ବାଲେଶ୍ୱରରେ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲା ଅଗ୍ରଣୀ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କ ସମୂହଙ୍କ ପକ୍ଷରୁ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ସହରର ବ୍ରିଟ କଲ୍ୟାଣ ମଣ୍ଡପ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାର ୧୩୩୨ଜଣ ହିତାଧିକାରୀଙ୍କୁ ବିଭିନ୍ନ ବ୍ୟାଙ୍କ ତରଫରୁ ୫୯.୨୩ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି । ଭାରତ ସରକାରଙ୍କ ଅର୍ଥନୈତିକ ସେବା ବିଭାଗ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ଋଣ ପ୍ରଦାନ ଶିବିରକୁ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଉଦଘାଟନ ସହ ସମ୍ପ୍ରତି ବ୍ୟାଙ୍କ ସେବାରେ ଉଲେଖନୀୟ ଅଗ୍ରଗତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ବ୍ୟାଙ୍କମାନଙ୍କ ସହଯୋଗରୁ ଋଣ ପାଇବା ସହଜ ହୋଇପାରିଛି ବୋଲି ସେ କହିଥିଲେ । ତେବେ ଋଣ ପାଇବା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ କାଗଜପତ୍ର ଏବଂ ଏହାର ଆବେଦନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ବ୍ୟାଙ୍କମାନେ ସଚେତନ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ତେବେ ସରକାରୀ ସ୍କିମରେ କମ ସୁଧ ବା ରିଆତିରେ ଜନସାଧାରଣ କିପରି ଋଣ ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବା ସହ ବାଲେଶ୍ୱର ଜିଲାର ଜନସାଧରଣଙ୍କ ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କମାନେ ଋଣ ପ୍ରଦାନ ଲାଗି ଆଗେଇ ଆସିବାକୁ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଆହ୍ୱାନ ଦେଇଥିଲେ । ୟୁକୋ ବ୍ୟାଙ୍କ କ୍ଷେତ୍ରୀୟ ପ୍ରବନ୍ଧକ ଲଲାଟେନ୍ଦୁ ବେହେରା, ନାବାର୍ଡ ଜିଲା ଉନ୍ନୟନ ଅଧିକାରୀ ତାପସ ରଞ୍ଜନ ପ୍ରଧାନ, ୟୁନିଅନ ବ୍ୟାଙ୍କ କ୍ଷେତ୍ରୀୟ ପ୍ରବନ୍ଧକ ଶଙ୍କର ହେମ୍ବ୍ରମ, ଜିଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ସୁଦୀପ ଡାକୁଆ, ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶୁଭାଶିଷ ମହାପାତ୍ର, ମତ୍ସ୍ୟ ବିଭାଗ ଉପ-ନିର୍ଦ୍ଦେଶକ ସନ୍ତୋଷ ଦଳେଇ ପ୍ରମୁଖ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଭିନ୍ନ ସରକାରୀ ଯୋଜନାରେ ମିଳୁଥିବା ଋଣ ଏବଂ ସବସିଡି ଉପରେ ଅତିଥିମାନେ ଆଲୋଚନା କରିଥିଲେ । କରୋନା ମହାମାରୀ ସମୟରେ ଅର୍ଥନୀତି ନିମ୍ନଗାମୀ ହୋଇଥିବା ବେଳେ ସରକାରୀ ଘୋଷିତ ପ୍ରୋତ୍ସାହନ ସ୍କିମକୁ କାର୍ଯ୍ୟକାରୀ କରିବା ଓ ସର୍ବସାଧାରଣଙ୍କୁ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବ୍ୟାଙ୍କ ଅଧିକାରୀମାନେ କହିଥିଲେ । ଆଜିର ଏହି ଶିବିରରେ ପିଏମଇଜିପି, ମୁଦ୍ରା ଋଣ, ପିଏମ ଷ୍ଟ୍ରିଟ୍ ଭେଣ୍ଡର, ପିଏମ ଖାଦ୍ୟ ପ୍ରକ୍ରିୟାକରଣ, ପିଏମ କିଶାନ ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆବେଦନକାରୀଙ୍କୁ ଋଣ ମଞ୍ଜୁରି କରାଯାଇଥିଲା । ଏଥି ସହିତ ବିଭିନ୍ନ ସାମାଜିକ ସୁରକ୍ଷା ସ୍କିମ ଯଥା- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଜୀବନଜ୍ୟୋତି ବୀମା ଯୋଜନା, ଅଟଳ ପେନସନ୍ ଯୋଜନାରେ ଗ୍ରାହକଙ୍କୁ ଅନୁବନ୍ଧିତ କରିବା, ଡିଜିଟାଲ ଦେଣନେଣକୁ ପ୍ରୋତ୍ସାହନ ଦେବା ଏବଂ ନିରାପତା ସତର୍କତା ଅବଲମ୍ବନ କରିବା, ଆର୍ଥିକ ଅନୁଶାସନ ପାଳନ କରିବା ଇତ୍ୟାଦି ସମ୍ପର୍କରେ ଗ୍ରାହକଙ୍କୁ ଅବଗତ କରାଯାଇଥିଲା । ଏହି ଶିବିରରେ ଜିଲାରେ କାର୍ଯ୍ୟରତ ପ୍ରାୟ ୨୫ଟି ସରକାରୀ, ବେସରକାରୀ ବ୍ୟାଙ୍କ ଅଂଶଗ୍ରହଣ କରି ନିଜ ନିଜ ଷ୍ଟଲ ମାଧ୍ୟମରେ ବ୍ୟାଙ୍କ ସ୍କିମଗୁଡିକର ପ୍ରଦର୍ଶନ କରିଥିଲେ । ଆସନ୍ତା ଅକ୍ଟୋବର ୨୭ତାରିଖ ଦିନ ଏଭଳି ଆଉ ଏକ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ବ୍ରିଟ୍ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହେବ ବୋଲି ଜିଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ଡାକୁଆ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ