ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଅବହେଳିତ ବାର୍ଷିକୋଣା

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ତୃତୀୟ ଥର ପାଇଁ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ବାର୍ଷୀକୋଣା ବାସୀ।ଚଳିତ ତ୍ରିସ୍ତରୀୟ ପଞ୍ଚାୟତୀରାଜ ନିର୍ବାଚନ ମଧ୍ୟ ବର୍ଜନ କରିବାକୁ ନିଷ୍ପତ୍ତି ନେଇ ଥୁଆମୂଳ ରାମପୁର ବିଡିଓଙ୍କୁ ଲିଖିତ ପତ୍ର ମାଧ୍ୟମରେ ଜଣାଇଛନ୍ତି । ବାର୍ଷୀକୋଣା ସମେତ ଗମ୍ଭାରୀ ଗୁଡା, ବିରାଗୁଡା ଓ ମୁଣ୍ଡିଚୁଆଁ ଗ୍ରାମବାସୀ । ସ୍ୱାଧୀନତାର ସାତ ଦଶନ୍ଧି ବିତିସାରିଥିଲେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଏହି ବାର୍ଷୀକୋଣା ଗାଁ । ସ୍ୱାଧୀନତାର ଭାରତ ବର୍ଷରେ ଏଯାଏ ଚାଖିନାହାନ୍ତି ସ୍ୱାଧୀନତାର ସ୍ୱାଦ।ବିଶେଷ ଭାବରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସୁବିଧା ଆଜିବି ଏହି ଗାଁକୁ ଅପହଞ୍ଚ ।ବାର୍ଷିକୋଣା ଗାଁରେ ରହିଛନ୍ତି ୪୫ ଟି ଆଦିବାସୀ ପରିବାର । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଡ ଘେରା ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅଧିନ ଏହି ଗାଁକୁ ଲାଗିରହିଛି ଗମ୍ଭାରିଗୁଡା ଯେଉଁଠି କେଉଁ ଅନାଦି କାଳରୁ ଯେଉଁଠି ୧୨ ଟି କନ୍ଧ ପରିବାର ରହୁଥିବା ବେଳେ ବିରଗୁଡାରେ ୧୧ ଏବଂ ମୁଣ୍ଡିଗୁଡାରେ ରହନ୍ତି ୫ ଆଦିବାସୀ ପରିବାର । ଏହି ୪ ଟି ଗାଁର ସମୁଦାୟ ଜନସଂଖ୍ୟା ପ୍ରାୟ ୪୦୦ ରହିଥିବା ବେଳେ ୧୫୦ ରୁ ଅଧିକ ଭୋଟର ରହିଛନ୍ତି । ଏହି ଗାଁ ଠାରୁ ସିନ୍ଧିପଦର ଠାରେ ଥିବା ପଞ୍ଚାୟତ କାର୍ଯ୍ୟାଳୟର ଦୂରତା ୧୫ କି:ମି । ବ୍ଲକ ସଦର ମହକୁମା ଠାରୁ ଗାଁର ଦୂରତା ପ୍ରାୟ ୨୮ କି:ମି । କିନ୍ତୁ ଯାତାୟତ ପାଇଁ ରାସ୍ତା ଟିଏ ନାହିଁ । ଦୁଇ ପାହାଡ ବିଜମରା ଘାଟି ଓ ରାଣୀମସ୍କା ଘାଟିର ଘଞ୍ଚ ଜଙ୍ଗଲ ମଧ୍ୟରେ ଲମ୍ବିଥିବା ସଂକୀର୍ଣ୍ଣ ପଦଚଲା ରାସ୍ତା ଦେଇ ଗାଁ ଲୋକେ ଯାତାୟତ କରିଥାନ୍ତି । ଏହାର ୩ ପାର୍ଶ୍ବରେ ଘେରି ରହିଛି ସିଙ୍ଗାରି ସଂରକ୍ଷିତ ଜଙ୍ଗଲ । ପୁର୍ବ ଦିଗରେ ବିଜମରା ଘାଟି ଓ ରାଣୀମସ୍କା ଘାଟି ରହିଥିବା ବେଳେ ଡାହାଣରେ ବିରା ଡଙ୍ଗର ଓ ବାମରେ ରହିଛି ଭେଜି ପାହାଡ।ସେହିଭଳି ଥୁଆମୂଳ ରାମପୁର ଠାରେ ଥିବା ବ୍ଲକ ମୁଖ୍ୟ କାର୍ଯ୍ୟାଳୟକୁ ଯିବାକୁ ହେଲେ ବିଜମରା ଘାଟି ବିରା ଡଙ୍ଗର ଦେଇ ସିଙ୍ଗାରି ସଂରକ୍ଷିତ ଜଙ୍ଗଲର ଭିତର ଦେଇ ପିଣ୍ଡାପଦର, ମେଲକୁନ୍ଦେଲ ଦେଇ ଯିବାକୁ ହୋଇଥାଏ । ଯେତେବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ, କିରୋସିନ, ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ସହିତ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ମାନେ ଭତ୍ତା ଆଣିବାକୁ ଯାଇଥାନ୍ତି । ସେତେବେଳେ ବିଶେଷ ଭାବେ ପ୍ରଭାବିତ ହୋଇଥାନ୍ତି । ସତରେ କେତେ ସେହି ଦୟନୀୟ ଚିତ୍ର।କେବଳ ରାସ୍ତା ନୁହେଁ ସ୍ୱାଧୀନତାର ୭୨ ବର୍ଷ ଅପେକ୍ଷା ପରେ ଗାଁରେ ପାନୀୟ ଜଳ ପାଇଁ ଦୁଇଟି ନଳକୂପ ସ୍ଥାପନ କରାଯାଇଛି । ପାଣି ଟୋପାକ ପାଇବା ପାଇଁ ଗାଁ ମହିଳା ମାନେ ଗାଁ ଠାରୁ ଜୁନାଗଡ ବ୍ଲକ ସୀମାକୁ ଲାଗି ରହିଥିବା ବାନ୍ଧନପଲା ଆମଝରଣ ନାଳା ଠାରୁ ପାଣି ସଂଗ୍ରହ କରି ନିଜ ଘରେ ରୋଷେଇ ଓ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ । ଏହି ଜଳ ହିଁ ସେମାନଙ୍କ ସ୍ନାନ ଓ ଶୌଚାଦି କାମରେ ବିନିଯୋଗ କରିବାକୁ ପଡିଥାଏ । ଖରାଦିନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କୁହନ୍ତି ଗାଁର ମହିଳା । ପିଇବା ପାଣି ପାଇଁ ଦୁଇଟି ପଡାକୁ ଗୋଟାଏ ଲେଖାଏଁ ଯେଉଁ ନଳକୂପର ବ୍ୟବସ୍ଥା କରାଯାଇଛି ତାହା ମଧ୍ୟ ନିଅଣ୍ଟ ହେଉଥିବା କହିଛନ୍ତି ଗ୍ରାମବାସୀ । ସ୍ୱାସ୍ଥ୍ୟ ସେବା ପାଇବାକୁ ହେଲେ ଭରସା କେବଳ କ୍ବାକ ଚିକିତ୍ସକ।ସେହି କ୍ବାକ ଚିକିତ୍ସକଙ୍କ ଦ୍ୱାରା ଅଣାୟତ୍ତ ହେଲେ ବାଧ୍ୟ ହୋଇ ରୋଗୀଙ୍କୁ କଲମପୁର,ଚିଲିଗୁଡା ଅଥବା ଜୁନାଗଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ହୋଇଥାଏ ।ଗାଁ ଭିତରକୁ ରାସ୍ତାର ଅଭାବ କାରଣରୁ ମିଳେନା ଅମ୍ବୁଲାନ୍ସ ଅଥବା ଅନ୍ୟ କୌଣସି ଯାନବାହନ । ଗାଁ ଠାରୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ପର୍ଯ୍ୟନ୍ତ ରହିଛି ପାଦଚଲା ରାସ୍ତା।କେନାଲ ହୁଡାରେ ଅମ୍ବୁଲାନ୍ସ ରହିଲେ ଗାଁ ଲୋକେ ରୋଗୀଙ୍କୁ ଖଟିଆରେ ପ୍ରାୟ ଦୁଇ କି:ମି ବୋହି ନେବାକୁ ହୋଇଥାଏ । ଗାଁରେ ଅଙ୍ଗନବାଡି କେନ୍ଦ୍ରର ସୁବିଧା ନଥିବାରୁ ପୁଷ୍ଟିକର ଖାଦ୍ୟ ଖାଇବାରୁ ବଞ୍ଚିତ ହୁଅନ୍ତି ଏହି ଗାଁର ଶିଶୁ ।ସିନ୍ଧିପଦର ପଞ୍ଚାୟତର ସମାପଲା ଅଙ୍ଗନବାଡି କେନ୍ଦ୍ର ଅଧିନରେ ରହିଥିବା ଏହି ଗାଁର କୋମଳମତୀ ଶିଶୁ ମାନଙ୍କ ପାଇଁ ଅପହଞ୍ଚ ସରକାରୀ ବ୍ୟବସ୍ଥା । କେଉଁ ଆବାହମାନ କାଳରୁ ବାପ ଗୋସେଇଁ ବାପ ଦିନରୁ ଜଙ୍ଗଲ କାଟି ସେଥିରେ ପୋଡୁଚାଷ କରି ମାଣ୍ଡିଆ, କାଙ୍ଗୁ, କୋଶଳା ଓ କାନ୍ଦୁଲ ଫଳାଇ ଜିବନ ନିର୍ବାହ କରିଆସୁଥିବା ଏହି ଭୁମିହିନ ଜମିହିନଙ୍କୁ ମିଳିନି ଜଙ୍ଗଲ ଜମିର ପଟା । ଅନେକ ଯୁବକ ଗାଁରେ ରୋଜଗାର ଅଭାବରୁ ଆନ୍ଧ୍ର, ତାମିଲନାଡୁ, ଗୋଆ, ଆଦି ରାଜ୍ୟ ବାହାରକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି । ଯେ କେହି ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ମନରେଗା ଯୋଜନାରୁ ଅର୍ଥ ପାଇବାକୁ ଥିଲେ ମଧ୍ୟ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ମିଳୁନି ପ୍ରାପ୍ୟ । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଥୁଆମୂଳ ରାମପୁର ବ୍ଲକରୁ ଅଲଗା କରି ଜୁନାଗଡ ବ୍ଲକରେ ସାମିଲ କରିବା ପାଇଁ ପ୍ରଶାସନକୁ ଜଣାଇଥିବା କହିଛନ୍ତି ବାର୍ଷିକୋଣା ଗ୍ରାମବାସୀ । ସୂଚନାଯୋଗ୍ୟ ଯେ ବାର୍ଷିକୋଣା ଗାଁକୁ ଲାଗିରହିଛି ଜୁନାଗଡ ବ୍ଲକ ପଦମପୁର ରାଜସ୍ଵ ଗ୍ରାମର ସୀମା।ଯଦି ଜୁନାଗଡ ବ୍ଲକ ପ୍ରଶାସନ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଅନ୍ତା ତେବେ ଏହି ଗାଁ ଲୋକଙ୍କ ବହୁ ସମସ୍ୟାର ସମାଧାନ ହୋଇପାରନ୍ତା ଯେତେବେଳେ ନିର୍ବାଚନ ଆସେ ସେତେବେଳେ ନେତାଙ୍କ ପାଖ ଲୋକ ବୋଲାଉଥିବା କିଛି ଲୋକ ଆସି ରାସ୍ତା ହୋଇଯିବ, ତୁମକୁ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ ଆଦି ଅନେକ ପ୍ରତି…

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ