ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ସର୍ବଦଳୀୟ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :-ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ପରିପ୍ରେକ୍ଷୀରେ ଏକ ସର୍ବଦଳୀୟ ବୈଠକ ସ୍ଥାନୀୟ ସଦଭାବନା ସଭାଗୃହରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ଅଧ୍ୟକ୍ଷତା କରିବା ସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ପଞ୍ଚାୟତ ନିର୍ବାଚନର ବିଭିନ୍ନ ପର୍ଯ୍ୟାୟ ଓ ପ୍ରକ୍ରିୟା, ଆଦର୍ଶ ଆଚରଣ ବିଧି, କୋଭିଡ୍‌-୧୯ ମାର୍ଗଦର୍ଶିକା, ନିର୍ବାଚନୀ ଖର୍ଚ୍ଚ ସୀମା ଇତ୍ୟାଦି ସମ୍ପର୍କରେ ସୂଚନା ଦେଇଥିଲେ । ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ବାଲେଶ୍ୱର ଜିଲାରେ ୨ଜଣ ସାଧାରଣ ପର୍ଯ୍ୟବେକ୍ଷକ ଏବଂ ଜଣେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଆଜି ଏହି ପର୍ଯ୍ୟବେକ୍ଷକମାନେ ବୈଠକରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରିଥିଲେ । ବାଲେଶ୍ୱର ସଦର ଉପଖଣ୍ଡ ପାଇଁ ଜ୍ୟୋତିରଞ୍ଜନ ପ୍ରଧାନ ( ମୋ- ୯୪୩୮୩୯୬୮୯୩) ଓ ନୀଳଗିରି ଉପଖଣ୍ଡ ପାଇଁ ରେମିସ୍ କେରକେଟା (ମୋ-୯୪୩୭୦୪୯୦୦୨) ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ବେଳେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ପାଇଁ ସୁକାନ୍ତ ପ୍ରସାଦ ଦାଶ (ମୋ-୯୪୩୭୨୨୩୪୪୦) ନିଯୁକ୍ତ ହୋଇଛନ୍ତି । ୫ଟି ପର୍ଯ୍ୟାୟରେ ଜିଲାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ପର୍ଯ୍ୟବେକ୍ଷକମାନେ ବ୍ଲକଗୁଡିକୁ ଗସ୍ତ କରି ସମ୍ପୂର୍ଣ୍ଣ ନିର୍ବାଚନ ପରିଚାଳନା, ଆଚରଣ ବିଧି, କୋଭିଡ୍ କଟକଣା, ଖର୍ଚ୍ଚ ସୀମା ଇତ୍ୟାଦି ଉପରେ ନଜର ରଖିବା ସହିତ ନିର୍ବାଚନ ସଂକ୍ରାନ୍ତୀୟ ଅଭିଯୋଗର ସମାଧାନ ପାଇଁ ପଦକ୍ଷେପ ନେବେ । ଜାନୁଆରୀ ୨୫ ତାରିଖ ଦିନ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ନିର୍ବାଚନ ପ୍ରଚାର, ଆଦର୍ଶ ଆଚରଣ ବିଧି, କୋଭିଡ କଟକଣା, ଭୋଟ ଗ୍ରହଣ, ଭୋଟ ଗଣତି, କଂଟ୍ରୋଲ ରୁମ୍ ଇତ୍ୟାଦି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଫେବୃଆରୀ ୧୬ତାରଖରୁ ୨୪ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ସକାଳ ୭ଘଟିକାରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ହେବ । ରାଜନୈତିକ ଦଳମାନେ ସେମାନଙ୍କର ପୋଲିଂ ଏଜେଂଟ ଏବଂ କାଉଂଟିଂ ଏଜେଣ୍ଟମାନଙ୍କୁ ନିର୍ବାଚନ ଆଚରଣ ବିଧି, କୋଭିଡ କଟକଣା ଏବଂ ଅନ୍ୟାନ୍ୟ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକୀୟ ପ୍ରଶିକ୍ଷଣ ଦେବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ସେହିଭଳି ପଞ୍ଚାୟତ ନିର୍ବାଚନରେ ସମସ୍ତ ପ୍ରକାର ସଭାସମିତି, ମୋଟର ସାଇକେଲ ରାଲି, ପଥପ୍ରାନ୍ତ ସଭା ଆଦି ଉପରେ କଟକଣା ଜାରି କରାଯାଇଥିବା ବେଳେ, ପ୍ରାର୍ଥୀମାନେ ସର୍ବାଧିକ ୫ଜଣଙ୍କୁ ଧରି ଘରକୁ ଘର ବୁଲି ପ୍ରଚାର କରିପାରିବେ । କୋଭିଡ ଆକ୍ରାନ୍ତ ପ୍ରାର୍ଥୀ କେବଳ ସୋସିଆଲ ମିଡିଆ ଏବଂ ଇଲୋକ୍ଟ୍ରୋନିକ ମିଡିଆରେ ପ୍ରଚାର କରିପାରିବେ । ଡାକବାଜି ଯନ୍ତ୍ର/ଲାଉଡସ୍ପିକର ବ୍ୟବହାର ପାଇଁ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ ପଡିବ । ଦୁଇଟି ଟିକା ନେଇଥିବା ଏବଂ କୋଭିଡ ନେଗେଟିଭ ଥିବା ପୋଲିଂ ଏଜେଂଟ/ବ୍ୟକ୍ତିଙ୍କୁ ହିଁ ଭୋଟଗଣତି କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ମିଳିବ । ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନଙ୍କ ପାଇଁ ୨ଲକ୍ଷ ଟଙ୍କା ଓ ଜିଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ୫ଲକ୍ଷ ଟଙ୍କା ଖର୍ଚ୍ଚ ସୀମା ଧାର୍ଯ୍ୟ ହୋଇଛି । ପ୍ରାର୍ଥୀମାନେ ନିଜ ନିର୍ବାଚନୀ ଖର୍ଚ୍ଚକୁ ଉପ-ଜିଲାପାଳ / ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ସ୍ୱୀକୃତ ଗୋଟିଏ ରେଜିଷ୍ଟରରେ ଲିପିବଦ୍ଧ କରି ରଖିବେ ଯାହା କି ଆବଶ୍ୟକସ୍ଥଳେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ଯାଞ୍ଚ କରାଯିବ । ଗସ୍ତ ସୂଚୀ ପ୍ରକାରେ ଫେବୃଆରୀ ୧ ଓ ୧୪ ତାରିଖରେ ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ବ୍ଲକ କାର୍ଯ୍ୟାଳୟ, ଫେବୃଆରୀ ୨ ଓ ୧୫ତାରିଖରେ ଔପଦା, ଖଇରା, ସିମୁଳିଆ, ସୋର ବ୍ଲକ କାର୍ଯ୍ୟାଳୟ ଏବଂ ଫେବୃଆରୀ ୩ ଓ ୧୬ ତାରିଖରେ ନୀଳଗିରି, ବାହାନଗା, ରେମୁଣା, ସଦର ବ୍ଲକ କାର୍ଯ୍ୟାଳୟକୁ ଗସ୍ତ କରି ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରାର୍ଥୀମାନଙ୍କ ଖର୍ଚ୍ଚ ରେଜିଷ୍ଟର ଯାଞ୍ଚ କରିବେ । ସେହିପରି ସାଧାରଣ ପର୍ଯ୍ୟବେକ୍ଷକ ଫେବୃଆରୀ ୨ତାରିଖରେ ବାଲେଶ୍ୱର ସଦର ଓ ରେମୁଣା ବ୍ଲକ, ଫେବୃଆରୀ ୩ ତାରିଖରେ ଜଳେଶ୍ୱର ଓ ଭୋଗରାଇ ବ୍ଲକ, ଫେବୃଆରୀ ୪ ତାରିଖରେ ଖଇରା, ସିମୁଳିଆ, ସୋର ଓ ବାହାନଗା ବ୍ଲକ ଏବଂ ଫେବୃଆରୀ ୫ତାରିଖରେ ବସ୍ତା ଓ ବାଲିଆପାଳ ବ୍ଲକ ଗସ୍ତ କରି ସମ୍ପୃକ୍ତ ବ୍ଲକ ସମ୍ମିଳନୀ କକ୍ଷରେ ବୈଠକ କରି ନିର୍ବାଚନ ସଂକ୍ରାନ୍ତୀୟ ସମୀକ୍ଷା କରିବେ । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଜିଲା ମୁଖ୍ୟାଳୟ ସମେତ ସମସ୍ତ ବ୍ଲକ କାର୍ଯ୍ୟାଳୟରେ କଂଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି । ନିର୍ବାଚନ ସଂକ୍ରାନ୍ତରେ କୌଣସି ପ୍ରକାର ସନ୍ଦେହ, ଦ୍ୱନ୍ଦ୍ୱ କିମ୍ବା ପରିଚାଳନା ନେଇ କୌଣସି ଅଭିଯୋଗ ଥିଲେ କଂଟ୍ରୋଲ ରୁମ ଫୋନ ନମ୍ବରରେ ଜଣାଇବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଫେବୃଆରୀ ୨୬, ୨୭ ଓ ୨୮ତାରିଖରେ ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲା ପରିଷଦ ଜୋନୱାରୀ ଭୋଟଗଣତି ହେବ । ଏଥି ପାଇଁ ଜୋନୱାରୀ ଷ୍ଟ୍ରଙ୍ଗରୁମର ବ୍ୟବସ୍ଥା କରାଯିବା ସହିତ ସେଠାରେ ସିସିଟିଭି ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ । ଆଦର୍ଶ ଆଚରଣ ବିଧି ଓ କୋଭିଡ ମାର୍ଗଦର୍ଶିକା ଉଲଙ୍ଘନ ଏବଂ ଭୁଲ ସତ୍ୟପାଠ ପ୍ରଦାନ କ୍ଷେତ୍ରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଓ ଭବେଶ କୁମାର ନାୟକ, ଉପ-ଜିଲପାଳ ଆଶିଷ ଈଶ୍ୱର ପାଟିଲ, ଆଡିସନାଲ ସବକଲେକ୍ଟର କିଶୋର ଚନ୍ଦ୍ର ସ୍ୱାଇଁ, ଜିଲା ପଞ୍ଚାୟତ ଅଧିକାରୀ ରବି ଚନ୍ଦ୍ର କଅଁରଙ୍କ ସମେତ ରାଜନୈତିକ ଦଳ ପ୍ରତିନିଧି ଶତ୍ରୁଘ୍ନ ମଲ୍ଲିକ, ନିରଞ୍ଜନ ପରିଡା, କମଳଲୋଚନ ଦାସ, ଶ୍ୟାମସୁନ୍ଦର ଜେନା, ପ୍ରେମାନନ୍ଦ ପାତ୍ର, ଅଶୋକ ଆଢ୍ୟ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ