ଆଶା ଓ ଆଶାସାଥୀ ସଂଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ସାରା ଦେଶରେ ଚାଲୁଥିବା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନରେ ଆଶା କର୍ମୀ ଓ ଆଶାସାଥୀମାନଙ୍କ ପ୍ରୋତ୍ସାହନ ରାଶି ଦୁଇଗୁଣା କରିବା ପାଇଁ ଘୋଷଣା ହୋଇଥିଲେ ସୁଦ୍ଧା ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ । ଏନେଇ ଶୁକ୍ରବାର ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଓଡିଶା ରାଜ୍ୟ ଆଶା ଓ ଆଶା ସାଥୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପରେ ଦେଶର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ସଂଘର ଦାବି ଅନୁସାରେ ୨୦୧୮ ମସିହା ସେପ୍ଟେମ୍ବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଆଶାକର୍ମୀ ଓ ଆଶାସାଥୀଙ୍କ ପ୍ରୋତ୍ସାହନ ରାଶି ଦୁଇ ଗୁଣା କରିବା ପାଇଁ ଘୋଷଣା କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରାଳୟ ମାତ୍ର ଏକ ହଜାର ଟଙ୍କା ବୃଦ୍ଧି କରିଥିବାରୁ ଆଶାକର୍ମୀ ଓ ଆଶାସାଥୀ ମଧ୍ୟରେ ହତାସର ଭାବନା ପରିଲିକ୍ଷିତ ହୋଇଥିଲା । ଯେବେଠାରୁ ଆଶାକର୍ମୀମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି ସେବେଠାରୁ ପୂର୍ବାପେକ୍ଷା ମାତୃ ଓ ଶିଶୁ ମୃତ୍ୟୁ ହାର କମିବାରେ ଲାଗିଛି ଏବଂ ସମାଜରେ ତଳସ୍ଥଳରେ ରହୁଥିବା ଲୋକମାନଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚିପାରିଛି ବୋଲି ସଂଘ କହିଛି । ଆଶାକର୍ମୀ ଓ ଆଶା ସାଥୀମାନଙ୍କ ମାଧ୍ୟମରେ ଗ୍ରାମୀଣ ଓ ସହରାଞ୍ଚଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ କରାଇବା, ପ୍ରାଥମିକ ଚିକିତ୍ସା ସେବା ଯୋଗାଇବାଦେବା, ଯେ କୌଣସି ଜଟିଳତା ସମୟରେ ସହଯୋଗ କରିବା ସହ ଚିକିତ୍ସାଳୟରେ ପହଞ୍ଚାଇବା, ଲୋକମାନଙ୍କୁ ପରିସ୍କାର ପରିଚ୍ଛନ୍ନତାର ମହତ୍ତ୍ୱ ବୁଝାଇବା ଆଦି ସବୁ କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ସେମାନଙ୍କ ସମସ୍ୟା ସରକାର କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ । ଏହି ବିକ୍ଷୋଭରେ କୁମୁଦିନୀ ପ୍ରଧାନ, ବି.ଲଳିତା ଦୋରା, ଉର୍ମିଳା ପ୍ରଧାନ, ସୁଚିତ୍ରା ଆଚାରୀ, ସସ୍ମିତା ବେହେରା, ଲକ୍ଷୀ ୍ମସେଠୀ ,ଗୀତା ପଲେଇଙ୍କ ସମେତ ବହୁ ସଂଖ୍ୟାରେ ସଂଘର ସଦସ୍ୟାମାନେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ