ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ସଜବାଜ
ହାଟଡିହି, (ବିକାଶ ବିଶ୍ୱାଳ ) : ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ଆଉ ଅଳ୍ପଦିନ ବାକିଥିବାବେଳେ ନିର୍ବାଚନ ବୈତରଣୀ ପାର ହେବାଲାଗି ବିଜେଡି ପକ୍ଷରୁ ସଜବାଜ ଆରମ୍ଭ ହୋଇଗଲାଣି । ଏଥିଲାଗି ୪ଦିନ ଧରି ବିଜେଡିର ପର୍ଯ୍ୟବେକ୍ଷକ ଖଣ୍ଡପଡାର ପୁର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଆନନ୍ଦପୁରରେ ଉପସ୍ଥିତ ରହି ବିଧାୟକ ଭାଗିରଥି ସେଠୀଙ୍କ ଉପସ୍ଥିତିରେ ହାଟଡିହିବ୍ଲକର ୪ଟିଯାକ ଜୋନର ସମସ୍ତ ପଞ୍ଚାୟତ କର୍ମୀ ମାନଙ୍କୁ ଡାକି ଆଲୋଚନା ପର୍ଯ୍ୟାଲୋଚନା କରିଛନ୍ତି । ନିର୍ବାଚନକୁ ଆଖିଆଗରେ ରଖି ପ୍ରତି ୱାର୍ଡରୁ ୩ଜଣ ଲେଖାଏଁ ଦଳୀୟ କର୍ମୀଙ୍କୁ ନେଇ ପଞ୍ଚାୟତସ୍ତରୀୟ କମିଟି ଗଠନ କରାଯାଇଛି । ପଞ୍ଚାୟତରେ କାହାକୁ ସରପଞ୍ଚ ଓ କାହାକୁ ସମିତିସଭ୍ୟ ପ୍ରାର୍ଥୀ କରାଯିବ ତାହା ଏହି କମିଟି ଜରିଆରେ ଧାର୍ଯ୍ୟ କରାଯିବାର ନିଷ୍ପତି ହୋଇଛି । ଏହି ବୈଠକରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ବରିଷ୍ଠ ନେତା ବିଜୟ ରାଉତ ପ୍ରମୁଖ ଉପସ୍ଥିତ ଥିବାବେଳେ ପ୍ରତ୍ୟେକ ପଞ୍ଚାୟତର ବିଜେଡି ସଭାପତିମାନେ ଯୋଗଦେଇଥିଲେ ।