ବିଜେଡିରେ ଯୋଗ ଦେବା ପୂର୍ବରୁ ହତ୍ୟାର ଶିକାର ହେଲେ ପୂର୍ବତନ ବିଧାୟକ ପ୍ରାର୍ଥୀ, ଘଟଣାରେ ୩ ଗିରଫ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ ) : କେନ୍ଦୁଝର ଜିଲ୍ଲାର ଅତି ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଗଣିତ ଘଷିପୁରା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅବ୍ୟବହିତ ପୂର୍ବରୁ ହଣାକଟା ଆରମ୍ଭ ହୋଇଛି । ଜଣେ ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏପରିକି ହତ୍ୟାକାରୀମାନେ ଅନ୍ୟମାନଙ୍କୁ ଭୟଭୀତ କରିବା ଲକ୍ଷ୍ୟରେ ମୃତ ବ୍ୟକ୍ତିଙ୍କର ଗୋଟିଏ ହାତ କାଟି ନେଇ ଦାଣ୍ଡରେ ବୁଲିବା ଘଟଣା ଅଞ୍ଚଳର ସମ୍ବେଦନଶୀଳତାକୁ ବୟାନ କରୁଛି । ମିଳିଥିବା ଖବର ଅନୁସାରେ, କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନ ମଣ୍ଡଳୀ ଧକୋଠା ଗ୍ରାମର ରାମଚନ୍ଦ୍ର ବେହେରାଙ୍କୁ ସୋମବାର ବିଳମ୍ବିତ ରାତିରେ କେତେ ଜଣ ବ୍ୟକ୍ତି ଘରକୁ ଯାଇ ଡାକି ଥିଲେ । ସେ ବାହାରକୁ ଆସିବା ପରେ ସଂଘବଦ୍ଧ ଭାବେ ଦୂବୁର୍ତ୍ତମାନେ ରାମଚନ୍ଦ୍ରଙ୍କୁ ଖଣ୍ଡାରେ ଚୋଟ ପରେ ଚୋଟ ମାରିଥିଲେ । ଖଣ୍ଡା ଚୋଟରେ ରାମଚନ୍ଦ୍ରଙ୍କର ଗୋଟିଏ ହାତ ତଳେ ଛିଡି ପଡିଥିଲା । ଅନ୍ୟ ଗୋଟିଏ ହାତର ଆଙ୍ଗୁଳି ମଧ୍ୟ ଛିଣ୍ଡି ଯିବା ପରେ ଦୂବୁର୍ତ୍ତମାନେ ଗୋଡ ଦୁଇଟିକୁ ଚୋଟ ପରେ ଚୋଟ ମାରିବାରୁ ଶ୍ରୀ ବେହେରା ବିକଳରେ ଚିତ୍କାର କରି ତଳେ ପଡି ଯାଇଥିଲେ । ଚିତ୍କାର ଶୁଣି ତାଙ୍କ ଝିଅ ବାହାରକୁ ଦୌଡି ଆସି ବାପାଙ୍କର ଏପରି ଅବସ୍ଥା ଦେଖି ଚିତ୍କାର କରିଥିଲେ । ଲୋକେ ଆସିବା ଜାଣି ଦୁବୁର୍ତ୍ତମାନେ ଶ୍ରୀ ବେହେରାଙ୍କ କଟା ହାତକୁ ଧରି ଦାଣ୍ଡରେ ନାଚି ନାଚି ଫେରାର ହୋଇ ଯାଇଥିଲେ । ରାମଚନ୍ଦ୍ରଙ୍କୁ ମୁର୍ମୁଷୁ ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ନିର୍ବାଚନ ପୂର୍ବରୁ ଘଷିପୁରା ନିର୍ବାଚନ ମଣ୍ଡଳୀର ଏହା ପ୍ରଥମ ହତ୍ୟାକାଣ୍ଡ । ପ୍ରକାଶ ଯୋଗ୍ୟ ଯେ, ଧକୋଠାର ରାମଚନ୍ଦ୍ର ବେହେରା ପୂର୍ବରୁ କଂଗ୍ରେସ ଦଳର ଜଣେ ଜଣାଶୁଣା ନେତା ଥିବାବେଳେ ସେ ଆନନ୍ଦପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ମଧ୍ୟ ଥିଲେ । ଗତ ୨୦୧୪ ସାଧାରଣ ନିର୍ବାଚନରେ ସନା ସେନାଙ୍କ ସମର୍ଥନରେ ସେ ଘଷିପୁରା ନିର୍ବାଚନମଣ୍ଡଳୀରୁ ସ୍ୱାଧିନ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ସେହି ନିର୍ବାଚନରେ ଶ୍ରୀ ବେହେରା କଂଗ୍ରେସ ଦଳକୁ ମଧ୍ୟ ପଛରେ ପକାଇ ୧୫୮୪୯ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ସେ ଜଣେ ଦୃଢ ସଂଗଠକ ହୋଇଥିବା କାରଣରୁ ସବୁ ଦଳର ସେ ଦୃଷ୍ଟିରେ ଥିଲେ । ଏଭଳି ପରିସ୍ଥିତିରେ ଶ୍ରୀ ବେହେରା ବିଜେଡି ଦଳରେ ପତିଆରା ଥିବା ଜଣେ ନେତାଙ୍କ ଜରିଆରେ ମଙ୍ଗଳବାର ଦିନ ତାଙ୍କ ସମର୍ଥକମାନଙ୍କ ସହିତ ବିଜେଡି ଦଳରେ ମିଶିବାର କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମ କାରଣରୁ ଘଷିପୁରା ନିର୍ବାଚନ ମଣ୍ଡଳୀରେ ଆଉ ଜଣେ ବିଜେଡି ନେତାଙ୍କ ଆବିର୍ଭାବକୁ କେତେକଙ୍କ ପାଇଁ କଣ୍ଟା ହେବାକୁ ଯାଉଥିଲା । ତେଣୁ ତାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ସଫା କରି ଦିଆଯାଇଥିବା ସାଧାରଣରେ ଆଲୋଚନା ହେଉଛି । ତେବେ ଏହି ହତ୍ୟାକାଣ୍ଡକୁ ନେଇ ମୃତକଙ୍କ ସମର୍ଥକମାନେ୨୦ନଂ ଜାତୀୟ ରାଜପଥ ଅନେକ ସମୟ ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ । ଏହି ଘଟଣାରେ ଘଷିପୁରା ପୁଲିସ କେଶ ନଂ ୫୧ ତା ୨୬/୦୩/୨୦୧୯ ରେ ଏକ ମାମଲା ରୁଜୁ କରି ଦଫା ୩୦୨ ରେ ଅଭିଯୁକ୍ତମାନଙ୍କୁ ସନ୍ଧ୍ୟାବଟ ଜଙ୍ଗଲରୁ ଗିରଫ କରିଥିବା ଜଣାପଡିଛି । ଗିରଫମାନେ ଧକୋଠାର ବଡ ଏକତାଳି ଗ୍ରାମର ନିର ଓରଫ୍ ଅଜିତ ପୃଷ୍ଟି,ସଂଜୀବ ଓରଫ୍ ଚିଲ ପୃଷ୍ଟି,ପୂର୍ଣ୍ଣଚନ୍ଦ୍ର ଓରଫ୍ ଦୋଳଗୋବିନ୍ଦ ବୋଇତାଇ ପ୍ରମୁଖଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡ ପରେ ଧକୋଠା ଅଞ୍ଚଳରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ଜିଲା ପ୍ରଶାସନ ତରଫରୁ ବହୁ ବରିଷ୍ଠ ପଦାଧିକାରୀ,ପୁଲିସ ପଦାଧିକାରୀ ଏବଂ ୪ ପ୍ଲାଟୁନ ପୁଲିସ ଫୋର୍ସ ସେଠାରେ ମୃତୟନ ଥିବା ସୂଚନା ମିଳିଛି । ନିର୍ବାଚନ ଆସିଲେ ଘସିପୁରା ନିର୍ବାଚନ ମଣ୍ଡଳୀରେ ବାରମ୍ବାର ଆତଙ୍କରାଜ ହେଉଥିବାରୁ ଜିଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ