ପାଟନାଳୀ ଖନନ ଓ ଘେରିବନ୍ଧ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର, କଂସାର, ପୁରୁଷୋତମପୁର ଓ ଆୟବା ଗ୍ରାମ ପଂଚାୟତର ଶତାଧିକ ଚାଷୀ ପାଟନାଳୀ ଖନନ ନିମନ୍ତେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦେପୁର, ନାଗପୁରା, ଏଣ୍ଡର, ଫୋରଡ, ମାଲୁହା, କୋରୁଆ, ଆୟବା ଓ ଗଣ୍ଡାକିଆ ମୌଜାର ଶହ ଶହ କ୍ଷତିଗ୍ରସ୍ତ ଚାଷୀ, କୃଷିଜୀବୀ ଓ ଜନସାଧାରଣଙ୍କ ଚାଷ ଜମିକୁ ଚିରସ୍ରୋତା ଗୋବରୀ ନଦୀ ପ୍ରବାହିତ ହେଉଛି । ମୌସୁମୀ ସମୟରେ ଲଘୁଚାପ ଜନିତ ପ୍ରଚୂର ବୃଷ୍ଟିପାତ ଯୋଗୁ ଏହି ନଦୀଟିରେ ବ୍ୟାପକ ଜଳ ପ୍ରବାହ ଓ ତାହାର ନିଷ୍କାସନରେ ପ୍ରତିବନ୍ଧକ ଯୋଗୁଁ ଏହାର ତଟଦେଶରେ ଥିବା ଧାନକ୍ଷେତ ସବୁ ଜଲମଗ୍ନ ହୋଇଯାଇଥାଏ । ଫଳରେ ଏହି ନଦୀ ଅବବାହିକା ସଂଲଗ୍ନ ୨ ହଜାର ହେକ୍ଟରରୁ ଅଧିକ ଜମିରେ ତିନିରୁ ଚାରିଫୁଟ ପାଣି ଜମି ରହିଥାଏ । ଫଳରେ କେଉଁ ବର୍ଷ ଆଂଶିକ ଓ କେଉଁ ବର୍ଷ ସଂପୂର୍ଣ୍ଣ ଧାନ ଫସଲ ପଚି ସଢି ନଷ୍ଟ ହୋଇଯାଇଥାଏ । ଚଳିତ ବର୍ଷ ମରୁଡି ପରେ ପ୍ରବଳ ବୃଷ୍ଟିପାତ ଯୋଗୁ ଏହି ଅଂଚଳରେ ଅର୍ଦ୍ଧାଧିକ ଧାନ ଫସଲ ନଷ୍ଟ ହୋଇଯାଇଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନାଗପୁର – ଦେପୁର ଠାରୁ ଗୋବରୀ ନଦୀ କୂଳେ କୂଳେ ଗଣ୍ଡାକିଆ ଏସ୍କେପ୍ ପର୍ଯ୍ୟନ୍ତ ସୁଇଚ୍ଚ ମାଟିବନ୍ଧ ପ୍ରତିଷ୍ଠା ସହ ପଥର ପ୍ୟାକିଂ ଓ ଆବଶ୍ୟକ ସ୍ଥାନରେ ଛୋଟ ଛୋଟ ସ୍ଲୁଇସ୍ ନିର୍ମାଣ ହେବା ଏକାନ୍ତ ଆବଶ୍ୟକ । ତେଣୁ ଏହାକୁ ଦୃଷ୍ଟିରେ ରଖି ଅଞ୍ଚବାସୀଙ୍କ ପକ୍ଷରୁ ହୃଷିକେଶ ନାୟକ, ରାମଚନ୍ଦ୍ର ରାଉତ, ମଧୁସୁଦନ ରାଉତ, ମକର ନାୟକ, ଅନାମ ଖଟୁଆ, କୃଷ୍ଣ ଚନ୍ଦ୍ର ମୁଦୁଲି, ସୁରେଶ ଲେଙ୍କା ପ୍ରମୁଖ ବିଧାୟକ ଶ୍ରୀ ବେହେରାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।


