ଆଇ.ଟି.ଆଇ ଛକ ଉଠା ଦୋକାନୀ ସଂଘର ମିଳିତ ବୈଠକ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା) : ଆଇ.ଟି.ଆଇ ଛକ ଠାରେ ଥିବା ସମସ୍ତ ଉଠା ଦୋକାନୀ ମାନଙ୍କର ଏକ ମିଳିତ ବୈଠକ ରାଜା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡିଶା ଉଠାଦୋକାନୀ ସଂଘର ସଭାପତି ଜୟନ୍ତ ଦାସ, ବାଲେଶ୍ୱର ଜିଲ୍ଲା ଉଠାଦୋକାନୀ ସଂଘର କାର୍ଯ୍ୟକାରିଣୀ ସଭାପତି ଆବିଦ ଖାଁ, ଆଇ.ଟି.ଆଇ ଛକ ଉଠା ଦୋକାନୀ ସଂଘର ସଭାପତି ଦିବାକର ଜେନା, ସମ୍ବାଦ ଛକ ଉଠାଦୋକାନୀ ସଂଘର ସଭାପତି ମାନସ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଉଠାଦୋକାନୀ ସଂଘର କାର୍ଯ୍ୟକାରିଣୀ ସଭାପତି ଖାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଉଠାଦୋକାନୀ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଉଠାଦୋକାନୀ ମାନଙ୍କର ସୁରକ୍ଷା, ଥଇଥାନ ସହ ସ୍ଥାୟୀତ୍ୱ ଜନୀତ ସମସ୍ୟା ଗୁଡିକର ସ୍ଥାୟୀ ପ୍ରତିକାର ପାଇଁ ସମସ୍ତ ଦୋକାନୀଙ୍କୁ ଏକତ୍ରିତ ହେବାକୁ ପଡିବ ବୋଲି ଖାଁ କହିଥିଲେ । ବୈଠକରେ ଶତାଧିକ ଉଠାଦୋକାନୀ ଯୋଗ ଦେଇଥିବା ବେଳେ କମଳା ନାୟକ, ସୁଶାନ୍ତ ଦାସ, ରତ୍ନାକର ଦାସ, ପ୍ରକାଶ ପ୍ରଧାନ, ଚନ୍ଦ୍ରକାନ୍ତି ମଜୁନଦାର ଓ ନୁରୁ ଖାଁ ପ୍ରମୁଖ ବୈଠକ ପରିଚାଳନାରେ ସହାୟତା କରିଥିଲେ ।