ସଂରକ୍ଷଣ ତାଲିକା ପରିବର୍ତ୍ତନ ନିମନ୍ତେ ଦାବି

ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ କଙ୍କିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦବୀ ନିମନ୍ତେ ସଂରକ୍ଷଣ ତାଲିକା ପରିବର୍ତ୍ତନ ନିମନ୍ତେ ଦାବି ନେଇ ଗୁରୁବାର ବହୁ ପଞ୍ଚାୟତବାସୀ ଗଂଜାମ ଜିଲ୍ଲାପ୍ରଶାସନ ଦ୍ୱାରସ୍ଥ ହୋଇଛନ୍ତି । ଉକ୍ତ ଗ୍ରାମ ପଂଚାୟତ ୨୧ ଟି ଛୋଟ ବଡ ଗ୍ରାମକୁ ନେଇ ଗଠିତ ହୋଇଥିବା ବେଳେ ୯୯ ପ୍ରତିଶତ ଲୋକ ଅନୁସୂଚିତ ଜନଜାତି ବର୍ଗର୍ର ରହିଛନ୍ତି । ଗତ ୨୭ ତାରିଖ ଦିନ ସରକାରଙ୍କ ବିଜ୍ଞପ୍ତି ଅନୁସାରେ କଙ୍କିଆ ଗ୍ରାମ ପଂଚାୟତର ସରପଂଚ ଓ ସମିତି ସଭ୍ୟ ପଦବୀ ପାଇଁ ଅନୂସୁଚିତ ଜନଜାତି ବଦଳରେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷଣ ଘୋଷଣା କରାଯାଇଛି । ଏହାକୁ ଅନୁସୂଚିତ ଜନଜାତି ବର୍ଗର ଲୋକମାନେ ଘୋର ବିରୋଧ କରିଛନ୍ତି । ଆମ୍ଭେ ୯୯ ପ୍ରତିଶତ ଲୋକ ଆଦିବାସୀ (କନ୍ଧ) ଶ୍ରେଣୀର ରହିଥିଲେ ମଧ୍ୟ ଏହି ପଂଚାୟତରେ ଅନୁସୂଚିତ ଜନଜାତି(ଏସଟି) ବଦଳରେ ଅନୁସୂଚିତ ଜାତି (ଏସସି ) ବର୍ଗର ପ୍ରାର୍ଥୀ ମାନଙ୍କ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରାଯାଇଛି । ଏହା କେଉଁ ନିୟମ ପ୍ରକାରେ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏଣୁ କଙ୍କିଆ ଗ୍ରାମ ପଂଚାୟତର ସରପଂଚ ଓ ସମିତିସଭ୍ୟ ପଦବୀ ନିମନ୍ତେ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷଣ ତାଲିକା ସରକାର ତୁରନ୍ତ ଘୋଷଣା କରିବାକୁ ପଂଚାୟତ ବାସୀ ମାନେ ଅନୁରୋଧ କରିଛନ୍ତି । ଏନେଇ ଆଜି ଶତାଧିକ ପଂଚାୟତବାସୀ ଏକ ଲିଖିତ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳ , ଜିଲ୍ଲା ପଂଚାୟତ ଅଧିକାରୀ, କୁକୁଡା ଖଣ୍ଡି ବିଡିଓଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଏହା ସହିତ ଏହି କଙ୍କିଆ ଗ୍ରାମ ପଂଚାୟତଟି ୯ ନମ୍ବର ଜିଲ୍ଲା ପରିଷଦ ଜୋନରେ ଅନ୍ତର୍ଭୁକ୍ତ ରହିଥିବାରୁ ଏହି ଜୋନଟି ଅନୁସୂଚିତ ଜନଜାତି ବର୍ଗ ପ୍ରାର୍ଥୀ ମାନଙ୍କ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରିବା ପାଇଁ ସେମାନେ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ପଞ୍ଚାୟତବାସୀ ଭୋଟ ବର୍ଜନ କରିବେ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ବିଷୁନୁ ମଲ୍ଲିକ, ବୈରାଗୀ ମଲ୍ଲିକ, କାଶୀ ମଲ୍ଲିକ, ରାଜେନ୍ଦ୍ର ମଲ୍ଲିକ, ଗଣେଷ ମଲ୍ଲିକ, ପ୍ରକାଶ ମଲ୍ଲିକ, ସନ୍ତୋଷ ମଲ୍ଲିକ, ବିଜୟ ମଲ୍ଲିକ, କେଂଚୁ ମଲ୍ଲିକ, ରବିନ୍ଦ୍ର ମଲ୍ଲିକ, ସୂର୍ଯ୍ୟ ମଲ୍ଲିକ, ରମେଶ ମଲ୍ଲିକ, କୈଳାଶ ମଲ୍ଲିକ, ସହଦେବ ମଲ୍ଲିକ, ସନ୍ୟାସୀ ମଲ୍ଲିକ, ନରସିଂହ ମଲ୍ଲିକ, ଯୋଗୀ ମଲ୍ଲିକ, ସୁବାସ ମଲ୍ଲିକଙ୍କ ସମେତ ବହୁ ପଂଚାୟତବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ