ନିର୍ବାଚନ ଫଳାଫଳ ପୂର୍ବରୁ ଆଖି ବୁଜିଲେ ବରିଷ୍ଠ କ୍ରୀଡ଼ାବିତ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ମୁଁ ଜୀବନ ଥିବା ଯାଏ ଷ୍ଟାଡିୟମ ପାଇଁ କାମ କରିବି । ଏ ଥିଲା ତାଙ୍କର ଶେଷ କଥା । ଆଉ ରବିବାର ଥିଲା ବାରିପଦା ଷ୍ଟାଡିୟମ ତଥା ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନର ନିର୍ବାଚନ । ସକାଳୁ ସକାଳୁ ଆଥଲେଟିକ ଆସୋସିଏସନର ମେମ୍ବରମାନେ ତାଙ୍କୁ ଭୋଟ ବି ଦେଲେ । ହେଲେ କେହି ଜାଣି ନ ଥିଲେ ଗତକାଲି ତାଙ୍କର ମୃତ୍ୟୁ ହୋଇ ସାରିଛି । ତାଙ୍କ ମୃତ୍ୟୁ ଖବର ପାଇ ସବୁଆଡେ ସ୍ତବ୍ଧ ହେଇଗଲା । ସେ ହେଉଛନ୍ତି ବାରିପଦାର ପ୍ରବୀର କୁମାର ବିଶ୍ଵାସ, ଯିଏ ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନର କୋଷାଧ୍ୟକ୍ଷ ପାଇଁ ନିର୍ବାଚନ ଲଢୁଥିଲେ । ପ୍ରବୀର କୁମାର ବିଶ୍ଵାସ ଜଣେ ଓଡ଼ିଶାର ସୁନାମଧନ୍ୟ କ୍ରିକେଟ ଅମ୍ପାୟାର ଓ ଫୁଟବଲ୍ ରେଫରୀ । ବାରିପଦା ଷ୍ଟାଡିୟମରେ ଦୀର୍ଘ ୪୦ ବର୍ଷ ଧରି ଜଡ଼ିତ ଥିଲେ । ୧୯୮୦ ମସିହାରୁ ସେ ଅମ୍ପାୟାର ଭାବେ କାମ ଆରମ୍ଭ କଲେ । ୧୯୮୮ରେ ସେ ଆନୁଷ୍ଠାନିକ ଭାବେ ଅମ୍ପାୟାର କୋର୍ସରେ ପାସ କରିଥିଲେ । ୧୯୮୯ରେ ସେ ରେଫରୀ ପାସ କରିଥିଲେ। ଯାହା ପରେ ସେ ଓଡ଼ିଶା ଆସୋସିଏସନର ପ୍ୟାନେଲ ରେଫରୀ ଭାବେ ନିର୍ବାଚିତ ହୋଇଥିଲେ । ଶହ ଶହ ସଂଖ୍ୟାରେ ସେ ଉଭୟ କ୍ରିକେଟ ଓ ଫୁଟବଲ୍ ଖେଳ କରାଇଛନ୍ତି । ସେ ଜଣେ ବ୍ୟାଟ୍ସମ୍ୟାନ୍ ଗଭାବେ ଜିଲ୍ଲା ପାଇଁ ଅନେକ ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି । ଏହାଛଡ଼ା କଳାହାଣ୍ଡି କପରେ ଅଫିସିଏଟ୍ ମଧ୍ୟ କରିଛନ୍ତି । ସେ ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନର କାଉନସିଲ ମେମ୍ବର ମଧ୍ୟ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଶା, ପଶ୍ଚିମବଙ୍ଗର ବିଭିନ୍ନ ଟିମରେ ଫୁଟବଲ ଖେଳାଳି ଭାବେ ସୁନାମ ଅର୍ଜନ କରିଛନ୍ତି । ବାରିପଦାରେ ଲାଲଟୁ ଭାଇ ହିସାବରେ ବେଶ୍ ପରିଚିତ ଥିଲେ । ଗତକାଲି ନିର୍ବାଚନ ଥିବା ବେଳେ ଗତକାଲି ତାଙ୍କୁ ଛାତିରେ ଯନ୍ତ୍ରଣା ହୋଇଥିଲା । ଯାହା ପରେ ତାଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ଦିନ ୧୧ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବାରୁଣୀ ଶ୍ମାଶନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଜିଲ୍ଲା ଆଥଲେଟିକ୍ ଆସୋସିଏସନର ନବନିର୍ବାଚିତ ସମସ୍ତ କର୍ମକର୍ତା ଓ ବରିଷ୍ଠ କ୍ରୀଡ଼ାବିତ ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହିତ ଶୋକ ପ୍ରକାଶ କରିଥିଲେ । ତାଙ୍କ ପରଲୋକରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଗଭୀର ଶୋକ ପ୍ରକାଶ କରିଛି ।


