ଜିଲା କଂଗ୍ରେସ କମିଟି ପକ୍ଷରୁ ବାଲେଶ୍ୱରରେ ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା) : ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ଉଚିତ ନ୍ୟାୟ ଦାବିରେ ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ଆହ୍ୱାନ ବାଲେଶ୍ୱରରେ ଶୁକ୍ରବାର ହରତାଳ ଅନୁଷ୍ଠିତ ହୋଯାଇଛି । ଉଚ୍ଚ ନ୍ୟାୟାଳୟଙ୍କ ଅଙ୍କୁଶ ପରେ ପୂର୍ବରୁ ଡାକରା ଦିଆଯାଇଥିବା ଓଡ଼ିଶା ବନ୍ଦକୁ ବାତିଲ ସହ ହରତାଳକୁ ପରିବର୍ତ୍ତନ କରାଯାଇଥିଲା । ୬ ଘଣ୍ଟିଆ ସ୍ୱେଚ୍ଛାକୃତ ବନ୍ଦ ପାଳନ ପାଇଁ ପିସିସି ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା । ଏହି କ୍ରମରେ ବାଲେଶ୍ୱର ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଦଳୀୟ ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଅୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ନେତା ନବଜ୍ୟୋତି ପଟ୍ଟନାୟକ ଯୋଗଦେଇ ସ୍ୱେଚ୍ଛାକୃତ ବନ୍ଦ ପାଳନରେ ଜନସାଧାରଣଙ୍କ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ । ପିସିସି ବନ୍ଦ ଡାକରାକୁ ଡରି ରାଜ୍ୟ ସରକାର ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ବି ଜନସାଧାରଣ ସ୍ୱଇଚ୍ଛାରେ କଂଗ୍ରେସକୁ ସମର୍ଥନ ଦେଇଥିବା ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । ଶିକ୍ଷୟତ୍ରୀ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଲୋକଙ୍କ ମତକୁ ସମ୍ମାନ ଦେଖାଇ ରାଜ୍ୟ ସରକାର ତୁରନ୍ତ ମନ୍ତ୍ରୀ ବିଦ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହ ସିବିଆଇ ତଦନ୍ତ କରାଇବାକୁ ସେ ଦାବି କରିଥିଲେ । ବାଲେଶ୍ୱର ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ସଦର କଂଗ୍ରେସ ନେତ୍ରୀ ମମତା କୁଣ୍ଡୁ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ଜିଲା କଂଗ୍ରେସ କମିଟି ସମ୍ପାଦକ ପଶୁପତି ଉପାଧ୍ୟାୟ, ଜିଲା ଯୁବ କଂଗ୍ରେସ ସଭାପତି ରଂଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ ପ୍ରମୁଖ ଯୋଗଦେଇ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରା ନଯିବା ଦୁର୍ଭାଗ୍ୟର ବିଷୟ ବୋଲି କହିଥିଲେ । ମହିଳା ସଶକ୍ତୀରଣ ନାମରେ ଡିଣ୍ଡିମ ପିଟୁଥିବା ନବୀନ ସରକାରଙ୍କ ଶାସନରେ ନାରୀ ଅତ୍ୟାଚାରରେ ସମ୍ପୃକ୍ତ ଥିବା ନେତା ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା କେତେଦୂର ଯଥାର୍ଥ କି ବୋଲି ସେମାନେ ପ୍ରଶ୍ନ କରିଥିଲେ । ଏହା ଦ୍ୱାରା ଆଇନ ଶୃଙ୍ଖଳା ଉପରୁ ଜନସାଧାରଣଙ୍କ ବିଶ୍ୱାସ ତୁଟି ଗଲାଣି । ଏନେଇ ମୁଖ୍ୟମନ୍ତ୍ରୀ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ କଂଗ୍ରେସ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି କଂଗ୍ରେସ ନେତାମାନେ ଚେତାବନୀ ଦେଇଥିଲେ । ଏହି ବିକ୍ଷୋଭ ସମାବେଶରେ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ କର୍ମୀ ଓ ସମର୍ଥକ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ