ଶିଶୁନାଟକ ମହୋତ୍ସବ ଉଦ୍ଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) : ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବାଲେଶ୍ୱରର ନାଟ୍ୟାନୁଷ୍ଠାନ ‘କଳାକାର’ ଦ୍ୱାରା ରାଜ୍ୟସ୍ତରୀୟ ଶିଶୁନାଟକ ମହୋତ୍ସବ ସଂସ୍କୃତିମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏଥିରେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଓ ‘ଯୁଗଶ୍ରୀ ଯୁଗନାରୀ’ର ସଂପାଦିକା ମମତା ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବାବେଳେ ମହୋତ୍ସବ କମିଟିର ସଭାପତି ଡାକ୍ତର ଅମିତାଭ ଗିରି ସଭାପତିତ୍ୱ କରିଥିଲେ । କଳାକାରର ସଭାପତି ସୁରଞ୍ଜନ ଦାସମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମନ୍ତ୍ରୀ ତାଙ୍କ ଭାଷଣରେ ନାଟକ ମାଧ୍ୟମରେ ଶିଶୁ ଚରିତ୍ର ଗଠନ ସହିତ ନେତୃତ୍ୱ ନେବାର ପାରଦର୍ଶୀତା ହାସଲ କରିପାରିବେ ବୋଲି କହିଥିବାବେଳେ ବାଲେଶ୍ୱରର ସଂସ୍କୃତିପ୍ରେମୀଙ୍କ ଦାବି ଓ ବିଧାୟକଙ୍କ ପ୍ରସ୍ତାବ ମୁତାବକ ସରକାର ଏକ ଉଚ୍ଚକୋଟୀର ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଶବ୍ଦ ନିରୋଧି ନାଟ୍ୟାଳୟ ଖୁବ୍ ଶୀଘ୍ର ବାଲେଶ୍ୱରବାସୀଙ୍କୁ ଯୋଗାଇଦେବେ ବୋଲି ଘୋଷଣା କରିଥିଲେ । ‘କଳାକାର’ ତରଫରୁ ବିଗତ ୨୧ବର୍ଷ ଧରି ଆୟୋଜିତ ହେଉଥିବା ଶିଶୁନାଟକ ମହୋତ୍ସବ ବାଲେଶ୍ୱର ତଥା ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଜିଲ୍ଲାରେ ସ୍କୁଲ୍ମାନଙ୍କରେ ଏକ ନାଟ୍ୟ ପରିବେଶ ସୃଷ୍ଟି କରିଛି ବୋଲି ବିଧାୟକ ସଂସ୍ଥାର ଉଚ୍ଚ ପ୍ରଶଂସା କରିଥିଲେ । ପରେପରେ ବାରିପଦା ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ୟୁ.ପି.ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ନାଟକ ‘ତମସୋ ମା ଜ୍ୟୋତିର୍ଗମୟ’ ମହାବୀର ଆବାସିକ ବିଦ୍ୟାଳୟ ଦ୍ୱାରା ନାଟକ ‘ଚକ୍ରବ୍ୟୁହରେ ପ୍ରତିଭା’, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃଭବନ, ସୋର ଦ୍ୱାରା ‘ବୋଲେ ହୁଁ ଟି’ ମଞ୍ଚସ୍ଥ ହୋଇ ଛାତ୍ରଛାତ୍ରୀଙ୍କୁ ସଂଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ‘କଳାକାର’ର ସହ ସଂପାଦକ ସୁଶାନ୍ତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହୋତ୍ସବରେ ସର୍ବମୋଟ ୧୫ଟି ଶିଶୁନାଟକ ଓ ଆୟୋଜକ ସଂସ୍ଥା ଦ୍ୱାରା ଦୁଇଟି ନାଟକ ପ୍ରଦର୍ଶନର ଯୋଜନା ଥିବାର ପ୍ରକାଶ ।


