ଧଳଜହର କବଳରେ ପର୍ଯ୍ୟଟନ ସ୍ଥଳୀ କୋଣାର୍କ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ତଥା ଆଖପାଖ ଅଞ୍ଚଳରେ ଦିନକୁ ଦିନ ଧଳଜହର ପେଣ୍ଠ ସ୍ଥଳୀ ପାଲଟିଥିବା ବେଳେ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ଯୁବ ପିଢି ଏହି ନିଶାର ଚକ୍ରବ୍ୟୁହରେ କବଳିତ ହୋଇପଡିଛି । ଖବରରୁ ପ୍ରକାଶ ଯେ ଦୈତ୍ୟନଗରୀ କଟକ ଓ ଭୁବନେଶ୍ୱର କମିଶନରେଟ ପୋଲିସିର ସ୍ୱତନ୍ତ୍ର ଟିମ ଦ୍ୱାରା ନିଶା ବେପାରୀଙ୍କ ଉପରେ ଜୋରଦାର ଚଢ଼ାଉ କରାଯାଇ ପ୍ରତ୍ୟେକ ଦିନ ଅନେକ ଗିରଫ ଓ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ ହେବାକୁ ନେଇ ନିଶାସମ୍ରାଜ୍ୟ ଚଳାଉଥିବା ନିଶାବେପାରିଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି କରିଛି । ଏବେ ସେମାନଙ୍କର ବେପାର ବଞ୍ଚାଇବା ନେଇ ଧଳଜହର ଗାଁ ମୁହାଁ ହୋଇ ନିଶା ସାମ୍ରାଜ୍ୟ କୁ ବିସ୍ତାର କରିବାରେ ଲାଗିପଡ଼ିଛନ୍ତି । ଏହାର ସୁଯୋଗ ନେଇ ବିଶ୍ୱ ପଯ୍ୟଟନ ସ୍ଥଳି କୋଣାର୍କରେ ବ୍ରାଉନସୁଗାର ବେପାରୀ ମାନେ ନିଜର ନିଶା ସାମ୍ରାଜ୍ୟର କାୟା ବିସ୍ତାର କରିବାରେ ଲାଗିପଡ଼ିଛନ୍ତି । ଏହାର କବଳରେ ଏବେ ଯୁବ ଗୋଷ୍ଠି ମାନେ କବଳିତ ହେବାର ଦେଖା ଦେଇଛି ।ମହମାରୀ ପରି ଯୁବଗୋଷ୍ଠି ଏହି ନିଶା ଖାଉଥିବାବେଳେ କୋଣାର୍କ ଅଂଛଳରେ ଆତଙ୍କର ବାତାବରଣ ସ୍ତୁଷ୍ଟି କରିଛି । ଚୋରି ଡକାୟତ, ରାହଜାନି ଭଳି ବିଭିନ୍ନ ଅସାମାଜିକ କାର୍ଯ୍ୟ ରେ ଏହି ନିଶାଖୋର ଯୁବ ଗୋଷ୍ଠି ମାନେ ଲିପ୍ତ ରହୁଥିବାର ପରିଲକ୍ଷିତ ହେଉଛି।ମହାମାରୀ ଭଳି ବ୍ୟାପି ଚାଲିଥିବା ଯୁବଗୋଷ୍ଟିଙ୍କ ମଧ୍ୟରେ ଏହି ନିଶା କାରବାରକୁ ନେଇ ସାଧାରଣ ରେ ଆଲୋଡନ ସୃଷ୍ଟି କରିଛି । ରାତାରାତି କୋଟିପତି ହେବାର ଲୋଭରେ ନିଶା ବେପାରି ମାନେ ଏହି ଯୁବଗୋଷ୍ଠୀକୁ ସ୍ଵପ୍ନ ଦେଖାଇ ନିଶା ଖୁଆଇବା ସହ ନିଶା ବ୍ୟବସାୟରେ ନିୟୋଜିତ କରି କୋଡୱାର୍ଡ ନିଶା କାରବାର କରି ବେଶ ମୋଟା ଅଙ୍କର ମୁନାଫା କମାଉଥିବା ଚର୍ଚ୍ଚା ହେଉଛି । କୋଣାର୍କ ଅଞ୍ଚଳର ଯୁବଗୋଷ୍ଠି, କଲେଜ ଛାତ୍ରଙ୍କ ସହ କିଛି ଗ୍ରାମର କମ ବୟସର ଯୁବକ ମାନେ ଏହି ଵ୍ୟବସାୟ ଓ ନିଶା କବଳରେ ପଡି ସେମାନଙ୍କର ଭବିଷ୍ୟତ ନଷ୍ଟ କରୁଥିବା ଦେଖିବାକୁ ମିଳୁଥିବାବେଳେ ଏହା ଅଞ୍ଚଳ ପାଇଁ ଚିନ୍ତାର କାରଣ ପାଲଟିଛି । ଏନେଇ ବିଭିନ୍ନ ସମୟରେ ପୋଲିସ ଓ ଅବକାରୀ ବିଭାଗ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ସମସ୍ତ ତଥ୍ୟ ଜାଣିଥିଲେ ମଧ୍ୟ ସାମାନ୍ୟ ଚଢ଼ାଉ କରି ଗୋଟେ ଯୋଡ଼େ ମାମଲା କରି ଚୁପଚାପ ହୋଇ ହୋଇ ବସିରହିବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।କୋଣାର୍କ ପରି ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳୀ ରେ ଏହି ବ୍ରାଉନସୁଗାର ନିଶାଡୀ ଓ ବେପାରି ମାନେ ପୋଲିସ ଓ ଅବକାରୀ ବିଭାଗକୁ ବେଖାତିରି କରି ପ୍ରତ୍ୟେକ ଦିନ ସ୍ପଷ୍ଟ ଦିବାଲୋକରେ ଖୁଲମ ଖୋଲା ସୂର୍ଯ୍ୟ ମନ୍ଦିର ବେଢା, ମାଧୀପୁର ଛକ,କେଲାସାହି ନିକଟସ୍ଥ ଜଙ୍ଗଲ, ଭଗବତୀ ନିକଟସ୍ଥ ଜଙ୍ଗଲ,ଚନ୍ଦ୍ରଭଗା ଜଙ୍ଗଲ ଇଟାରୋଡ, ମାଉସୀମାସାହି, ହେଲିପ୍ୟାଡ଼, ମଙ୍ଗୁଳିଶ୍ୱର ମନ୍ଦିର ନିକଟସ୍ଥ ଖୀରଖିଆ ହନୁମାନ ମନ୍ଦିର ପାଖ,କୋଣାର୍କ ବସଷ୍ଟାଣ୍ଡ ପରି ବିଭିନ୍ନ ଜାଗାରେ ଏମାନେ ଆଡା ଜମାଇ ନିଶା କାରବାର ସହିତ ବ୍ରାଉନସୁଗାର ଖାଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏଠି ଖଟି ଜମାଉଥିବାର ସାଧାରଣରେ ଆଲୋଚନା ସହ ସର୍ବସାଧାରଣରେ ଦୃଷ୍ଟିଗୋଚର ହେଉଛି । ଏନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ସତ୍ୱେ ଅବକାରୀ ବିଭାଗ ପକ୍ଷରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଅ ନଯାଇ କେବଳ ଲୋକଦେଖାଣିଆ ଭାବେ କେତେକ ଏହି ନିଶା ଖାଉଥିବା ଯୁବକଙ୍କୁ ଉଠାଇ ନେଇ ମାମଲା କରି ଛାଡ଼ିଦେଉଥିବା ଦେଖାଯାଉଛି । ପୁରୀଅବକାରୀ ବିଭାଗରେ ଦକ୍ଷ ଅଫିସରଙ୍କ ଅଭାବକୁ ନେଇ ଏବେ ସମଗ୍ର ପୁରୀ ଜିଲ୍ଲା ର ପ୍ରତ୍ୟେକ ଗ୍ରାମରେ ବିଶେଷ ଭାବେ କୋଣାର୍କ ତଥା ଆଖପାଖ ଅଞ୍ଚଳ ଶିରିପୁର,ଅନସରା, ଆମ୍ବିଳିଗାଁ, କୁରୁଜଙ୍ଗ, ବାଲିଦୋକାନ ଜୁଣେଇ,ମାଙ୍କରଗୋଡି ଭଳି ଗ୍ରାମଗୁଡିକରେ ଛତୁଫୁଟିଲାପରି ଏହି ନିଶା କାରବାର ଚାଲିଛି। ଏହି ଧଳାଜହର ବ୍ରାଉନ ସୁଗାର ବିକ୍ରି ହେବାସହ ଗ୍ରାମର ଏହି ନିରୀହ ଯୁବକ ନିଶାକବଳରେ ପଡି ନିଜ ଭବିଷ୍ୟତ ନଷ୍ଟ କରିବା ସହିତ ସମାଜର ଅପରୁଣୀୟ କ୍ଷତି କରିଚାଲିଛନ୍ତି । ଯୁବଗୋଷ୍ଠିଙ୍କର ଏପରି ଅବସ୍ଥାକୁ ନେଇ କୋଣାର୍କ ବୁଦ୍ଧିଜୀବୀଙ୍କର ଯୁବ ଗୋଷ୍ଠୀ ଙ୍କ ଭବିଷ୍ୟତ ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି । ବେଳହୁଁ ଥାଉ ଥାଉ ସ୍ଥିତି ନ ସୁଧାରିଲେ ଆଗାମୀ ଦିନରେ ପ୍ରଶାସନ ପାଇଁ ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିବ ଏଥିରେ ଦ୍ୱିମତ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । କୌଣସି ବଡ ଅଘଟଣ ଘଟିବା ପୂର୍ବରୁ କୋଣାର୍କ ପୋଲିସ ଓ ଅବକାରୀ ବିଭାଗ ସଜାଗ ହୋଇ ମିଳିତ ଭାବେ ଦୈତ୍ୟନଗରୀ କଟକ ଓ ଭୁବନେଶ୍ୱର କମିଶନର ପୋଲିସି ପରି ଏକ ସ୍ବତନ୍ତ ଟିମି ଗଠନ କରି ଦୃଢ଼ ପଦକ୍ଷେପ ନେଇ ଉକ୍ତ ନିଶାଡୀ ଓ ନିଶା ବେପାରୀ ମାନଙ୍କୁ ଗିରଫ କରିବାକୁ ସାଧାରଣରେ ଦାବିହେଉଛି ।