ପ୍ରକୃତିରାଣୀ ଶିମିଳିପାଳର ସୌନ୍ଦର୍ଯ୍ୟ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଶିମିଳିପାଳ ଅଭୟାରଣ୍ୟ। ଏହା ହେଉଛି ଏକ ଜାତୀୟ ଉଦ୍ୟାନ ଏବଂ ମହାବଳବାଘ ଏବଂ ପଶୁପକ୍ଷୀଙ୍କ ବସାଘର। ଚାରିଆଡେ ସବୁଜିମାରେ ଭରପୁର। ଘଞ୍ଚ ଜଙ୍ଗଲ ସାଙ୍ଗକୁ ସୁଉଚ୍ଚ ପାହାଡ। ଆଉ ତା’ରି ଭିତରେ କୁଳୁକୁଳୁ ହୋଇ ବହି ଯାଉଛି ଝରଣା। ପ୍ରକୃତର ଅପରୂପ ସୌନ୍ଦର୍ଯ୍ୟରେ ଶିମିଳିପାଳ। ପ୍ରତିବର୍ଷ ପର୍ଯଟକଙ୍କୁ ଆକର୍ଷିତ କରୁଛି ପ୍ରକୃତିରାଣୀ ଶିମିଳିପାଳର ସୌନ୍ଦର୍ଯ୍ୟ। ସତେ ଯେମିତି ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ଶିମିଳିପାଳ।
ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ବୃକ୍ଷଲତା, ଜଳପ୍ରପାତ, ପଶୁପକ୍ଷୀ ଆଦିଙ୍କୁ ଦେଖିବା ସହ ବିବିଧତାକୁ ଉପଭୋଗ କରିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟିଥାଏ। ଚଳିତ ବର୍ଷ ମଧ୍ୟ ଶିମିଳିପାଳ ଅଭ୍ୟାରଣ୍ୟରେ ପର୍ଯ୍ୟଟକଙ୍କ ଭିଡ ଜମିଛି। ନୂତନ ଭାବେ ବନ ବିଭାଗ ତରଫରୁ ବାରେହିପାଣି ଜଳପ୍ରପାତ ନିକଟରେ ଆଇ ଲଭ ଶିମିଳିପାଳ ସେଲ୍ଫି ପଏଁଟ ସ୍ଥାପନ କରାଯାଇଛି । କିଏ ସେଲ୍ଫି ନେଉଛି ତ ଆଉ ନିଜର ସ୍ମୃତି ସାଉଁଟିଛି। ସେହିପରି ଆଉ କିଏ ଶୀତୁଆ ସକାଳର ଭରପୁର ମଜା ନେଉଛନ୍ତି। ଶିମିଳିପାଳ ଜୈବମଣ୍ଡଳ ର ଆୟତନ୨୭୫୦ ବର୍ଗ କି.ମି ତନ୍ମଧ୍ୟରୁ ୩୦୩ ବର୍ଗ କି.ମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ ଯାହାକି ଭାରତ ର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ | ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ୍ୟ ମାନ ମେଘମାଳା ଓ କଳ କଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ | ଏଠାରେ ବିଭିନ୍ନ ପ୍ରଜାତି ର ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳେ ତନ୍ମଧ୍ୟରୁ ୧୦୭୬ ପ୍ରଜାତି ର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତି ର ପକ୍ଷୀ, ୨୯ ପ୍ରଜାତି ର ସରୀସୃପ ଅଟନ୍ତି |ସମୁଦ୍ର ପତ୍ତନ ଠାରୁ ଶିମିଳିପାଳ ର ହାରାହାରି ଉଚ୍ଚତା ହେଉଛି ୯୦୦ ମି. | ଏଠାରେ ବିଭିନ୍ନ ପ୍ରକାର ର ବୃକ୍ଷ ଦେଖାଯାଏ ଯଥା ଶାଳ, ପିଆଶାଳ,ଶାଗୁଆନ, ଶିଶୁ, ଶିମିଳି, ମହୁଲ, ଆମ୍ବ, ପଣଷ ଇତ୍ୟାଦି | ସୁଉଚ୍ଚ ପର୍ବତ ଶିଖର ଗୁଡିକ ଯଥା ଖୈରିବୁରୁ (୧୧୭୮ ମି.) ଓ ମେଘାସନୀ (୧୧୫୮ ମି.) ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ | ବିଭିନ୍ନ ନଦୀ ଗୁଡିକ ଯଥା ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ, ପଳପଳା ଇତ୍ୟାଦି ଶିମିଳିପାଳ ରୁ ଉତ୍ପନ୍ନ ହୋଇଛନ୍ତି | ବରେହିପାଣି (୪୦୦ ମି.) ଓ ଯୋରନ୍ଦା ଜଳପ୍ରପାତ (୧୫୦ ମି.) ର ଦୃଶ୍ୟ ଅତୀବ ମନୋରମ | ନଭେମ୍ବର ୧ରୁ ପ୍ରତ୍ୟେକ ବର୍ଷ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ଯାଇଥାଏ। ଏହା ଭୁବନେଶ୍ୱର ବିମାନ ବନ୍ଦରଠାରୁ ମାତ୍ର ୨୭୦ କିଲୋମିଟର, ବାରିପଦା ଓ ବାଲେଶ୍ୱର ରେଳଷ୍ଟେସନଠୁ ୬୦ କିଲୋମିଟର ଦୂରରେ ଅବସ୍ଥିତ। ଯଦି ସଡ଼କ ପଥ କଥା କହିବା ତେବେ, ଆପଣ ଯଶିପୁର, ଲୁଲୁଙ୍ଗ, ପିଠାବଟା ଦେଇ ଏହା ଭିତରକୁ ପ୍ରବେଶ କରିପାରିବେ। ଶିମିଳିପାଳ ଅଭ୍ୟାରଣ୍ୟ ଭିତରକୁ ପ୍ରବେଶ କରିବା ପାଇଁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଟିକେଟ୍ ବୁକିଂ କାଉଣ୍ଟର ଖୋଲା ରୁହେ। ପ୍ରତିଦିନ ମାତ୍ର ୬୫ଟି ଗାଡ଼ିକୁ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ଯିବାକୁ ଅନୁମତି ରହିଛି। ଏଥିସହିତ ପର୍ଯ୍ୟଟକମାନେ www.ecotourodisha.comରେ ଆଗୁଆ ବୁକିଂ କରି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କୁମାରି, ଗୁଡଗୁଡିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣି ଯାତ୍ରୀ ନିବାସରେ ରାତ୍ରିଯାପନ କରିପାରିବେ।କିଭଳି ପହଁଞ୍ଚିବେ :ବିମାନ ମାର୍ଗରେ ନିକଟତମ ବିମାନ ବନ୍ଦର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର, ଭୁବନେଶ୍ୱର(୨୭୦ କି.ମି), ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦର, କୋଲକାତା(୨୫୦ କି.ମି) |ରେଳଗାଡ଼ିରେ ନିକଟତମ ରେଳ ଷ୍ଟେସନ : ବାରିପଦା ଓ ବାଲେଶ୍ୱର( ୬୦ କି.ମି) ସଡ଼କ ପଥରେ ଶିମିଳିପାଳ ର ତିନୋଟି ପ୍ରବେଶ ପଥ ରହିଛି ଯଥା ଯଶିପୁର, ଲୂଲୂଙ୍ଗ, ପିଠାଵଟା | ଏହି ସବୁ ସ୍ଥାନ ଗୁଡିକୁ ନିୟମିତ ବସ ଚଳାଚଳ କରିଥାଏ, ଏହାଛଡା କାର ଓ ଅନ୍ୟ ଛୋଟ ଗାଡି ସାହାଯ୍ୟରେ ମଧ୍ୟ ଯାଇହେବ |