ଆମ ପରମ୍ପରାରେ ଓଷାବ୍ରତ

ବିପିନ ବିହାରୀ ମହାନ୍ତି
ବାରମାସ ମଧ୍ୟରେ କାର୍ତ୍ତିକ ମାସଟି ପବିତ୍ର ଓ ଶ୍ରେଷ୍ଠ । ବ୍ରତୀମାନେ ଏହିମାସରେ କାର୍ତ୍ତିକ ବ୍ରତ କରନ୍ତି । କାର୍ତ୍ତିକ ମାସରେ ସ୍ନାନ ଓ ଦୀପଦାନ ମହାପୂଣ୍ୟ ବୋଲି ବିଚାର କରାଯାଏ । ଏ ମାସର ଅନ୍ୟାନ୍ୟ ପର୍ବ ଓ ଓଷାବ୍ରତ ମଧ୍ୟରେ ଅଛନ୍ତି ଗର୍ଭଣା ସଂକ୍ରାନ୍ତି, ନାଗ ଚତୁର୍ଥୀ, କାଳୀପୂଜା, ଦୀପାବଳି, ଅଁଳା ନବମୀ, ପଞ୍ଚୁକ, ଉତ୍‌ଥାପନ ଏକାଦଶୀ, ବଡ଼ଓଷା, ବୋଇତ ବନ୍ଦାଣ ଉତ୍ସବ ଏବଂ କାର୍ତ୍ତିକ ବା ରାସପୂର୍ଣ୍ଣିମା ।
ଶାସ୍ତ୍ରରେ ଅଛି, ଯେଉଁମାନେ ମାସ ସାରା ଧର୍ମାଚରଣ କରି ନପାରନ୍ତି, ସେମାନେ କାର୍ତ୍ତିକର ଶେଷ ପାଞ୍ଚଦିନ ପାଳନ କଲେ ମାସକର ଫଳ ପାଇବେ । ପଞ୍ଚୁକର ଶେଷ ଦୁଇଦିନକୁ କୁହନ୍ତି ବଡ଼ଓଷା । ଏହାକୁ ବଡ଼ଓଷା କହିବାର ଅର୍ଥହେଲା ଏହି ଯେ ଏହା ଓଷା ମଧ୍ୟରେ ବଡ଼ ବା ଶ୍ରେଷ୍ଠ । ବଡ଼ଓଷାରେ ଶିବଙ୍କର ପୂଜା କରାଯାଏ । ବିଶେଷକରି ଧବଳେଶ୍ୱର ମହାଦେବଙ୍କର ପୂଜା ହୁଏ । ପ୍ରଥମେ ଏ ପୂଜା ମହାନଦୀ ଗର୍ଭରେ ଥିବା ଧବଳେଶ୍ୱରଙ୍କଠାରେ ଗଜପତି ରାଜା ପ୍ରତାପରୁଦ୍ର ଆରମ୍ଭ କରିଥିଲେ । ସେବେଠୁ ଏ ପୂଜା ଚାଲିଛି । ଏବେ ଏହାକୁ ନେଇ ପ୍ରତି ଗାଁ ଗଣ୍ଡା ଓ ସହରର ଶିବମନ୍ଦିରମାନଙ୍କରେ ଏ ଉତ୍ସବ ଅନୁଷ୍ଠିତ ହୁଏ । ତେବେ ଧବଳେଶ୍ୱର ନାମଥିବା ଶିବମନ୍ଦିରରେ ଏହା ଯାତ୍ରୋତ୍ସବ ରୂପେ ଯାକଯମକରେ ପାଳିତ ହୁଏ । ଏ ଓଷାରେ ଶିବଙ୍କୁ ଗଜମଣ୍ଡା ଓ ତରଣ ଇତ୍ୟାଦି ଭୋଗ ଲାଗିହୁଏ । ବିଶ୍ୱାସ ଏହି ଯେ ଏହିବ୍ରତ ପାଳନ ଫଳରେ ଯୁବତୀ କନ୍ୟାମାନେ ତାଙ୍କ ଇପ୍‌ସିତ ବର ପାଇଥାନ୍ତି; ନାରୀମାନେ ନିଜ ସ୍ୱାମୀ ଓ ସନ୍ତାନଙ୍କ ମଙ୍ଗଳ ପାଇଁ ମଧ୍ୟ ଏହି ଓଷା କରନ୍ତି । ଖାଲି ସେତିକି ନୁହେଁ ଏହି ଓଷା ପାଳନ ଫଳରେ ଚର୍ମ ଓ କୁଷ୍ଠ ଇତ୍ୟାଦି ରୋଗରୁ ମୁକ୍ତି ମିଳେ ।
ଏ ବ୍ରତ ନେଇ ଏକ ସୁନ୍ଦର କାହାଣୀ ଅଛି । କାହାଣୀମତେ ପୂର୍ବେ ଉତ୍କଳ ଦେଶରେ କ୍ରତୁ ବୋଲି ଜଣେ ରାଜା ଶିକାରକୁ ଯାଇଥିଲେ । ବନମଧ୍ୟରେ ସେ ଦେଖିଲେ ଯେ ଏକ ଭଗ୍ନ ଶିବ ମନ୍ଦିରରେ ନାଗପୁରର ରାଜକୁମାରୀ ହରପ୍ରିୟା ତାଙ୍କୁ ପାଇବାକୁ ପୂଜା କରୁଛି । ଦୁହିଁଙ୍କର ସେଠି ମିଳନ ହେଲା ଓ ବିବାହ ସଂପନ୍ନ ହେଲା । ବିବାହ ପରେ ରାଜା ହରପ୍ରିୟାଙ୍କ ମୋହରେ ଅନ୍ଧହୋଇ ରାଜ୍ୟକାର୍ଯ୍ୟ ଠିକ୍ ରୂପେ ବୁଝିଲେ ନାହିଁ । ଶାସନ ହୁଗୁଳା ହେଲା । ଶତ୍ରୁମାନେ ଏହାର ସୁଯୋଗ ନେଇ ତାଙ୍କ ରାଜ୍ୟ ଦଖଲ କଲେ । ସେ ପ୍ରାଣବିକଳରେ ରାଣୀଙ୍କ ସହ ବନକୁ ପଳାୟନ କଲେ ।
ବନବାସ ବେଳେ ରାଜା ଜଣେ ସନ୍ନ୍ୟାସୀ କେତକୀ ଫୁଲ ଶିବଙ୍କ ପୂଜା ପାଇଁ ନେଇକି ଯାଉଥିବାର ଦେଖିଲେ । ସେ ଫୁଲକୁ ତାଙ୍କଠୁ ଛଡ଼ାଇ ରାଣୀଙ୍କୁ ଦେଲେ । ଏଥିକୁ ସେ ସନ୍ୟାସୀ ଅଭିଷାପ ଦେଲେ ଏବଂ କ୍ରତୁଙ୍କୁ କୁଷ୍ଠ ରୋଗ ହେଲା । ଏଥିରେ ଦୁଃଖୀତ ହୋଇ ରାଣୀ ଆଉଜଣେ ସନ୍ନ୍ୟାସୀଙ୍କୁ ପରାମର୍ଶ କଲେ । ସେ ସନ୍ନ୍ୟାସୀ ବୁଝାଇ ଦେଲେ ଯେ ଶିବାର୍ଥେ ପୂଜା ଫୁଲ ଅପହରଣ କାରଣରୁ ରାଜାଙ୍କୁ କୁଷ୍ଠ ହେଲା । ସେଯାଇ ମହାନଦୀ ଗର୍ଭରେ ଥିବା ଧବଳେଶ୍ୱରଙ୍କ ପୂଜା କରନ୍ତୁ, ରୋଗମୁକ୍ତ ହେବେ ।
ରାଣୀ ଧବଳେଶ୍ୱରଙ୍କୁ ପୂଜା କରି ରାଜାଙ୍କୁ ରୋଗ ମୁକ୍ତ କରାଇଲେ ଏବଂ ତାଙ୍କ ଆଶୀର୍ବାଦରୁ ପୁତ୍ର ସନ୍ତାନ ଲାଭ କରି ସୁଖରେ ରହିଲେ । ସେ ତାଙ୍କ ହରାଇଥିବା ରାଜ୍ୟ ଫେରି ପାଇଲେ ।
ଶିବବ୍ରତ ବଡ଼ କଠିନ ବ୍ରତ । ଏଥିରେ ବ୍ରତୀ ନିର୍ଜ୍ଜଳ ଉପାସ ରହିବାକୁ ପଡ଼େ । ବ୍ରତ ବିଧି ଯଥାରୀତି ପାଳନ କରିବାକୁ ହୁଏ । ବ୍ରତ ବା ଉପାସ ବିଜ୍ଞାନ ସମ୍ମତ । ଏହା ଶରୀରପକ୍ଷେ ଲାଭଦାୟକ । ଏହି ବ୍ରତରେ ପାଳନ କରାଯାଇଥିବା ସମସ୍ତ ବିଧି ଏମିତିକି ଭୋଗ ରାଗ ଓ ପଣା ଇତ୍ୟାଦି ସୁସ୍ଥ ସ୍ୱାସ୍ଥ୍ୟ ସମ୍ବନ୍ଧୀ । ବିଜ୍ଞାନକୁ ବାଦ ଦେଇ ଧର୍ମନାହିଁ । ଏଣୁ ଏହା ଆମେ ପାଳନ କରିବା ଉଚିତ୍ । ପୁନଶ୍ଚ କର୍ମମୟ ଜୀବନ ଭିତରେ ଏ ପ୍ରକାର ଓଷାବ୍ରତ ଓ ପର୍ବପର୍ବାଣୀ ଆମକୁ କିଛି ସାମୟିକ ଆନନ୍ଦ ଦିଅନ୍ତି । ଏହା ଆମେ ଜାଣିବା ଉଚିତ୍ ।

ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା-୭୫୨୦୫୦
ମୋ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ