ଭୋଟରଙ୍କ ମନ କିଣି ନେଉଛନ୍ତି ଯୁବ ଆଇନଜୀବି

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବନ୍ତ ବ୍ଲକ ଟିଲୋ ପଞ୍ଚାୟତରେ ୪ ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ଜଣାଯାଇଛି । ସେଥିମଧ୍ୟରୁ ବିଜେଡି, କଂଗ୍ରେସ ଓ ସିପିଆଇ ମେଣ୍ଟ ଓ ବିଜେପି ସମର୍ଥୀତ ପ୍ରାର୍ଥୀ ଥିବା ବେଳେ ବିଜେପିରେ ଜଣେ ଅସନୁଷ୍ଟ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କଂଗ୍ରେସ ଓ ସିପିଆଇ ଅଘୋଷିତ ମେଣ୍ଟରୁ ସରପଞ୍ଚ ପ୍ରାର୍ଥୀ ଭାବେ ଯୁବ ଆଇନଜୀବି ତଥା ବରିଷ୍ଠ ସାମ୍ବାଦିକ ସଂଗ୍ରାମ କେଶରୀ ଜେନା ଓ ସମିତି ସଭ୍ୟା ପ୍ରାର୍ଥିନୀ ଭାବେ ବିଶ୍ୱଭାରତୀ ଶର୍ମା ପ୍ରତିଦ୍ୱନ୍ଦିତା କରୁଛନ୍ତି । ଉକ୍ତ ପଞ୍ଚାୟତରେ ୧୫ଟି ୱାର୍ଡରେ ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ୱ ଭୋଟର ରହିଛନ୍ତି । ମେଣ୍ଟ ସମର୍ଥନରେ ପ୍ରାର୍ଥୀ ହୋଇଥିବା ସଂଗ୍ରାମ କେଶରୀ ଜେନା ଦୀର୍ଘ ୧୫ ବର୍ଷ ଧରି ବ୍ଲକରେ ସାମ୍ବାଦିକତା କରିବା ସହିତ ୧୨ ବର୍ଷ ହେବ ଆଇନଜୀବି ଭାବେ କାର୍ଯ୍ୟ କରିଆସୁଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡିଆରେ ଏମ୍‌.ଏ ଏବଂ ଏଲ.ଏଲ.ବି ଶିକ୍ଷାଲାଭ କରି ଚାକିରୀ ପଛରେ ନଗୋଡାଇ ଲୋକ ମାନଙ୍କ ସେବାରେ ନିଜ ଜୀବନକୁ ନିୟୋଜିତ କରିଆସିଛନ୍ତି । ଅଖିଳ ଭାରତ ଛାତ୍ର ସଂଘର ଜଣେ ସଂଗଠକ ଭାବେ ସେ ଦକ୍ଷତାର ସହ କାର୍ଯ୍ୟ କରି ଆସିଛନ୍ତି । ଗତ ୨୦୦୨ ମସିହାରେ ସେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଟିଲୋ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ସେ ନିର୍ବାଚନ ଲଢିଥିଲେ । ଛାତ୍ର ଜୀବନରୁ ସେ ଲୋକ ମାନଙ୍କ ପାଇଁ ସଦାସର୍ବଦା ଲଢେଇ କରିଆସୁଛନ୍ତି । ତାଙ୍କର ସଚ୍ଚୋଟ ପଣିଆ ଓ ପରୋପକାରିତା ପାଇଁ ସେ ଟିଲୋ ସମେତ ସମଗ୍ର ବ୍ଲକରେ ସୁପରିଚିତ ହୋଇପାରିଛନ୍ତି । ଆଜିର ରାଜନୀତିରେ ଜଣେ ସଚ୍ଚୋଟ ବ୍ୟକ୍ତିଙ୍କୁ ପାଇବା କଷ୍ଟକର ଥିବା ବେଳେ ଟିଲୋ ପଞ୍ଚାୟତର ଲୋକେ ତାଙ୍କୁ ବେଶ ଆଦରି ନେଇଛନ୍ତି । ପଞ୍ଚାୟତର ଲୋକ ମାନେ ଯେତେବେଳେ ସରକାରୀ ଯୋଜନା ହେଉ କି ନିଜର ବ୍ୟକ୍ତିଗତ ସମସ୍ୟାରେ ପଡିଥିବା ବେଳେ ସେ ସେଠାରେ ଉପସ୍ଥିତ ହୋଇ ଅକୁଣ୍ଠ ଚିତ୍ତରେ ସହାୟତାର ହାତ ବଢାଇଥାନ୍ତି । ତାଙ୍କର ସହାନୁଭୂତିପୂର୍ଣ୍ଣ ଓ ପରୋପକାରୀ କାର୍ଯ୍ୟକଳାପକୁ ଆଗାମୀ ଦିନରେ ପଞ୍ଚାୟତବାସୀ ନିଶ୍ଚିତ କାର୍ଯ୍ୟରେ ପରିଣତ କରିବେ ବୋଲି ସେ ଆଶା ରଖିଛନ୍ତି । ସେହିପରି ଏହି ପଞ୍ଚାୟତର ଭୋଟର ମାନେ ବେଶ ସଚେତନ ଥିବାରୁ ସେମାନେ ଦଳକୁ ଗୁରୁତ୍ୱ ନଦେଇ ଉପଯୁକ୍ତ ପ୍ରାର୍ଥୀଙ୍କ ମସ୍ତକରେ ସୁନାକଳସ ଢାଳିବେ ବୋଲି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ