ସ୍ୱର୍ଗତ କବି ସମରେନ୍ଦ୍ର ନାୟକଙ୍କ ଜନ୍ମଦିବସରେ ସ୍ମୃତିଚାରଣ ସଭା

ବାଲେଶ୍ୱର,: ବିପ୍ଳବୀ କବି ସ୍ୱର୍ଗତ ସମରେନ୍ଦ୍ର ନାୟକଙ୍କ ୬୯ତମ ଜନ୍ମଦିନରେ ଏକ ସ୍ମୃତିସଭା ସ୍ଥାନୀୟ ନୃତ୍ୟ ସଂଗୀତ କଳା ମନ୍ଦିର ପରିସରରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସମାଜସେବୀ ଶରତଚନ୍ଦ୍ର ଦାଶ ଏହି ସ୍ମୃତିସଭାରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଡଃ ରାଧାରଞ୍ଜନ ପଟ୍ଟନାୟକ ସ୍ୱର୍ଗତ ନାୟକଙ୍କ ଦ୍ୱାରା ଲିଖିତ ବୈପ୍ଳବିକ ସାହିତ୍ୟସଂଭାର ଉପରେ ଆଲୋକପାତ କରିଥିଲେ । କବିଙ୍କ ଲେଖାଗୁଡ଼ିକ ସମାଜର ଦୁର୍ବଳ, ନିଷ୍ପେସିତ ମଣିଷର ସ୍ୱର ବୋଲି ଡଃ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ପୂର୍ବତନ ବିଧାୟକ ତଥା ବାମପନ୍ଥୀ ନେତା ପ୍ରଦୀପ୍ତ ପଣ୍ଡା କବି ସମରେନ୍ଦ୍ରଙ୍କ ସୃଷ୍ଟିର ପୃଷ୍ଠଭୂମିରେ ନୀଳଗିରି ପ୍ରଜାଆନ୍ଦୋଳନର ଅନ୍ୟତମ ନେତା ତଥା କବିଙ୍କ ପିତା ୰ ଗୋକୁଳାନନ୍ଦ ନାୟକଙ୍କ ଆଦର୍ଶ ମୁଖ୍ୟତଃ କବିଙ୍କ କଲମକୁ ପ୍ରଭାବିତ କରିଥିଲା ବୋଲି କହିଥିଲେ । କବିଙ୍କ ବଂଧୁ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ଅତୀତର ସ୍ମୃତିଚାରଣ କରି ସମରେନ୍ଦ୍ର ନାୟକଙ୍କ ସାଂଗଠନିକ ପାରଦର୍ଶିତା ଓଡ଼ିଶାର ବିପ୍ଳବୀ ସାହିତ୍ୟିକମାନଙ୍କୁ ସୁସଂଗଠିତ କରିବାରେ ଗତ ଅଶୀ ଦଶକରେ ବିଶେଷ ଭୂମିକା ଗ୍ରହଣକରି ‘ଗଣମୁକ୍ତି ଲେଖକ ସାମୁଖ୍ୟ’ ନାମରେ ଏକ ରାଜ୍ୟସ୍ତରୀୟ ସଂଗଠନ ଗଠନ କରିବାରେ ସହାୟକ ହୋଇଥିବାର କହିଥିଲେ । ଡା. ସନାତନ ଦାସ ଫକୀରମୋହନ ସାହିତ୍ୟ ପରିଷଦ ସଭାମାନଙ୍କରେ କବିଙ୍କ ବକ୍ତବ୍ୟ ସମ୍ପର୍କରେ ନିଜର ମତ ରଖିଥିଲେ । ସ୍ୱର୍ଗତଃ କବି ସମରେନ୍ଦ୍ରଙ୍କ ସାନଭାଇ ଅମରେନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କବିଙ୍କ ପରିବାର ସଦସ୍ୟଙ୍କ ସମେତ ବହୁ ସାହିତ୍ୟ ଅନୁରାଗୀ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ