ଗାଁକୁ ରାସ୍ତା ନଥିବାରୁ ୩ କିମି ଭାରରେ ବୁହା ହେଲା ପ୍ରସୂତି ମହିଳା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲାରେ ବିଭିନ୍ନ ସମୟରେ ସରକାରଙ୍କ ଅନେକ ଯୋଜନା ବାଟବଣା ହେଉଛି । ସରକାରଙ୍କ ସ୍ୱାସ୍ଥ୍ୟ ଦ୍ୟବସ୍ଥା ଠାରୁ ଆରମ୍ଭ କରି ରାସ୍ତା ନିର୍ମାଣ, ଆମ୍ବଲେନ୍ସ ସେବା ପହଞ୍ଚି ପାରୁନି ଦୁର୍ଗମ ଅଞ୍ଚଳରେ । ଏଭଳି ଏକ ଘଟଣା ଘଟିଛି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ହୁଏରି ଗ୍ରାମରେ। ରାସ୍ତା ନଥିବାରୁ ପ୍ରସୂତି ମହିଳା ଓ ନବ ଜାତ ଶିଶୁକୁ ୩ କିମି ଭାରରେ ବୋହି ମେଡ଼ିକାଲକୁ ଆଣିଲେ ପରିବାର ଲୋକେ । ଏଭଳି ଏକ ଅଭବନୀୟ ଘଟଣା ଅଞ୍ଚଳର ଲୋକଙ୍କ ମନରେ ଦୁଃଖ ଆଣିଦେଇଛି । ପ୍ରଶାନ୍ତ ମଲ୍ଲିକଙ୍କ ପତ୍ନୀ ଶଙ୍କୁନ୍ତଳା ମଲ୍ଲିକ ଗତ ୧୫ ତାରିଖ ରାତିରେ ଗାଁରେ ଏକ ପୁତ୍ର ସନ୍ତାନ ପ୍ରସବ ହେବା ପରେ ତାଙ୍କର ରକ୍ତସ୍ରାବ ଅତ୍ୟଧିକ ହେବାରୁ ଗୁରୁତର ହୋଇଗଲେ । ଶୁକ୍ରବାର ଦିନ ସକାଳେ ଗୁରୁତର ଅବସ୍ଥାରେ ଭଲ ରାସ୍ତା ନ ଥିବାରୁ ପରିବାର ଲୋକେ ବହୁ କଷ୍ଟରେ ବାଧ୍ୟ ହୋଇ ୩ କିଲୋମିଟର ପାହାଡିଆ ଘାଟି ରାସ୍ତାରେ ଭାର କରି ଗଣ୍ଡାପଦର ଯାଏଁ ଚାଲି ଚାଲି ଆଣିବା ପରେ ସେଠାରୁ ଏକ ଅଟୋ ଭଡା କରି ସ୍ଵାସ୍ୟୁ କେନ୍ଦ୍ରକୁ ଆଣି ଭର୍ତି କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ତାଙ୍କ ପାଖରେ ଅର୍ଥ ଅଭାବ ଥିବାରୁ ୧୦୮କୁ ଯୋଗାଯୋଗ କରିଥିଲେ କିନ୍ତୁ ୧୦୮ସେବା ତାଙ୍କୁ ସାହାର୍ଯ୍ୟ କରିବା ବଦଳରେ ଫୋନ କାଟିଦେଇଥିଲେ । ଏପରିକି ଜନନୀ ସେବା ମଧ୍ୟ ପ୍ରସ୍ତୁତିଙ୍କୁ ମିଳିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶେଷରେ ଡାକ୍ତର ଅମୃତ ରାଜ ଜେନା ରୋଗୀକଲ୍ୟାଣ ସମିତି ଅଧିନରେ ଥିବା ଗାଡି ଡାକି ତାଙ୍କୁ ବ୍ରହ୍ମପୁର ପଠାଇଥିଲେ। ଆଗରୁ ମଧ୍ୟ ଏହି ଗ୍ରାମରେ ରାସ୍ତା ନଥିବାରୁ ଏଭଳି ଗର୍ଭବତୀ ମହିଳାଙ୍କୁ ଭାର କରି ମୋହନା ଆଣିବା ବେଳେ ପାହାଡିଆ ରାସ୍ତାରେ ପ୍ରସ୍ତୁତିଙ୍କ ମୃତ୍ୟୁ ଘଟିଥିବା ନଜିର ରହିଛି। ତଥାପି ସରକାରଙ୍କ ନଜର ଏହି ଗାଁ ଉପରେ ପଡ଼ୁନଥିବା ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି ।


