ଛାଡ଼ିଗଲା ବର୍ଷା : ପାଣି ଭର୍ତ୍ତି କ୍ଷେତକୁ ନେଇ ଚିନ୍ତାରେ ଚାଷୀ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଗତ ୪୮ଘଣ୍ଟା ଧରି ଜୱାଦ ବର୍ଷା ଉପକୂଳ ଓଡ଼ିଶା ଚାଷୀ ଭାଇ ମାନଙ୍କୁ ଦହଗଞ୍ଜ କରିଛି। ବାତ୍ୟାର ପରିବର୍ତ୍ତିତ ରୂପରେ ଯଦିଓ ପବନ ହୋଇନାହିଁ କିନ୍ତୁ ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବର୍ଷା ମାଡରେ ଖରିଫ ଧାନ ସହିତ ପନିପରିବା ଓ ପାନ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏହାକୁ ନେଇ ଭଣ୍ଡାରିପୋଖରୀ ବ୍ଲକ ଅଧିନ ୨୩ଗୋଟି ପଂଚାୟତର ହଜାର ହଜାର ଚାଷୀ ଏବେ ଚିନ୍ତାରେ ପଡିଛନ୍ତି। ଗତ ଶନିବାର ଓ ରବିବାର ଦୁଇଦିନ ବର୍ଷା ଲାଗି ରହିବା ଯୋଗୁ ବ୍ଲକର ଖାଲୁଆ ଅଂଚଳ ଜଳାଣ୍ଣଵ ହୋଇଥିବା ବେଳେ ଅନେକ ପାଚିଲା ଧାନ କ୍ଷେତରେ ପାଣି ଠିଆ ହୋଇଯାଇଛି । ଏପରିକି ପାଚିଲା ଧାନ ଶୋଇଯାଇଥିବା ବେଳେ ତା ଉପରେ ବର୍ଷା ଜଳ ମାଡିଯାଇ ବନ୍ୟାର ଭ୍ରମ ସୃଷ୍ଟି କରୁଛି । ଯେଉଁ ଚାଷୀ ଭାଇ ମାନେ ମାଣେ କିମ୍ବା ଦୁଇ ମାଣ ଜମି ଚାଷ କରିଥିଲେ ସେମାନଙ୍କର ସମ୍ପୁର୍ଣ୍ଣ କ୍ଷେତ ଅଦିନିଆ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ଯେଉଁ କ୍ଷେତ ଉପରେ ପାଣି ମାଡିଯାଇଛି ସେହିଗୁଡିକ ଅମଳ ହେବା ପ୍ରାୟ ସମ୍ଭବ ନୁହଁ ବୋଲି ଅନେକ ଚାଷୀ ଜଣାଇଛନ୍ତି । ବ୍ଲକର ବିଷ୍ଣୁପୁର, କୁଲଣା, ରହଣିଆ, ମାଳଦା, ନାଆମୀ, ରାଜେନ୍ଦ୍ରପୁର, ତେସିଙ୍ଗା, ଦକ୍ଷିଣବାଡ଼ ପ୍ରମୁଖ ପଂଚାୟତ ଅଂଚଳର ଚାଷୀ ମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏହାଛଡା ନଦୀକୂଳବର୍ତ୍ତୀ ବରାହନୁଆପଡା, ଷୋଳମପୁର, ମୁଢପଦା, ଝୁଟୁଣା ପ୍ରମୁଖ ଗ୍ରାମାଞ୍ଚଳ ଗୁଡିକରେ ଚାଷ ହୋଇଥିବା ଶୀତ ଦିନିଆ ପନିପରିବା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସେହିଭଳି ପାଟୁଳି, ନିର୍ଗୁଣ୍ଡି ପ୍ରମୁଖ ପଞ୍ଚାୟତର ପାନ ଚାଷୀ ମଧ୍ୟ ଅଦିନିଆ ବର୍ଷା ଦାଉରୁ ରକ୍ଷା ପାଇ ନାହାନ୍ତି । ଜୱାଦ ପ୍ରଭାବରେ କ୍ଷତିଗ୍ରସ୍ତ ଚାଷୀଙ୍କ ଚିନ୍ତା ବଢିଯାଇଥିବା ବେଳେ ଏହା ଉପରେ ପ୍ରଶାସନ ଦୃଷ୍ଟି ଦେଇ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ