ଦୁର୍ଗା ପୂଜା ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :-ଆସନ୍ତା ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳାର ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ୪ଘଟିକା ସମୟରେ ସ୍ଥାନୀୟ “ସଦଭାବନା ସଭାଗୃହ”ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ୍‌ଙ୍କ ସମେତ ବିଭିନ୍ନ ପୂଜା କମିଟିର ସଦସ୍ୟ, ପୁଲିସ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି କୋଭିଡ୍ ନିୟମାବଳୀର ଅନୁପାଳନ ଓ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲାରେ କିଭଳି ସୁରୁଖୁରୁରେ ଦୁର୍ଗା ପୂଜା ଆୟୋଜିତ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାର ବିଭିନ୍ନ ନିୟମାବଳୀ ସମ୍ପର୍କରେ ଗୃହକୁ ସୂଚନା ଦିଆଯାଇଥିଲା । ମାର୍ଗଦର୍ଶିକା ଅନୁଯାୟୀ ଚଳିତ ବର୍ଷ ମଣ୍ଡପ / ପାଣ୍ଡାଲରେ ପୂଜା ନିମନ୍ତେ ଆବଶ୍ୟକୀୟ ଅନୁମତି ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିବାକୁ ପଡିବ । ଗୃହ ଅଭ୍ୟନ୍ତର ଭଳି ପରିବେଶ (ଇଣ୍ଡୋର ଲାଇକ କଣ୍ଡିସନ)ରେ ପୂଜା ଆୟୋଜନ କରାଯିବାକୁ ଥିବା ବେଳେ କେବଳ ପୂଜା ନୀତିକାନ୍ତି ପାଇଁ ଅନୁମତି ଦିଆଯିବ । ଜନସାଧାରଣ ଏଥିରେ ଅଂଶଗ୍ରହଣ କରିପାରିବେ ନାହିଁ ଏବଂ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ଏହା ପାଳନ କରାଯିବ । ତିନି ପାଶ୍ୱର୍ରୁ ପୂଜା ମଣ୍ଡପ/ପାଣ୍ଡାଲକୁ ସମ୍ପୂର୍ଣ୍ଣ ଆବୃତ/ଆଚ୍ଛାଦିତ କରାଯିବା ସହ ଗୋଟିଏ ପାଶ୍ୱର୍କୁ ଆଂଶିକ ଭାବେ ଆବୃତ/ଆଚ୍ଛାଦିତ କରାଯିବ ଯେଭଳି କି ଜନସାଧାରଣ ମୂର୍ତି ଦର୍ଶନ କରିପାରିବେ ନାହିଁ । ମୂର୍ତିର ଉଚ୍ଚତା ୪ ଫୁଟରୁ କମ ରହିବ । ମାଇକ୍ ଯୋଗେ ଘୋଷଣା କିମ୍ବା ଅନ୍ୟାନ୍ୟ ସାଉଣ୍ଡ ସିଷ୍ଟମ ବା ସ୍ପିକରର ବ୍ୟବହାର କରାଯାଇପାରିବ ନାହିଁ । ଯେ କୌଣସି ସମୟରେ ପୂଜାରୀ, କର୍ତା ଏବଂ ଅନ୍ୟାନ୍ୟ କମିଟି ସଦସ୍ୟଙ୍କୁ ମିଶାଇ ୭ଜଣରୁ ଅଧିକ ବ୍ୟକ୍ତି ପୂଜା ପାଣ୍ଡାଲ / ମଣ୍ଡପରେ ରହିପାରିବେ ନାହିଁ । ଯେଉଁମାନେ ପୂଜା ପାଣ୍ଡାଲ / ମଣ୍ଡପରେ ରହିବେ ସେମାନେ କୋଭିଡ୍ ନିୟମାବଳୀ ଯଥା ସାମାଜିକ ଦୂରତା, ମାସ୍କ, ସାନିଟାଇଜର ବ୍ୟବହାର ଇତ୍ୟାଦିର କଡାକଡି ପାଳନ କରିବେ । ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ଅନ୍ୟାନ୍ୟ କଟକଣାକୁ ମଧ୍ୟ ପୂଜା କମିଟିମାନଙ୍କୁ ମାନିବାକୁ ପଡିବ । ସେହିପରି ପୂଜା ପରେ କୌଣସି ପ୍ରକାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ନାହିଁ । ସ୍ଥାନୀୟ ପ୍ରଶାସନ ଦ୍ୱାରା ଚିହ୍ନଟ ହୋଇଥିବା କୃତ୍ରିମ ଜଳାଶୟ/ପୋଖରୀରେ ମୂର୍ତି ବିସର୍ଜନ କରାଯିବ । କୌଣସି ଧାର୍ମିକ ଗୋଷ୍ଠୀ ଦ୍ୱାରା କୌଣସି ପ୍ରକାର ଧାର୍ମିକ ଶୋଭାଯାତ୍ରା ଆୟୋଜନ ହୋଇପାରିବ ନାହିଁ । କୌଣସି ପ୍ରକାର ଗୀତ, ନାଚ କିମ୍ବା ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ । ପୂଜା ସାଙ୍ଗରେ କୌଣସି ପ୍ରକାର ଭୋଜିଭାତ ଆୟୋଜନ ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ । ଏହି ସବୁ ନିୟମର ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଗା ପୂଜା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଅନୁମତି ଏକକ ଝରକା (ସିଙ୍ଗଲ ଓି୍ୱଣ୍ଡୋ) ମାଧ୍ୟମରେ ପ୍ରଦାନ କରାଯିବ । ବାଲେଶ୍ୱର ସହରରେ ଦୁର୍ଗା ପୂଜା ନିମନ୍ତେ ଅନୁମତି ପାଇଁ ବାଲେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂଜା କମିଟିମାନେ ଆବେଦନ କରିପାରିବେ । ସେହିପରି ବ୍ଲକ ସ୍ତରରେ ତହସିଲଦାରଙ୍କ ନିକଟରେ ଏବଂ ପୌରାଂଚଳ/ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ନିର୍ବାହୀ ଅଧିକାରୀଙ୍କ ନିକଟରେ ଆବେଦନ କରିବାକୁ ହେବ । ଅକ୍ଟୋବର ୭ ଓ ୮ ତାରିଖ ଦିନ ପୂଜା କମିଟିମାନେ ବିଭିନ୍ନ ଅନୁମତିପତ୍ର ପାଇଁ ସିଙ୍ଗଲ ଓି୍ୱଣ୍ଡୋ ମାଧ୍ୟମରେ ଆବେଦନ କରିପାରିବେ । ଅନୁମତିପତ୍ର ପାଇଁ ଆବେଦନ କଲାବେଳେ ପୂଜା କମିଟି କର୍ମକର୍ତାଙ୍କୁ ସରକାରୀ ମାର୍ଗଦର୍ଶିକାର କଡାକଡି ଅନୁପାଳନ ପାଇଁ ଲିଖିତ ପ୍ରତିଶ୍ରୁତି ଦେବାକୁ ପଡିବ । ସରକାରୀ ନିୟମାବଳୀ ଏବଂ କୋଭିଡ୍ କଟକଣା କିଭଳି ପାଳନ ହୋଇପାରିବ ତାହାର ସମ୍ପୂର୍ଣ୍ଣ ଦାୟିତ୍ୱ ପୂଜା କମିଟିମାନେ ନେବେ । ଅକ୍ଟୋବର ୧୫ ତାରିଖ ଦିନ ଦଶମୀ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ଅକ୍ଟୋବର ୧୬ ତାରିଖ ଦିନ ସକାଳ ୯ଘଟିକାରୁ ଅପରାହ୍ନ ୫ଘଟିକା ମଧ୍ୟରେ ମୂର୍ତି ବିସର୍ଜନ ସମ୍ପନ୍ନ କରିବାକୁ ପୂଜା କମିଟିମାନଙ୍କୁ କୁହାଯାଇଛି । ସମସ୍ତ ନୀତି ନିୟମ ମଧ୍ୟରେ ରହି ଦୁର୍ଗା ପୂଜା ପାଳନ ନିମନ୍ତେ ଉପସ୍ଥିତ ପୂଜା କମିଟି ସଦସ୍ୟମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ପରାମର୍ଶ ଦେବା ସହ ଏଥି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ