ଚିକଲଖଣ୍ଡି ଗ୍ରାମରେ ଛତ୍ରପୁର ଥାନା ଆମ ପୋଲିସ୍ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) : ଆଗକୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ହେବ । ପଂଚାୟତ ଗୁଡିକରେ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା କରିବା ପାଇଁ ଏବେଠୁ ହିଁ ଉଦ୍ୟମ ଆରମ୍ଭ କରିଛି ଛତ୍ରପୁର ପୋଲିସ୍ । ଛତ୍ରପୁର ଥାନା ପୋଲିସ୍ ପକ୍ଷରୁ ଥାନା ଅଧିନରେ ଥିବା ବିଭିନ୍ନ ପଂଚାୟତ ଗୁଡିକରେ ଜନସାଧାରଣଙ୍କୁ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି କ୍ରମରେ ଛତ୍ରପୁର ବ୍ଲକର ଚିକଲଖଣ୍ଡି ଗ୍ରାମରେ ଛତ୍ରପୁର ଥାନା ଆମ ପୋଲିସ୍ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଂଚ ଡି. ଲକ୍ଷ୍ମୀ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମବାସୀଙ୍କୁ ବିଭିନ୍ନ ବିଷୟ ନେଇ ସଚେତନତା କରିଛନ୍ତି । ଆଗକୁ ପଂଚାୟତ ନିର୍ବାଚନ ରହିଛି । ଗ୍ରାମରେ ଯେଉଁ ମାନେ ବିଶୃଙ୍ଖଳା ସୃଷ୍ଠି କରିବେ ବୋଲି ଅନୁମାନ କରୁଛନ୍ତି ତେବେ ସେମାନଙ୍କ ବିଷୟରେ ପୋଲିସ୍ କୁ ସୂଚନା ଦେବା ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଗ୍ରାମରେ ଅସାମାଜିକ କାର୍ଯ୍ୟରେ ଜଡିତ ରହୁଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେବା ପାଇଁ କୁହାଯାଇଛି । ଏହା ସହ ମହିଳା ମାନଙ୍କ ସୁରକ୍ଷା, ଘରୋଇ ହିଂସା ରୋକିବା, ଗୁଣି ଗାରେଡି ସନ୍ଦେହ ରୋକିବା, କୋଭିଡ୍ ନିୟମ ମାନିବା ପାଇଁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଉପସ୍ଥିତ ଗ୍ରାମବାସୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ସମୟରେ ଗ୍ରାମବାସୀ ଓ ପୋଲିସ୍ଙ୍କ ସହ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବେ ତେବେ ପୋଲିସ୍ ଉଚିତ୍ ସମୟରେ ସହ ଯୋଗ କରିପାରିବ । ମହିଳା, ଶିଶୁ ଏବଂ ବୃଦ୍ଧ ବୃଦ୍ଧା ମାନଙ୍କୁ ସୁରକ୍ଷା ଦେବା ଲାଗି ପୋଲିସ୍ ଦିନ ରାତି କାମ କରୁଛି । ଏଥିପାଇଁ ଥାନାରେ ସ୍ୱତନ୍ତ୍ର କକ୍ଷ ରହିଛି । ଗ୍ରାମବାସୀ ପୋଲିସ୍ ସେବା କିଭଳି ସଠିକ୍ ସମୟରେ ପାଇପାରିବେ ତାହାକୁ ନେଇ ସଚେତନତା କରିବାକୁ ଥାଧିକାରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଥାନାର ଏସଆଇ ସିଲୁ ଧଳ, ପୂର୍ବତନ ସରପଂଚ ଡି. ରାମସ୍ୱାମୀ ରେଡ୍ଡି, ଗ୍ରାମ୍ୟ କମିଟିର ସଭାପତି ଏସ୍. କାନ୍ତେୟା ରେଡ୍ଡି, ବି. ଶଙ୍କର ରେଡ୍ଡି, ସିଲୁ ରାଉଳ, ହାଡୁ ରେଡ୍ଡି, ଜି. ହରେରାମ ରେଡ୍ଡି ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।


