ରାଜପଥ କଡରୁ ହଟିବ ଦୋକାନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଏବେ ଚଣ୍ଡିଖୋଲ ଠାରୁ ଭଦ୍ରକ ରାହାଞ୍ଜ ଯାଏଁ ୧୬ନଂ ଜାତୀୟ ରାଜପଥର ୬ଲାଇନ ବିଶିଷ୍ଟ ପ୍ରଶସ୍ତିକରଣ କାର୍ଯ୍ୟ ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ଠାରୁ ବିଷ୍ଣୁପୁର ଯାଏଁ ପ୍ରାୟ କାର୍ଯ୍ୟ ଶେଷ ହୋଇଥିବା ବେଳେ କାଁ ଭାଁ କେତେକ ସ୍ଥାନରେ ଗଳା ପୋଲ ନିର୍ମାଣ କାର୍ଯ୍ୟ ଚାଲୁରହିଛି । ବିଶେଷ କରି ଛତାବର ଠାରୁ ଭଣ୍ଡାରିପୋଖରୀ ଓ ବିଷ୍ଣୁପୁର ଯାଏଁ ଯେଉଁଠି ସମ୍ପୂର୍ଣ୍ଣ ରାସ୍ତାକାମ ସରିଯାଇଛି ସେଠି ଏବେ ଦୋକାନୀ ମାନେ ଆଡା ଜମାଇ ଦେଲେଣି । ଜାତୀୟ ରାଜପଥ କଡରେ ଚାହା ଦୋକାନ ଠାରୁ ଆରମ୍ଭ କରି ପାନ ଦୋକାନ, ହୋଟେଲ ଓ ଗ୍ୟାରେଜ ଗଢି ଉଠିଲାଣି । ଏହାଦ୍ୱାରା ପୁଣି ପୂର୍ବବତଃ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖା ଦେଉଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳୁଛି । ଏପରିକି ଉକ୍ତ ବ୍ୟବସାୟ କେନ୍ଦ୍ର ଗୁଡିକରେ ମଧ୍ୟ କିଛି ବେଆଇନ ନିଶା କାରବାର ସହିତ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବେଆଇନ ଦୋକାନ ଗୁଡିକୁ ଉଚ୍ଛେଦ ପାଇଁ ଡ଼ାକବାଜି ଜରିଆରେ ଜଣାଯାଇଛି । ଯଦି ସାତ ଦିନ ମଧ୍ୟରେ ବ୍ୟବସାୟୀ ମାନେ ରାଜପଥ କଡରୁ ଦୋକାନ ନହଟାନ୍ତି ତେବେ ପ୍ରଶାସନ ସେଗୁଡିକ ଭାଙ୍ଗିଦେବ ବୋଲି ଚେତାବନୀ ଦେଇଛି ।


