ବାବାଜୀ କାଣ୍ଡି, ରଘୁନାଥ ଜେନା, ନିରଂଜନ ଭୋଲ, ପ୍ରର୍ଶୁରାମ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


