ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ପ୍ରଶାସନର ଶପଥ ପାଠ
ବାଲେଶ୍ୱର, (ସରୋଜ ପଣ୍ଡା) : ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଅବସରରେ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଏକ ଶପଥପାଠ କାର୍ଯ୍ୟକ୍ରମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ଅଧ୍ୟକ୍ଷତା କରିବା ସହ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କୁ ଏହି ଶପଥପାଠ କରାଇଥିଲେ । ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀଙ୍କ ସମେତ ଏନଡିଆରଏଫ ଓ ଓଡ୍ରାଫ ଯବାନମାନେ ଏଥିରେ ଯୋଗ ଦେଇ ବିପର୍ଯ୍ୟୟ ମୁକାବିଲା ପାଇଁ ସଚେତନତା ବୃଦ୍ଧି ସହ ନିଜ ଶକ୍ତି ଓ ସାମର୍ଥ୍ୟ ହିସାବରେ କାର୍ଯ୍ୟ କରିବା ଏବଂ ଉଦ୍ଧାର କାର୍ଯ୍ୟରେ ଅନ୍ୟକୁ ସାହାଯ୍ୟ କରିବା ନିମନ୍ତେ ଶପଥ ନେଇଥିଲେ । ବିପର୍ଯ୍ୟୟ ମୁକାବିଲା ସମ୍ପର୍କରେ ଉପଯୁକ୍ତ ପ୍ରଶିକ୍ଷଣ ପାଇଁ ପ୍ରତି ମାସରେ ତାଲିମ କାର୍ଯ୍ୟକ୍ରମ ଆୟୋଜନ ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଭିନ୍ନ ବିଭାଗ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ଟିମ ଭାବେ କାର୍ଯ୍ୟ କରିବା ଉପରେ ସେ ଗୁରୁତ ଦେଇଥିଲେ । ଚଳିତ ବର୍ଷର ପ୍ରସଙ୍ଗ “ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ପଞ୍ଚାୟତିରାଜ ଅନୁଷ୍ଠାନର କର୍ମୀ ବିପର୍ଯ୍ୟୟ ପ୍ରସ୍ତୁତିର ମେରୁଦଣ୍ଡ” ଉପରେ ଆଲୋକପାତ କରି ସେମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ଜିଲାପାଳ କହିଥିଲେ । ଏମିତିକି ବିପର୍ଯ୍ୟୟ ପରିଚାଳନାରେ ଉଭୟ ଏନଡିଆରଏଫ ଏବଂ ଓଡ୍ରାଫର କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ । ଜିଲା ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଭବେଶ କୁମାର ନାୟକ ଯୋଗ ଦେଇ ବିପର୍ଯ୍ୟୟ ପ୍ରସ୍ତୁତି ଓ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲା ଜରୁରୀକାଳୀ ଅଧିକାରୀ ରିଜୱାନା କଅକବଙ୍କ ସଂଯୋଜନାରେ ଆୟୋଜିତ ଏହି ଶପଥପାଠ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।