ମା ତାରିଣୀ ହେଲ୍ପିଙ୍ଗ୍ ହ୍ୟାଣ୍ଡସ୍ ପକ୍ଷରୁ ଆର୍ଥିକ ସହାୟତା
କୁଜଙ୍ଗ, (ପୀତବାସ ପ୍ରଧାନ):ଜଗତ୍ସିଂହପୁର ଜିଲ୍ଲା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମା’ ତାରିଣୀ ହେଲ୍ପିଙ୍ଗ୍ ହ୍ୟାଣ୍ଡସ୍ ତିର୍ତୋଲ ବ୍ଲକ୍ ଅନ୍ତର୍ଗତ ତେନ୍ତୁଲିପଦା ଗ୍ରାମର ଅସହାୟ କର୍କଟ ପିଡ଼ୀତା ଅଞ୍ଜଳି ସେଠୀଙ୍କୁ ଆର୍ଥିକ ସହାୟତାର ହାତ ବଢ଼ାଇଛନ୍ତି । ସୂଚନାଯୋଗ୍ୟ କି ଅଞ୍ଜଳି ସେଠୀଙ୍କ ସ୍ୱାମୀ ନୃସିଂହ ସେଠୀ ଜଣେ ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରନ୍ତି । କିଛି ବର୍ଷ ପୂର୍ବେ ନୃସିଂହ ନିଜ ବାପା ମାଙ୍କୁ ହରାଇଥିବା ବେଳେ ସାତ ମାସ ପୂର୍ବରୁ ତାଙ୍କ ନିଜ ଭଉଣୀଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି । ଏବେ ତାଙ୍କ ପତ୍ନୀ ଅଞ୍ଜଳି କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ରହିଛନ୍ତି । ତାଙ୍କ ଝିଅମାନଙ୍କ ପାଠ ପଢ଼ାରେ ଡୋରି ବନ୍ଧା ଯାଇଛି । ଅର୍ଥାଭାବରୁ ନା ପତ୍ନୀଙ୍କ ଚିକିତ୍ସା କରିପାରୁଛନ୍ତି ନା ପିଲା ମାନଙ୍କୁ ପାଠ ପଢାଇପାରୁଛନ୍ତି । ଏ ସଂପର୍କରେ ଖବର ପାଇ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ମା ତାରିଣୀ ହେଲ୍ପିଙ୍ଗ୍ ହ୍ୟାଣ୍ଡସ୍ର ସଭାପତି ଇଂ ଶଙ୍ଖେଶ୍ୱର ପ୍ରସାଦ ମହାନ୍ତି, ମହିଳା ସଦସ୍ୟ ସାଗରିକା ସାହାଣୀ, ଶେଷ ବସନ୍ତିଆ, ନାରାୟଣ ଦାସ, ସୌମ୍ୟ ରଞ୍ଜନ ଦାସ, ଶୁଭେନ୍ଦୁ ବରାଳ, ଶ୍ରୀକାନ୍ତ ସେନାପତି ପ୍ରମୁଖ ଅଞ୍ଜଳିଙ୍କ ଘରେ ପହଂଚି ତାଙ୍କୁ ୮ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।


