ଆର୍ଯ୍ୟପଲ୍ଲୀ ଓଡିଆରପି କଲୋନୀ ଓ କତୁରୁ ଗ୍ରାମ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକରେ ଥିବା ଆର୍ଯ୍ୟପଲ୍ଲୀ ଗ୍ରାମର ଓଡିଆରପି କଲୋନୀ, କତୁରୁ ଗ୍ରାମ ମୁଖ୍ୟ ରାସ୍ତା ସହ ଘରେ ପାଣି ପଶି ଆସବାବପତ୍ର ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ମତ୍ସ୍ୟଜିବୀ ନେତା ପି.ରାମାବାବୁ , ଏନ.ଦୀନବନ୍ଧୁ , ଚାଷୀ ନେତା ସିମାଞ୍ଚଳ ନାହାକ ଙ୍କ ସମେତ ବହୁ ଅଂଚଳବାସୀ ଦାବି କରିଛନ୍ତି । ସେହିପରି ଛତ୍ରପୁର ସହରର କୋର୍ଟ ଷ୍ଟେସନ ସାହି, ବିଦ୍ୟାଧର ନଗର, ଶାନ୍ତି ନଗର, ଲୋୟାର ବସଷ୍ଟାଣ୍ଡ ସମେତ ବିଭିନ୍ନ ଗଳିକନ୍ଦିରେ ବର୍ଷା ପାଣି ପଶି ବେହାଲ ରହିଛି । କେଉଁଠି ଘରେ ପାଣି ପଶିଗଲାଣି ତ ଆଉ କୋଉଠି ଚାଷ ଜମିରେ ପାଣି ପଶି ଧାନ ଫସଲକୁ ଉଜାଡି ଦେଲାଣି । ଖାଲି ସହର ନୁହେଁ ଛତ୍ରପୁର ବ୍ଲକର ବିଭିନ୍ନ ତଳିଆ ଅଂଚଳ ଗୁଡିକରେ ବର୍ଷା ପାଣି ପଶି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଛତ୍ରପୁର ଉପଖଣ୍ଡରେ ଥିବା ବିରିପୁର ଗ୍ରାମର ଚାଷଜମି ଗୁଡିକ ପାଣି ଘେରରେ ରହି ଧାନ ଫସଲ ଗୁଡିକୁ ଉଜାଡି ଦେଇଥିବା ଦେଖିବାକୁ ମିଳିଛି ।


