ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅବସରରେ ଶିବ-ଦୀକ୍ଷା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ରାଜ ସୀତାପୁର(ରାସୁର) ଗ୍ରାମସ୍ଥିତ ବୃହତ ପୋଖରୀ ପାର୍ଶ୍ଵରେ ନବନିର୍ମିତ ଶ୍ରୀଶ୍ରୀଶ୍ରୀ ଚନ୍ଦ୍ର ଶେଖର ସ୍ୱାମୀ ମନ୍ଦିରର ପବିତ୍ର ପ୍ରତିଷ୍ଠା ଉତ୍ସବ ଅବସରରେ ୧୧ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଶିବ-ଦୀକ୍ଷା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଶ୍ରୀଶ୍ରୀଶ୍ରୀ ଚନ୍ଦ୍ର ଶେଖର ସ୍ୱାମୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଚଳିତ ମାସର ଆସନ୍ତା ୧୨ ତାରିଖ ଦିନ ଠାରୁ ଆରମ୍ଭ ହୋଇ ୧୪ ତାରିଖ ଦିନ ମୁଖ୍ୟ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ରାଜ-ସୀତାପୁର (ରାସୁର) ଗ୍ରାମରେ ଥିବା ସମସ୍ତ ପ୍ରାୟ ୪୦୦ ଗୋଟି ପରିବାରର ୧୨୦୦ ଲୋକଙ୍କୁ ସମ୍ପୃକ୍ତ ମନ୍ଦିର ପରିସରରେ ଶିବ-ଦୀକ୍ଷାରେ ଦୀକ୍ଷିତ କରାଯିବାକୁ ଲକ୍ଷଧାର୍ଯ୍ୟ ରହିଥିବା ବେଳେ ଆଜି ଏହାର ପ୍ରଥମ ଦିବସରେ ପ୍ରାୟ ୨୦୦ ଜଣ ଏହି ଶିବ-ଦୀକ୍ଷା ଗ୍ରହଣ କରିଛନ୍ତି । ପୁରାଣ-ପ୍ରସିଦ୍ଧ ତଥା ଐତିହାସିକ ଶୈବପୀଠ ପବିତ୍ର ମହେନ୍ଦ୍ରଗିରିର ପାଦଦେଶରେ ଥିବା ପବିତ୍ର ମହେନ୍ଦ୍ର ଆଶ୍ରମର ସାଧକ ସନ୍ଥ ଲକ୍ଷ୍ମୀବାବା ଏହି ଶିବ-ଦୀକ୍ଷା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ରୁଦ୍ରାକ୍ଷ ଦେଇ ମଥାରେ ବିଭୁତି ଲଗାଇ ଶିବ-ଦୀକ୍ଷା ପ୍ରଦାନ କରୁଛନ୍ତି। ମୁଖ୍ୟତଃ ଏହି ଶିବ-ଦୀକ୍ଷା ଗ୍ରହଣ କରୁଥିବା ଶ୍ରଦ୍ଧାଳୁ ମାନେ ସମ୍ପୃକ୍ତ ଏହି ମନ୍ଦିରର ମୁଖ୍ୟ ପ୍ରତିଷ୍ଠା ଉତ୍ସବ ଦିନ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା ୧୪ ତାରିଖ ଦିନ ପର୍ଯ୍ୟନ୍ତ ନିଜଘରେ ୧୦୮ ଥର “ଓମ ନମଃ ଶିବାୟ” ମନ୍ତ୍ର ଜପ କରିବା ସମେତ ମଥାରେ ବିଭୁତି ଲଗାଇ ସନ୍ଧ୍ୟାରେ ନିଜ ଘରର ଦାଣ୍ଡ ଦୁଆରେ ଦୀପ ଲଗାଇବେ । ଏଥିସହିତ ମଦ୍ୟପାନ, ଆମିଷ ଭୋଜନ ଓ ରହିଥିବା ଖରାପ ଅଭ୍ୟାସ ସବୁକୁ ସମ୍ପୂର୍ଣ୍ଣ ଭାବେ ପରିତ୍ୟାଗ କରିବେ । ପ୍ରତ୍ୟେକେ ସନ୍ଧ୍ୟାରେ ନିଜଘର ଦାଣ୍ଡ ଦୁଆରେ ଦୀପ ଲଗାଇବା ଫଳରେ ଗ୍ରାମରେ ପବିତ୍ର ବାତାବରଣ ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାରେ ସହାୟକ ହୋଇପାରିବ । ତେଣୁକରି ଶିବ-ଦୀକ୍ଷା ଗ୍ରହଣ ସମୟରେ ଏ ସବୁ ପାଳନ କରିବା ପାଇଁ ଉପଦେଶ ଦିଆଯାଇଛି । ଶ୍ରୀଶ୍ରୀଶ୍ରୀ ଚନ୍ଦ୍ର ଶେଖର ସ୍ୱାମୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ, ଚଳିତ ମାସର ଆସନ୍ତା ୧୨ , ୧୩ ଓ ୧୪ ତାରିଖ ଏଭଳି ୩ ଦିନ ଧରି ଅତ୍ୟନ୍ତ ବର୍ଣ୍ଣାଢ୍ୟପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନ ଅର୍ଥାତ ୧୨ ତାରିଖ ଦିନ ସକାଳ ସମୟରେ ଗ୍ରାମର ସମସ୍ତ ପରିବାର ର ମହିଳା ମାନଙ୍କ ଦ୍ୱାରା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ନୂଆ କେରାଣ୍ଡି-ଅମରା-ଡାଲିମପୁର ଗ୍ରାମ ମଧ୍ୟ ଭାଗରେ ପ୍ରବାହିତ ହେଉଥିବା ପବିତ୍ର ପୁଣ୍ୟତୋୟା ମହେନ୍ଦ୍ର ତନୟା ନଦୀର ଉତ୍ତରମୋଡ଼ ସ୍ଥାନ ଯେଉଁଠାରେ କି ବିଗତ ଦିନରେ ପୁରୀ ମାଦଳା ପାଞ୍ଜିର ଯୋଗସୂତ୍ର ଅନୁସାରେ ମହା ମହା ବାରୁଣୀ ସ୍ନାନ-ବୁଡ଼ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା, ସେଠାରୁ କଳସୀ ଯୋଗେ ପବିତ୍ର ଜଳ ଅଣାଯାଇ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କଳସୀ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ଅନୁଷ୍ଠିତ ହୋଇ ସମ୍ପୃକ୍ତ ଚନ୍ଦ୍ରଶେଖର ମନ୍ଦିର ଠାରେ କଳସୀ ସବୁ ରଖାଯିବା ପରେ ପ୍ରଥମ ଦିନର ମନ୍ଦିର ପ୍ରତିଷ୍ଠା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମନ୍ଦିର ପ୍ରତିଷ୍ଠାର ୩ ଦିନ କାର୍ଯ୍ୟକ୍ରମ ମଧ୍ୟରେ ନାମଯଜ୍ଞ, ଜପଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ଓ ଜ୍ଞାନଯଜ୍ଞ ପ୍ରଭୃତି କାର୍ୟ୍ୟକ୍ରମ ସମେତ ପ୍ରତିଦିନ ସନ୍ଧ୍ୟାରେ ମନ୍ଦିର ପରିସର ରେ ଆଧ୍ୟାତ୍ମିକ ପ୍ରବଚନ, ଭଜନ ଓ ସଂକୀର୍ତ୍ତନ ପ୍ରଭୃତି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଶ୍ରୀଶ୍ରୀଶ୍ରୀ ଚନ୍ଦ୍ରଶେଖର ସ୍ୱାମୀ ମନ୍ଦିର ର ପ୍ରତିଷ୍ଠା ଦିନ ୪ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ରେ ସୁଦୂର ହରିଦ୍ୱାର ରୁ ଅଣା ଯାଇଥିବା ପ୍ରାୟ ୩ ଫୁଟ ଉଚ୍ଚତା ବିଶିଷ୍ଠ ଶ୍ଵେତ ସ୍ପଟିକ ଲିଙ୍ଗ ସ୍ଥାପନ କରାଯିବ । ମୁଖ୍ୟ ପ୍ରତିଷ୍ଠାର ୧୪ ତାରିଖ ଦିନ ୫ ହଜାରରୁ ଅଧିକ ଶ୍ରଦ୍ଧାଳୁ ଲୋକଙ୍କ ନିମନ୍ତେ ଅନ୍ନ-ପ୍ରସାଦ ସେବନର ବ୍ୟବସ୍ଥା ରହିଛି ବୋଲି ସମ୍ପୃକ୍ତ ମନ୍ଦିର କମିଟି ପକ୍ଷରୁ କୁହାଯାଇଛି । ଶିବ-ଦୀକ୍ଷା ଗ୍ରହଣ କାର୍ଯ୍ୟକ୍ରମରେ ମନ୍ଦିର କମିଟିର ଶ୍ରୀ ଆଡ଼ଲା ଜଗନ୍ନାଥ ରାଜୁ, ଶ୍ରୀ ଆଡଲା ଯୋଗୀ ରାଜୁ , ଶ୍ରୀ ଏମ: ସୂର୍ଯ୍ୟ ନାରାୟଣ ରାଜୁ, ଶ୍ରୀ ଏମ: ଶିବାଜୀ ରାଜୁ, ଶ୍ରୀ ଏମ: ବର୍ମା ରାଜୁ ଏବଂ ଶ୍ରୀ ଏମ: ଆପଲା ନରସିଂହ ରାଜୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ