ବନ୍ୟାରୁ ରକ୍ଷା ପାଇବେ ବାଘୁଆ ନଦୀ କୂଳର ଗ୍ରାମବାସୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବାଘୁଆ ଜଳଭଣ୍ଡାରର ତଳଭାଗରେ ବାଘୁଆ ନଦୀ କୂଳରେ ରହିଥିବା ବୁଗୁଡା ବ୍ଲକର ଗ୍ରାମବାସୀ ବୃନ୍ଦ ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ପଥର ବନ୍ଧା କାର୍ଯ୍ୟର ଶୁଭାରମ୍ଭ ପାଇଁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଜଣାପଡିଛି । ବୁଗୁଡା ବ୍ଲକରେ ବାଘୁଆ ନଦୀର ଉପର ମୁଣ୍ଡରେ ମତାଝରି ନିକଟରେ ବାଘୁଆ ଜଳଭଣ୍ଡାର ସ୍ଥାପିତ ହୋଇଅଛି । ଧାରା ବାହିକ ବର୍ଷା ସମୟରେ ବାଘୁଆ ମଧ୍ୟମ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ସମୟରେ ଜଳପ୍ରବାହ ସହ ବିଭିନ୍ନ ନାଳର ବର୍ଷା ଜଳ ବାଘୁଆ ନଦୀରେ ମିଶି ବନ୍ୟା ସୃଷ୍ଟି କରିଥାଏ । ଯାହା ଫଳରେ ବାଘୁଆ ଜଳଭଣ୍ଡାର ନିମ୍ନ ଭାଗରେ ବାଘୁଆ ନଦୀ କୂଳରେ ଥିବା ଭାଗବାନପୁର, ତାକରଡା, ଦଦରାଖୋଲ, ବିରଞ୍ଚିପୁର, ଆଦିପୁର, ଜଗତ ପାଟଣା, କାଦପଡା, ଭମାସିଆଳି ଓ କୁଆନଳା ଗ୍ରାମରେ ନଦୀକୂଳ ଖାଇ ବନ୍ୟା ସୃଷ୍ଟି ହୋଇଥାଏ । ନଦୀ କୂଳର ଗ୍ରାମ ଗୁଡିକ ବନ୍ୟାରୁ ରକ୍ଷା ପାଇବା ପାଇଁ ଗତ ଡିସେମ୍ବର ୧୨ ତାରିଖ ଦିନ ଭର୍ଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହି କାର୍ଯ୍ୟର ଶୁଭାରମ୍ଭ ପାଇଁ ବିଧାୟକ ଶ୍ରୀ ସାହୁ ଜାନୁଆରୀ ୧୦ ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟରେ ଭଗବାନପୁର ଠାରୁ ଆଦିପୁର ସୀମା ପର୍ଯ୍ୟନ୍ତ ପ୍ରଥମ ଭାଗ ଓ ଆଦିପୁର ଠାରୁ କୁଆନଳା ପର୍ଯ୍ୟନ୍ତ ଦ୍ଵିତୀୟ ଭାଗ ରେ ବାଘୁଆ ନଦୀ କୂଳରେ ପଥର ବନ୍ଧ ବନ୍ଧାଯାଇ ଗ୍ରାମ ଗୁଡିକୁ ବନ୍ୟା ଦାଉରୁ ରକ୍ଷା କରାଯାଇ ପାରିବ ବୋଲି ବାଘୁଆ ଜଳଭଣ୍ଡାରର ସହ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ଅଧ୍ୟକ୍ଷ ମାମୀ ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ଭାଗବାନପୁର ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ, ଗୋଲିଆ ସରପଞ୍ଚଙ୍କ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ଖୋଳଖାଳି ସରପଞ୍ଚ ସୂର୍ଯ୍ୟମଣି ଗୌଡ଼, ରାମଚନ୍ଦ୍ର ନାୟକ, ବରୁଣ ସେନାପତି ପ୍ରମୁଖଙ୍କ ସମେତ ବହୁ ଜନସାଧାରଣ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ