ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଣ୍ଡାମାଡ଼

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଦ୍ୟାଳୟ ରୁପାନ୍ତରୀକରଣ କାର୍ଯକ୍ରମରେ ଯୋଗଦେବାକୁ ଆସିଥିବା ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜେପି ପକ୍ଷରୁ ଅଣ୍ଡାମାଡ କରାଯାଇଛି । ମନ୍ତ୍ରୀ ଶ୍ରୀ ଜେନା ତିନିମୁହାଣୀ ଛକ ଦେଇ ସର୍କିଟ୍ ହାଉସକୁ ଯାଉଥିବା ବେଳେ ଅପରାହ୍ଣ ପ୍ରାୟ ସାଢେ ୪ଟା ସମୟରେ ବିଜେପି କର୍ମୀମାନେ ଗୁଲନଗର ଛକରେ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ଼ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନାଙ୍କୁ କେନ୍ଦ୍ରାପଡ଼ାରେ ସ୍ୱାଗତ କରିବା ପାଇଁ ଦୁହୁରିଆ ନିକଟସ୍ଥ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ଡିଜିଟାଲ କାର୍ଯ୍ୟାଳୟରେ ଅପେକ୍ଷା କରିଥିଲେ ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ବେହେରା, ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା, ନଗର ସଭାପତି ଯଯାତି କେଶରୀ ମହାନ୍ତି, ବିଜେଡି ରାଜ୍ୟ ଯୁଗ୍ମ ସଂପାଦକ ରାଜେଶ ପଣ୍ଡା ଓ ଜିଲ୍ଲା ଯୁବ ସଭାପତି ରାଜେଶ ଦାସଙ୍କ ସମେତ ବିଜେଡି କର୍ମୀମାନେ । ମନ୍ତ୍ରୀ ପହଞ୍ଚିବା ପରେ ବାଇକ ଶୋଭାଯାତ୍ରା କରି ସର୍କିଟ୍ ହାଉସକୁ ବିଜେଡି ନେତା ଓ କର୍ମୀମାନେ ପାଛୋଟି ନେଉଥିଲେ । କିନ୍ତୁ ମନ୍ତ୍ରୀଙ୍କୁ ଅଣ୍ଡାମାଡ କରିବା ପାଇଁ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ଓ ମହିଳା ମୋର୍ଚ୍ଚା କର୍ମୀମାନେ ଗୁଲନଗର ଛକରେ ଛକି ରହିଥିଲେ । ସେଠାରେ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିଲେ । ମନ୍ତ୍ରୀଙ୍କ ଗାଡି ପଛକୁ ଥିଲା କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଗାଡି । ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତକୁ ବିରୋଧ କରିବା ପାଇଁ ବିଜେପି ପୂର୍ବରୁ ଯୋଜନା କରିଥିଲା । ଏହା ଜାଣିପାରି ମନ୍ତ୍ରୀ କେନ୍ଦ୍ରାପଡ଼ା ଆସିବା ପୂର୍ବରୁ ଗୁଲନଗର ନିକଟ ମାରୁତି ଛକରୁ ଯୁବମୋର୍ଚ୍ଚା ସଭାପତି ବିନ୍ଦୁ ସାଗର ଦାସ, ଉପସଭାପତି ଶୋଭନ ଆଚାର୍ଯ୍ୟ, ସମ୍ପାଦକ ରତିରଞ୍ଜନ ଜେନା, ନଗର ସାଧାରଣ ସମ୍ପାଦକ ସିଦ୍ଧାର୍ଥ ସିଂହଙ୍କୁ ପୁଲିସ ବଳପୂର୍ବକ ଉଠାଇ ନେଇଥିଲା । ତେଣୁ କର୍ମୀମାନେ ଅଧିକ ଉତ୍ତ୍ୟକ୍ତ ହୋଇ ଅଣ୍ଡାମାଡ଼ କରିବା ପାଇଁ ଯୋଜନା କରିଥିଲେ । ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଆଇନ୍ ମନ୍ତ୍ରୀ ତାଙ୍କ ଭୂମିକା ଠିକ ଭାବେ ନିଭାଇ ନାହାଁନ୍ତି । ରାଜ୍ୟରେ ନାରୀମାନେ ଅସୁରକ୍ଷିତ ହୋଇ ପଡିଛନ୍ତି, ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇ ପଡିଛି । ଏହାକୁ ବିରୋଧ କରି ମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ କରାଗଲା ବୋଲି ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ