ବୃଦ୍ଧଙ୍କୁ ଆକ୍ରମଣ ଅଭିଯୋଗ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅଧିନ ନମକଣା ଗ୍ରାମର ଜଣେ ବୃଦ୍ଧଙ୍କୁ ଆକ୍ରମଣ ସହିତ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଗ୍ରାମର ହରିଜନ ସାହି କୀର୍ତ୍ତନ ମଣ୍ଡପ ନିର୍ମାଣ ଚାଲିଥିବା ବେଳେ ସେଠାରେ କାରିଗର ଓ ଶ୍ରମିକ ମାନଙ୍କୁ ଭରତ ଚନ୍ଦ୍ର ଜେନା ନାମକ ଉଶୃଙ୍ଖଳିତ ଯୁବକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ନିକଟରେ ପାଛିଆ ବୁଣୁଥିବା ଗ୍ରାମର ପିତାମ୍ବର ଜେନା କଣ ହୋଇଛି ବୋଲି ପଚାରିବାରୁ ଯୁବକ ଜଣକ ତାଙ୍କୁ ମଧ୍ୟ ଗାଳି ଗୁଲଜ କରିବା ସହ ଏକ ବାଡ଼ିରେ ଆକ୍ରମଣ କରିଥିଲା । ଏଥିରେ ଶତ୍ରୁଘ୍ନ ଜେନା ନାମକ ଜଣେ ଯୁବକ ମଧ୍ୟ ସଂଶ୍ଳିଷ୍ଟ ଥିବା ଆକ୍ରମଣରେ ଶିକାର ହୋଇଥିବା ବୃଦ୍ଧ ଜଣକ ପୁଲିସକୁ ଜଣାଇଛନ୍ତି । ଏପରିକି ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଲିଖିତ ଭାବେ ଜଣାଯାଇଛି । ଯୁବକ ଦ୍ୱୟଙ୍କ ନାମରେ ବିଭିନ୍ନ ସମୟରେ ଗଣ୍ଡଗୋଳ କରୁଥିବନେଇ ପୂର୍ବରୁ ପୁଲିସ ନିକଟରେ ଅଭିଯୋଗ ଥିବା ବେଳେ ଏବେ ପୁଣି ଜଣେ ୭୦ବର୍ଷୀୟ ବୃଦ୍ଧଙ୍କୁ ଆକ୍ରମଣ କରିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ତଦନ୍ତ ଆରମ୍ଭ ହୋଇଛି ।


