ସାମୁଦ୍ରିକ କଇଁଚ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ବନ୍ୟପ୍ରାଣୀ (ୱାଇଲ୍ଡ ଲାଇଫ) ପକ୍ଷରୁ ସାମୁଦ୍ରକି କଇଁଚ ସଂରକ୍ଷଣ ଓ ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଭେନ୍ୟା ପାରାଡାଇଜ କଲ୍ୟାଣମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକ ଶୁଧାଂଶୁ ଶେଖର ମିଶ୍ର ଉଦଘାଟନ କରିଥିଲେ । ବିଶ୍ୱର ଜଳ, ସ୍ଥଳ ଓ ଆକାଶରେ ଜୈବ ବିବିଧତାରେ ସନ୍ତୁଳନ ରକ୍ଷା ପାଇଁ ବରିଳ ପ୍ରଜାତି ପ୍ରାଣୀଙ୍କ ସୁରକ୍ଷା ଏକାନ୍ତ ଆବଶ୍ୟକ ବୋଲି ସେ କହିଥିଲେ । ବିଶେଷ କରି ସମୁଦ୍ରିକ କଇଁଛ (ଅଲିଭ ରିଡଲେ)ଙ୍କ ବଂଶବୃଦ୍ଧି ଓ ସେମାନଙ୍କ ସୁରକ୍ଷା ପାଇଁ ସବୁ ମହଲରୁ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ । ତେବେ ନିୟମ ଉଲଂଘନକାରୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବାଲେଶ୍ୱର ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ରଞ୍ଜନ କୁମାର ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିରଳ ସାମୁଦ୍ରିକ ଜୀବ ଅଲିଭ ରିଡଲେଙ୍କ ସୁରକ୍ଷା ଦାୟିତ୍ୱ ସମସ୍ତଙ୍କର ବୋଲି କହିଥିଲେ । ସେମାନଙ୍କ ବଂଶବୃଦ୍ଧି ଓ ସଂରକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିବା ବେଳେ ଏଥିପ୍ରତି ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଥିଲେ । ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଏଥିରେ ସଭାପତିତ୍ୱ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବନବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ସାମୁଦ୍ରିକ ପୁଲିସ, ତଟ ସୁରକ୍ଷା ବଳ, ମତ୍ସ୍ୟଜୀବୀ, ଟ୍ରଲର ସଂଘ ପ୍ରଭୃତି ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସେ କହିଥିଲେ । ଅବୌତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅଶ୍ୱିନୀ ଦାସ, ପୂର୍ବତନ ତତ୍ତ୍ୱାବଧାରକ ପ୍ରକାଶ ମର୍ଦ୍ଦରାଜ, ଟ୍ରଲର ସଂଘ କର୍ମକର୍ତ୍ତା କାମାକ୍ଷା ନାରାୟଣ ପ୍ରହରାଜ ପ୍ରମୁଖ ଏଥିରେ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବାଲେଶ୍ୱର ସହକାରୀ ବନ ସଂରକ୍ଷକ ଶରତ ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମରେ ଅତିିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ତପନ କୁମାର ପରିଡ଼ା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।