ପଂଚୁୁକ ମାହାତ୍ମ୍ୟ
ବାରମାସ ମଧ୍ୟରେ କାର୍ତ୍ତିକ ଶ୍ରେଷ୍ଠ । ସ୍କନ୍ଦପୁରାଣ’ ମତେ, ‘ନ କାର୍ତ୍ତିକ ସମୋ ମାସୋ, ନକୃତେନ ସମଂଯୁଗମ, । ନବେଦ ସଦୃଶଂ ଶାସ୍ତ୍ରଂ, ନତୀର୍ଥ ଗଙ୍ଗେୟୋସମଂ ।’ କାର୍ତ୍ତିକଂ ଖଳୁ ବୈ ମାସଂ, ସର୍ଥମାସେ ସୁଗେଲସମ । ପୁଣ୍ୟଂ ନାଂପରମ ପୁଣ୍ୟଂ, ପାବନାନାଚଂ ପାବନମ ।” ଅର୍ଥାତ୍ କାର୍ତ୍ତିକ ମାସପରି ମାସନାହିଁ, ସତ୍ୟ ଯୁଗପରି ଯୁଗ ନାହିଁ, ବେଦସମ ଶାସ୍ତ୍ର ନାହିଁ । ଗଙ୍ଗା ସଦୃଶ ତୀର୍ଥ ନାହିଁ । କାର୍ତ୍ତିକ ମାସଟି ଏକ ପବିତ୍ର ମାସ । ଧର୍ମାର୍ଥେ ଏହି ମାସଟି କାର୍ତ୍ତିକ ବ୍ରତ ଏବଂ ଶାକାହାର ଭୋଜନ କରାଯାଏ । ଏହାକୁ ବ୍ରତାଚାରୀମାନଙ୍କ ପାଇଁ ହବିଷାନ୍ନ କୁହାଯାଏ ।
କାର୍ତ୍ତିକ ବ୍ରତ ଉଭୟ ପୁରୁଷ ଓ ସ୍ତ୍ରୀ କରିପାରିବେ । ତେବେ ସଚରାରେ ଯାହା ଦେଖାଯାଇଛି, ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନେ ବିଶେଷକରି ବିଧବାମାନେ ବେଶୀ କରିଥାନ୍ତି । ବ୍ରତାଚାରୀମାନେ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ ବ୍ରତାନୁକୁଳ କରିଥିଲେହେଁ, ସଂପୂର୍ଣ୍ଣ କାର୍ତ୍ତିକ ମାସଟି ବ୍ରତାଚରଣ କରିଥାଆନ୍ତି; ଯେଉଁମାନେ ପୁରା ମାସଟି କରି ନ ପାରନ୍ତି, କାର୍ତ୍ତିକ ମାସର ଶେଷ ପାଂଚଦିନ ଏହି ବ୍ରତ ପାଳନକଲେ ଉକ୍ତ ମାସର ଧର୍ମଫଳ ପ୍ରାପ୍ତିହୁଅନ୍ତି ବୋଲି ବିଶ୍ୱାସକରାଯାଏ । ଏହି ଶେଷ ପାଂଚଦିନକୁ କୁହନ୍ତି ‘ପଂଚୁକ’ ।
ପଞ୍ଚୁକକୁ ଭିନ୍ନନାମେ ନାମିତ କରାଯାଇଛି । ଯଥା:ବିଷ୍ଣୁ ପଂଚୁକ, ଭୀଷ୍ମ ପଞ୍ଚୁକ ଏବଂ ବକ ପଞ୍ଚୁକ । ଆମେ ଜାଣିଛେ ମହାଭାରତର ଭୀଷ୍ମ ପିତାମହ ଇଚ୍ଛାମୃତ୍ୟୁ ବର ପାଇଥିଲେ । ସେଥିପାଇଁ ଶରଶଯ୍ୟା ବେଳେ ସେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିକୁ ଅପେକ୍ଷା କରିଥିଲେ । କାରଣ ଏହି ସମୟରେ ଯା’ର ମୃତ୍ୟୁହୁଏ, ତାର ମୋକ୍ଷ ପ୍ରାପ୍ତି ହୁଏ । ଏହି କାରଣରୁ ଭୀଷ୍ମଙ୍କର ଇଚ୍ଛା ମୃତ୍ୟୁ ଥିଲେ ହେଁ ସେ ପଞ୍ଚୁକ ପୂର୍ବରୁ ମୃତ୍ୟୁର ବେଳାକୁ ଆହ୍ୱାନ ନକରି କାର୍ତ୍ତିକ ପଞ୍ଚୁକଯାଏଁ ଅପେକ୍ଷା କରିଥିଲେ । ପୁନଶ୍ଚ ମହାଭାରତ ଯୁଦ୍ଧରେ ଅନ୍ୟାୟ ପକ୍ଷରେ ଲଢ଼ି ନିରୀହ ଲୋକଙ୍କୁ ବଧ କରିଥିବାରୁ କିଛି ପାପ ଅର୍ଜନ କରିଥିଲେ । ମୋକ୍ଷ ପ୍ରାପ୍ତିପୂର୍ବରୁ ଏ ପାପ ଶରଶଯ୍ୟାରେ କଟି ଯାଉବୋଲି ଏକଥା ତାଙ୍କୁ କୃଷ୍ଣ ବା ବିଷ୍ଣୁ ସୂଚାଇ ଦେଇଥିଲେ । ଏହି କାରଣରୁ ଏହାକୁ ‘ଭୀଷ୍ମ ପଞ୍ଚୁକ’ ବା ‘ବିଷ୍ଣୁ ପଞ୍ଚୁକ’ ମଧ୍ୟ କୁହାଯାଏ ।
ଏହାକୁ ‘ବକ ପଞ୍ଚୁକ’ କହିବାର କାରଣ ଏହି ଯେ, ଧର୍ମପାଇଁ ବକ ମଧ୍ୟ ଏ ପାଂଚଦିନ ଆମିଷ ଖାଏ ନାହିଁ । ଅର୍ଥାତ୍ କି ମଣିଷ, କି ଇତରପ୍ରାଣୀ, ଏ କାର୍ତ୍ତିକ ବ୍ରତ, କିଛି ନହେଲେ ଶେଷ ପାଂଚଦିନ ପାଳନ କରିଥାନ୍ତି । ଏହାହିଁ କାର୍ତ୍ତିକ ମାସର ପଞ୍ଚୁକ ମାହାତ୍ମ୍ୟ । ପଞ୍ଚୁକ ପାଳନ ଦ୍ୱାରା ପାପନାଶ ଓ ମୋକ୍ଷ ପ୍ରାପ୍ତି ଘଟେ ଯାହାକି, ପ୍ରତିଟି ଜୀବନର ଚରମ ଲକ୍ଷ୍ୟ ।
ପଞ୍ଚୁକ ପାଞ୍ଚଦିନ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ ଓ ତାଙ୍କ ଭାଇ ଭଉଣୀଙ୍କର ପାଞ୍ଚପ୍ରକାର ବେଶହୁଏ । ପଞ୍ଚୁକ ଶୁକ୍ଳ ଏକାଦଶୀ (ବଡ଼ ଏକାଦଶୀ)ରେ ଲକ୍ଷ୍ମୀ ନାରାୟଣବେଶ, ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ; ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମାଦିନ ରାଜ ରାଜେଶ୍ୱର ବା ସୁନାବେଶ ଲାଗିହୁଏ । ଯେଉଁ ବର୍ଷ ପଂଚୁକ ଛଦିନ ପଡ଼େ, ସେବର୍ଷ ଷଷ୍ଠ ଦିବସଟିରେ ଜୀଉମାନଙ୍କର ନାଗାର୍ଜୁନ ବେଶ ହୁଏ ।
ପଞ୍ଚୁକ ଶେଷଦିନହିଁ କାର୍ତ୍ତିକ ପୂର୍ଣ୍ଣିମା । ଏହା କାର୍ତ୍ତିକ ବ୍ରତର ଉଦ୍ଯାପନ ଦିବସ । ସେଦିନ ଆବାଲ୍ୟ ବୃଦ୍ଧ ବନିତା ପ୍ରାତଃ ସ୍ନାନସାରି ଡ଼ଙ୍ଗା ଭସାଇବାକୁ ନଦୀ କୂଳକୁ ଯାଆନ୍ତି । କଦଳୀ ପଟୁକା ବା ସୋଲରେ ପ୍ରସ୍ତୁତ ଡ଼ଙ୍ଗାରେ ଦୀପଦାନ ଦେଇ ଡ଼ଙ୍ଗା ଭସାଇଦିଅନ୍ତି:ଆକାମାଭୈ ପାନଗୁଆ ଥୋଇ । ପାନଗୁଆଯାକ ତୋର, ମାସକ ଧରମ ମୋର, ଏମିତି ବାଣୀରେ । ଏହି ପଦ୍ୟଗୁଡ଼ିକ ଉଭୟ ପ୍ରାଚୀନ ବୋଉତ ବନ୍ଦାଣର ସ୍ମୃତି ଓ ମାସକଯାକ ଚାଲୁରଖିଥିବା ‘ରାଇଦାମୋଦର ବ୍ରତ’ର ଉଦ୍ଯାପନକୁ ବୁଝାଏ । ଏଇଠି ସରେ ଧର୍ମାର୍ଥେ ଆକାଶ ଦୀପ ଓ ତୁଳସୀ ପୂଜାର କାହାଣୀ । ପଂଚୁକରେ ପଡ଼େ ବଡ଼ଓଷା । ପଞ୍ଚୁକର ପାଞ୍ଚଦିନର ସକାଳ ଶୁଭ ଓ ପବିତ୍ର ବେଳାରେ ଆସେ ବୋଲି, ଏହି ଓଷାକୁ ଶ୍ରେଷ୍ଠ ବା ବଡ଼ଓଷା କୁହନ୍ତି । ଅନେକ ଦେବାଳୟ ସ୍ଥାନରେ ବଡ଼ଓଷା ଯାତ୍ରା ମହାସମାଗମରେ ପାଳିତ ହୁଏ । କାର୍ତ୍ତିକବ୍ରତ ମୁଖ୍ୟତଃ ବିଷ୍ଣୁ ଉପାସନାକାରଣରୁ ଏବଂ ତୁଳସା ତାଙ୍କ ଅତିପ୍ରିୟ ହେତୁ, ତୁଳସୀ ମୂଳେ ଚଉରାରେ ରଙ୍ଗବେରଙ୍ଗର ମୁରୁଜ ପକାଇ ଚିତ୍ରିତ କରାଯାଏ । ଏହି ଚିତ୍ର ମଧ୍ୟରେ ଥାଏ ଜୀଉମାନଙ୍କର ଚିତ୍ର, ଫୁଲ ଓ ଶଙ୍ଖର ଚିତ୍ର । ତୁଳସୀ ଚଉରାମୂଳେ ବୃନ୍ଦାବତୀଙ୍କ ପୂଜାହୁଏ । ଉଦ୍ଦେଶ୍ୟ ହେଲା ବୃନ୍ଦାବତୀଙ୍କ ମାଧ୍ୟମରେ ବିଷ୍ଣୁପ୍ରାପ୍ତି ।
ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା, ମୋ., ୯୯୩୮୩୪୪୧୩୮


