ନେତାଙ୍କ ପ୍ରତିଶୃତି ପାଣିର ଗାର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଗଣତାନ୍ତ୍ରିକ ପଦ୍ଧତି ଅନୁସାରେ ଲୋକେ ଭୋଟ ଦେଇ ପ୍ରାର୍ଥୀ ବାଛିବା ପରେ ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି କରିବା ନେତାଙ୍କର ପ୍ରମୁଖ କର୍ତ୍ତବ୍ୟ ହୋଇଥାଏ । ପରିବର୍ତ୍ତିତ ସମୟରେ ଏବେ ଯେଉଁ ନେତା ନିର୍ବାଚିତ ହେଉଛନ୍ତି ସେମାନେ କେବଳ ଦଳୀୟ ଭିତ୍ତିରେ କାର୍ଯ୍ୟ କରୁଥିବା ବେଳେ ପ୍ରକୃତ ପକ୍ଷେ ଜନସାଧାରଣ କୌଣସି ଉପକାର ପାଉ ନାହାଁନ୍ତି । ଖାଲି ଯା ନିର୍ବାଚନ ଆସିଲେ ନେତାଙ୍କ ପ୍ରତିଶୃତି ଲୋକଙ୍କୁ ସ୍ୱପ୍ନ ଦେଖାଇଥାଏ ସତ ହେଲେ ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତି ପ୍ରତିଶୃତିରେ ହିଁ ରହିଯାଏ । ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତ ବଳିପୁର ଗ୍ରାମବାସୀ ଏବେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିଲେ ସୁଦ୍ଧା ସମାଧାନ କିଛି ନାହିଁ । ପଞ୍ଚାୟତର ୮ ଓ ୯ ନଂ ୱାର୍ଡକୁ ନେଇ ଗଠିତ ବଳିପୁର ଗ୍ରାମର ଲୋକ ସଂଖ୍ୟା ୧ହଜାରରୁ ଅଧିକ। ବୈତରଣୀ ନଦୀବନ୍ଧ ବିରିଡି ଠାରୁ ଉକ୍ତ ଗାଁର ଦୂରତା ୧.୫କିଲୋମିଟର ହୋଇଥିବା ବେଳେ ଆଜି ବି ସୁଦ୍ଧା ବାଲିଧୂଳି ରାସ୍ତାରେ ଲୋକେ ଯାତାୟତ କରୁଛନ୍ତି । ଗାଁର ଅନେକ ଶ୍ରମିକ ଶ୍ରେଣୀୟ ଲୋକ ସରକାରୀ ବାସଗୃହ ଯୋଜନାରୁ ବାଦ ପଡିଥିବା ବେଳେ ମୋ ଗୁହାଳ, ରାସନକାର୍ଡ କଥା ନକହିବା ଭଲ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଗାଁର ପଶ୍ଚିମ ପଟୁ ବୈତରଣୀ ତାର ସୀମା ବୃଦ୍ଧି କରୁଥିବା ବେଳେ କୈବର୍ତ୍ତ୍ୟ ସାହି ଠାରୁ ନିଆରୀ ସାହି ଯାଏଁ ପ୍ରାୟ ୨୫ପରିବାର ଏବେ ବିପଦ ସଂକୁଳ ଅବସ୍ଥାରେ ବସବାସ କରୁଛନ୍ତି। ଉକ୍ତ ପରିବାରର ଖଳା ବାଡ଼ି ବିଗତ କିଛି ବର୍ଷ ମଧ୍ୟରେ ବୈତରଣୀରେ ମିଶିଯାଇଥିବା ବେଳେ କେତେବେଳେ ଯେ ନଦୀ ଆଁ ଭିତରେ ବାସଗୃହ ମିଶିଯିବ ତାହା କିଏ କହିପାରିବ । ପ୍ରାୟ ୨୦ବର୍ଷ ପୂର୍ବରୁ ଶାଳଣିଆ ଜଳସମ୍ପଦ ବିଭାଗ ପକ୍ଷରୁ କୈବର୍ତ୍ତ୍ୟ ସାହି ନିକଟରେ ପଥର ପ୍ୟାକିଂ ହୋଇଥିଲେ ସୁଦ୍ଧା ତାହା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ବର୍ଷା ଆସିଲେ ୨୦/୨୫ପରିବାର ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ନଦୀରେ ପାଣି ବଢିଲେ ପରିବାର ଲୋକେ ଛୁଆ ପିଲା ଧରି ଅନ୍ୟତ୍ର ପଳାଇଯାଉଛନ୍ତି। ଏଠାରେ ଲୋକମାନଙ୍କୁ ସ୍ଥାୟୀ ପକ୍କାଗୃହ ଯୋଗାଇବା ସହ ନଦୀ ପାର୍ଶ୍ୱ ବାସଗୃହ ପ୍ରାଙ୍ଗଣରେ କଂକ୍ରିଟ ୱାଲ ପାଇଁ ଅନେକ ବାର ଦାବି କରାଯାଇଛି । ପରିତାପର ବିଷୟ ପଂଚାୟତ ନେତାଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ ନେତା ଓ ସରକାରୀ ଅଧିକାରୀ ମାନେ ଏବିଷୟରେ ଅବଗତ ଥିଲେ ସୁଦ୍ଧା କେହି ଏଥି ପ୍ରତି ଦୃଷ୍ଟି ଦେଉନଥିବା ଜଣାପଡିଛି। ଖାଲି ଯା ନିର୍ବାଚନ ଆସିଲେ ଗାଁକୁ ମାଳ ମାଳ ନେତା ଆସି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଓଜାଡୁଥିବା ବେଳେ ପ୍ରକୃତ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନଥିବା ଗ୍ରାମର ନଦୀକୂଳବାସୀ ବଳରାମ ତରେଇ, କେଶବ ତରାଇ, ଦୋଳଗୋବିନ୍ଦ ତରାଇ, ବୃନ୍ଦାବନ ତରାଇ, ଅନାଦି ବେହେରା, ବୁଲା ଜେନା, ବାଜ ବାରିକ, ବିଷ୍ଣୁ ବାରିକ, ଜଟିଆ ଜେନା ପ୍ରମୁଖ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ