ଝିଙ୍କିରିଆ ଗୁଳିକାଣ୍ଡ ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି
ବାଲେଶ୍ୱର, (ସରୋଜ ପଣ୍ଡା) : ଝିଙ୍କିରିଆ ଗୁଳିକାଣ୍ଡ ମାମଲାରେ ସଦର ଥାନା ପୁଲିସ ଆଜି ଆଉ ୨ଜଣ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ସଦର ଥାନା ଅନ୍ତର୍ଗତ ସାହାର୍ଦ୍ଦା ଅଞ୍ଚଳର ଚକ୍ରଧର ଦାସଙ୍କ ପୁଅ ଜୟରାମ ଦାସ ଓରଫ ଜୟି ଓରଫ ଜଳନ୍ଧର (୩୦) ଓ ଝିଙ୍କିରିଆର ସନ୍ତୋଷ ଦାସଙ୍କ ପଅ ନିରଞ୍ଜନ ଦାସ ଓରଫ କଟିଛୁଆ (୩୫) । ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ୭.୬୫ ଏମଏମର ୩ ଗୋଟି ଜୀବନ୍ତ ଗୁଳି ପୁଲିସ ଜବତ କରିଛି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ମାମଲାରେ ଅନ୍ୟ ୩ ଅଭିଯୁକ୍ତ ସାହାର୍ଦ୍ଦା ଅଞ୍ଚଳର ନିରଞକଜନ ଦାସଙ୍କ ପୁଅ ଅଶୋକ ଦାସ ଓରଫ ବୁଢ଼ା (୨୨) ଓ ଅକ୍ଷୟ ଦାସଙ୍କ ପୁଅ ବାଇଧର ଦାସ ଓରଫ ବାଜୁ (୨୪) ଏବଂ ଝିଙ୍କିରିଆର ଦାମୋଦର ଜେନାଙ୍କ ପୁଅ ରଣଜିତ କୁମାର ଜେନା ଓରଫ ପିଣ୍ଟୁ (୨୫)ଙ୍କୁ ଗତକାଲି ପୁଲିସ ଗିରଫ କରିଥିଲା । ଗୁଳିକାଣ୍ଡରେ ଆହତ ଝିଙ୍କିରିଆର ସ୍ୱର୍ଗତ ଦୈତାରୀ ନାୟକଙ୍କ ପୁଅ ପ୍ରିୟକାନ୍ତ ନାୟକ ଓଫ ଫକୀରଙ୍କ ମାଆ ମାଳତି ନାୟକଙ୍କ ଏତଲା କ୍ରମେ ପୁଲିସ ୩୮୫/୧୧.୧୨.୨୧ ନଂର ମାମଲା ରୁଜୁ ସହ ଅନୁସନ୍ଧାନ ଜାରି ରଖିଥିଲା । ଏହି ମାମଲାରେ ମୋଟ ୫ଜଣଙ୍କୁ ଗିରଫ ସହ ପୁଲିସ କୋର୍ଟ ଚାଲାଣ କରିଛି । ଏସଡିପିଓ ଶ୍ରୀ ତ୍ରିପାଠୀଙ୍କ କହିବା ଅନୁସାରେ ଗତ ୯ ତାରିଖ ବିଳମ୍ବିତ ରାତିରେ ଝିଙ୍କିରିଆ ଛକ ନିକଟ ଏକ ପୋଲ ଉପରେ ସମସ୍ତେ ମଦ୍ୟପାନ କରୁଥିଲେ । ଏହି ଅବସରରେ ପୂର୍ବ ଶତ୍ରୁତାରୁ କୌଣସି ପ୍ରସଙ୍ଗକୁ ନେଇ ପରସ୍ପର ମଧ୍ୟରେ ଯୁକ୍ତିତର୍କ ହେବା ସହ ଜୟୀ ଉତକ୍ଷିପ୍ତ ହୋଇ ନିଜ ପାଖରେ ରଖିଥିବା ବନ୍ଧୁକରୁ ପ୍ରିୟକାନ୍ତକୁ ଗୁଳି ମାରିଥିଲା । ଗୁଳିଟି ପ୍ରିୟକାନ୍ତର ଛାତିରେ ବାଜିବା ପରେ ସେ ତଳେ ପଡ଼ି ସାହାଯ୍ୟ ପାଇଁ ଚିତ୍କାର କରୁଥିବା ବେଳେ ଅନ୍ୟମାନେ ସେଠାରୁ ପଳାଇ ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ପ୍ରିୟକାନ୍ତଙ୍କୁ ଉଦ୍ଧାର ସହ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ପରିବାର ଲୋକେ ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ଏବେ ବି ପ୍ରିୟକାନ୍ତଙ୍କ ଅବସ୍ଥା ସଂକଟାପନ୍ନ ଥିବା ପୁଲିସ ପ୍ରକାଶ କରିଛି । ଆଜିର ଏହି ସାମ୍ବାଦିକ ସମ୍ମଳନୀରେ ଏସଡିପିଓ ଶ୍ରୀ ତ୍ରିପାଠୀଙ୍କ ସମେତ ସଦର ଥାନା ଅଧିକାରୀ ଅଶୋକ ନାୟକ ଉପସ୍ଥିତ ଥିଲେ ।


