ଚିନ୍ମୟ ମିଶନ ପକ୍ଷରୁ ଗୀତାବୃତ୍ତି ପ୍ରତିଯୋଗିତା
ବାଲେଶ୍ୱର, (ସରୋଜ ପଣ୍ଡା) : ଚିନ୍ମୟ ମିଶନ ବାଲେଶ୍ୱର ଶାଖା ପକ୍ଷରୁ ଭୋଇସାହିସ୍ଥ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ୍ ପରିସରରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶିଶୁଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୫ ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ସ୍କୁଲର ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ ସହ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମିଶନର ବାଲେଶ୍ୱର ଶାଖା ଆଚାର୍ଯ୍ୟ ଅଗସ୍ତ୍ୟ ଚୈତନ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଡ କ୍ଷୀତିଶ୍ୱର ଦାଶ, ପ୍ରଫେସର ରାମଚନ୍ଦ୍ର ନାୟକ, ନିର୍ମଳ କୁମାର ପଣ୍ଡା, ସଦାନନ୍ଦ ଦିକ୍ଷୀତ, କମଳାକାନ୍ତ ବିଶ୍ୱାଳ ପ୍ରମୁଖ ଏହି ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ । ମିଶନର ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ ଏଥିରେ ଯୋଗଦେଇ ବିଗତ ଦଶବର୍ଷରୁ ଊର୍ଦ୍ଧ୍ୱ କାଳଧରି ବାଲେଶ୍ୱରରେ ଚିନ୍ମୟ ମିଶନ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ମିଶନର କୋଷାଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୃଷ୍ଟି, ଦୀପ୍ତା କୁଣ୍ଡୁ, ମିଶନର ଯୁବକେନ୍ଦ୍ର ସମ୍ପାଦକ ସୁମିତ କୁମାର ଦାସ, ପ୍ରଦୀପ କୁମାର ସେଠୀ, ଦେବସ୍ମିତା ଜେନା ଓ ମନୋଜ ଦାସ ତଥା ମିଶନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


