ମମତା କାର୍ଡରେ ପୁଅ, ହସ୍ତାନ୍ତର କଲେ ଝିଅ

                                                                   ଡାକ୍ତରଖାନାରେ ଶିଶୁ ଅଦଳବଦଳ ଅଭିଯୋଗ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିସରରେ ଶିଶୁ ଅଦଳବଦଳ ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ଆଦିବାସୀ ମହିଳା। ମମତା କାର୍ଡରେ ପୁଅ ହୋଇଥିବା ଉଲ୍ଲେଖ କରାଯାଇଥିବା ବେଳେ ତାଙ୍କୁ ଝିଅ ହସ୍ତାନ୍ତର କରାଯାଇଛି। ଗୋଛାପଡ଼ା ଥାନା ଅନ୍ତର୍ଗତ ଗୋଛାପଡ଼ା ଗ୍ରାମର ଜଣେ ଆଦିବାସୀ ମହିଳା ଲକ୍ଷ୍ମୀ କହଁରଙ୍କର ଗତ ରାତି ୨ଟା ୧୫ ମିନିଟ୍‌ରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ସନ୍ତାନ ଜନ୍ମ ହୋଇଥିଲା। ତାଙ୍କର ସ୍ବାଭାବିକ ପ୍ରସବ ହୋଇଥିଲା। ଲକ୍ଷ୍ମୀଙ୍କ ମମତା ହେଲ୍‌ଥ କାର୍ଡ଼ରେ ଜନ୍ମିତ ଶିଶୁ ପୁତ୍ରସନ୍ତାନ ବୋଲି ଦର୍ଶା ଯାଇଥିଲା। ତେବେ ତାଙ୍କୁ ଶିଶୁକନ୍ୟା ହସ୍ତାନ୍ତର କରାଯାଇଛି ବୋଲି ଲକ୍ଷ୍ମୀ ଅଭିଯୋଗ ଆଣିଛନ୍ତି। ଏମିତି କିଭଳି ସମ୍ଭବ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ, ତାଙ୍କର ଶିଶୁପୁତ୍ର ଜନ୍ମ ହୋଇଥିବା ବେଳେ ଚିକିତ୍ସାଳୟରେ ଏହାକୁ ବଦଳ କରି ଦିଆଯାଇଛି ବୋଲି ଲକ୍ଷ୍ମୀଙ୍କ ସ୍ବାମୀ ମୋତିଲାଲ ବରିହା ଅଭିଯୋଗ କରିଛନ୍ତି। ଏ ନେଇ ସେ ଆସନ୍ତା କାଲି ଫୁଲବାଣୀ ଥାନାରେ ଏତଲା ଦେବେ ବୋଲି ଲକ୍ଷ୍ମୀଙ୍କ ସ୍ବାମୀ ମୋତିଲାଲ କହିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମନୋରଞ୍ଜନ ରାଉତଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ, ଏନେଇ ତାଙ୍କ ନିକଟରେ ଲିଖିତ ଅଭି‌ଯୋଗ ପହଞ୍ଚିଲେ ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ, ଏହି ଘଟଣାକୁ ନେଇ ଏବେ ଫୁଲବାଣୀ ଜିଲ୍ଲା ଡାକ୍ତରଖାନା ସମେତ ସବୁ ଜାଗାରେ ଚର୍ଚ୍ଚା ଜୋର ଧରିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ