ନାଉଗାଁରେ ଏଆଇଡିୱାଇଓ ର ଯୁବ ସମ୍ମିଳନୀ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ବିପ୍ଲବୀ ଯୁବ ସଂଗଠନ ଏଆଇଡିୱାଇଓ ର ନାଉଗାଁ ଆଂଚଳିକ ଯୁବ ସଂଗଠନ ପକ୍ଷରୁ ଏକ ଯୁବ ସମ୍ମିଳନୀ ତିରୁଣା ପଂଚାୟତର ତେଂଟୋଇ ଗ୍ରାମରେ ସମାଜସେବୀ ସୁବାସ ସ୍ୱାଇଁଙ୍କ ସଭାପତିତ୍ୱରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏସୟୁସିଆଇ(କମ୍ୟୁନିଷ୍ଟ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ କ୍ରମେଡ ସଦାଶିବ ଦାସ ଅନଲାଇନ ଯୋଗେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଏଆଇଡିୱାଇଓ ରାଜ୍ୟ ଉପସଭାପତି କମ୍ରେଡ ମାନସ ପାଳ ଯୋଗ ଦେଇ ସାଂପ୍ରତିକ ପରିସ୍ଥିତି ସଂର୍ପକରେ ଆଲୋଚନା କରିବା ସହିତ ବ୍ୟାପକ ସଚେତନତା ମାଧ୍ୟମରେ ଗଣଆନ୍ଦୋଳନ ଗଢି ତୋଳିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ଜନସ୍ୱାର୍ଥ କମିଟିର ଉପସଭାପତି ରାଜକିଶୋର ସାମଲ,ଏସୟୁସିଆଇ(ସି) ନାଉଗାଁ ଆଂଚଳିକ କମିଟି ସଂପାଦକ ମହେଶ୍ୱର ଦାସ, ସଂଗ୍ରାମ କେଶରୀ ସାହୁ, ବାବାଜୀ କାଣ୍ଡି, ରଘୁନାଥ ଦାସ, ରଂଜିତ ଜେନା ପ୍ରମୁଖ ସାମିଲ ହୋଇ ନିଜର ମତ ପ୍ରକାଶ କରିଥିଲେ । ଏଥିରେ ୧୧ଦଫା ଦାବି ସଂର୍ପକରେ ଗୁରୁତ୍ୱାରୋପ କରାଯାଇଥିଲା । ସମସ୍ତ ବେକାରୀଙ୍କୁ ନିଯୁକ୍ତି ଏବଂ ନିଯୁକ୍ତି ଦେବା ପର୍ଯ୍ୟନ୍ତ ବେକାରୀ ଭତା ପ୍ରଦାନ, ଶିକ୍ଷା, ସ୍ୱାସ୍ଥ୍ୟ ସମେତ ସମସ୍ତ ସରକାରୀ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ କରିବା, ସରକାରୀ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ମାଦକ ଦ୍ରବ୍ୟକୁ ସଂପୂର୍ଣ୍ଣ ବନ୍ଦ କରିବା, ଅଶ୍ଲିଳତା ଓ ଅପସଂସ୍କୃତିର ପ୍ରଚାର ପ୍ରସାର ବନ୍ଦ କରିବା, ବାଉଶାଁ ଯୋଡି ଦେବୀନଦୀ ସଂଯୋଗ ସ୍ଲୁଇସ ଗେଟ୍ ସଂପ୍ରସାରଣ କରି ୧୦ଟି ଫାଟକ ନିର୍ମାଣ କରିଯିବା, ବ୍ଲକ ଅଫିସ ଠାରୁ ତହସିଲ ଅଫିସ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ କରାଯିବା ଆଦି ୧୧ ଦଫା ଦାବି ରହିଥିଲା । ଶେଷରେ ଏଆଇଡିୱାଇଓ ର ନାଉଗାଁ ଆଂଚଳିକ କମିଟି ସଭାପତି କବିର ବିଶ୍ୱାଳ ଶରୀର ଅସୁସ୍ଥତା କାରଣରୁ ନିଜ ପଦରୁ ଓହରିବା ପରେ ନୂତନ ସଭାପତି ଭାବେ ରୋହିତ କୁମାର ଓଝା ଓ ସଂପାଦକ ଭାବେ ବୀର କିଶୋର ମଲ୍ଲିକଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।