ସିପିଆଇ(ଏମ୍)ର ବିଜୟ ଉତ୍ସବ ପାଳନ ଓ ଦାବୀପତ୍ର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସିପିଆଇ(ଏମ୍) ଶାଖା ତରଫରୁ କୃଷକ ବିଜୟ ଉତ୍ସବ ପାଳନ କରାଯିବା ସହ ଜିଲ୍ଲାପାଳଙ୍କ ଜିରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ପାରଳାଖେମୁଣ୍ଡି ସହରର ହାଇସ୍କୁଲ ସମ୍ମୁଖରେ ଏକ ପଟୁଆର ବାହାରି ନଗର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ । ସଭା ଅବସରରେ ବକ୍ତାମାନେ କହିଥିଲେ ଯେ, ଦୀର୍ଘ ଏକବର୍ଷର ରକ୍ତକ୍ଷୟୀ ସଂଗ୍ରାମ ଓ ୭୦୦ କୃଷକଙ୍କ ବଳିଦାନ ପରେ କେନ୍ଦ୍ର ସରକାର ତିନି କଳା କୃଷି ଆଇନ୍ ପ୍ରତ୍ୟାହାର କରିଛନ୍ତି । କିନ୍ତୁ କୃଷଥକମାନଙ୍କ ସଂଗ୍ରାମ ସରିନାହିଁ । ସ୍ୱାମୀନାଥନ୍ କମିଶନର ସୁପାରିଶ ଲାଗୁ କରିବା କୃଷକମାନଙ୍କ ପାଇଁ ସମ୍ପୂର୍ଣ୍ଣ ଋଣଛାଡ, ଜନ-ବିରୋଧି ବିଦ୍ୟୁତ ବିଲ୍-୨୦୨୦ ପ୍ରତ୍ୟାହର, କେନ୍ଦ୍ର ରାଜ୍ୟ ସରକାରଙ୍କ ଅଧୀନରେ ଖାଲି ପଡିଥିବା ସମସ୍ତ ପଦବୀ ପୂରଣ, ମନରେଗା ଯୋଜନା ଅଧୀନରେ ଇଛୁକ ଶ୍ରମିକଙ୍କୁ ୨୦୦ ଦିନ କାମ ଯୋଗାଣ ଇତ୍ୟାଦି ଦାବୀ ପୂରଣ ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ନରସିଂହ ମାଳବିଷୋୟୀ, ଉପେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତଥିଲେ । ସେହିପରି ସିପିଆଇ(ଏମ୍)ର କାଶୀନଗର ଶାଖା ତରଫରୁ କୃଷକ ବିଜୟ ଉତ୍ସବ ପାଳନ କରାଯିବା ସହ ବିଡିଓଙ୍କ ଜିରିଆରେ ପ୍ରଧାନମୁ୍ତ୍ରୀଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ସମ୍ପାଦକ କାର୍ତ୍ତିକ ଶବରଙ୍କ ନେତୃତ୍ୱରେ କୁଣ୍ଡିଙ୍ଗି ମୀନାରାଓ, ସୁକୁ ଶବର, ଟାନୁସୁ ଶବର ପ୍ରମୁଖ ଶତାଧିକ କର୍ମୀ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ଛକରୁ ଶୋଭାଯାତ୍ରାରେ ଆସି ବ୍ଲକ ଅଫିସରେ ପହଂଚି ଥିଲେ ଓ ଦାବୀତ୍ର ଦେଇଥିଲେ ।


