ନିର୍ବାଚନର ପରବର୍ତ୍ତୀ ହିଂସା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଦିଗପହଣ୍ଡି ବ୍ଳକରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣ ପୁର, ନରସିଂହପୁର, ବଡ଼ଡୁମ୍ବୁଳା ପ୍ରଭୃତି ଗାଁରେ ଘଟିଥିବା ହିଂସାରେ ୧୦ରୁ ଉର୍ଦ୍ଧ ଆହାତ ହୋଇଥିବା ଜଣାପଡିଛି । ନିର୍ବାଚନ ସରିବା ପରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ରାତି ପ୍ରାୟ ୮ ଟାରେ ଗୋକର୍ଣ୍ଣପୁର ଗାଁ ର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ୩୦ ରୁ ଉର୍ଦ୍ଧ୍ବ ଯୁବକ ପ୍ରାୟ ୧୧ ଟି ବାଇକରେ ଠେଙ୍ଗା, କାତି,ଖଣ୍ଡା ପ୍ରଭୃତି ବିଭିନ୍ନ ମାରଣାସ୍ତ୍ର ଧରି ନରସିଂହପୁର ଗାଁ ରେ ପହଞ୍ଚି ଗାଁର ଲୋକମାନଙ୍କୁ ଅଶ୍ଳିଳ ଭାଷା ରେ ଗାଳି ଗୁଲଜ କରିଥିଲେ । ଗାଁ ର ଇ. ସାକିଲି ଦୋରା ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ଯୁବକ ମାନେ ସଂଘବଦ୍ଧ ହୋଇ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କୁ ଛଡ଼ାଇବାକୁ ଯାଇଥିବା ବି. ମନୋଜ ଦୋରାଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରିଥିଲେ । ଗାଁ ଲୋକେ ସେମାନଙ୍କୁ ଗୋଡାଇବାରୁ ସେମାନେ ଗାଁ ରେ ୨ ଟି ବାଇକ୍ ଛାଡ଼ି ଚମ୍ପଟ ମାରିଥିଲେ । ଫେରିବା ରାସ୍ତାରେ ଗୋକର୍ଣ୍ଣପୁର ଗାଁ ବାଙ୍କେଶ୍ୱରୀ ଛକରେ ବସ୍ କୁ ଅପେକ୍ଷା କରିଥିବା ଗୋକର୍ଣ୍ଣ ପୁର ଗାଁ ର ଏସ. ମନୋଜ ଦୋରା ଙ୍କୁ ସେମାନେ ନିସ୍ତୁକମାଡ଼ ମାରି ତାଙ୍କ ସୁନା ଚେନ୍ ଏବଂ ୬ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଆହାତ ମାନଙ୍କୁ ପୋଲିସ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏନେଇ ଥାନାରେ ଏତଲା ହୋଇଥିବା ଜଣାପଡିଛି । ସେହିପରି ବଡ଼ ଡୁମ୍ବୁଳା ଗାଁ ରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଆକ୍ରମଣରେ ପ୍ରତିପକ୍ଷ ଗୋଷ୍ଠୀର ମାଗି ଗୌଡ,ଦିଗାମ୍ବର ଗୌଡ, ଗଜେନ୍ଦ୍ର ଭୁଁୟା, ସଞ୍ଜୟ ଭୁୟାଁ, ଅରବିନ୍ଦ ଭୁଁୟା , ବାଲ୍ମୀକି ଗୌଡ, ନନ୍ଦିନୀ ଭୁୟାଁ ଙ୍କୁ କାତି,ଠେଙ୍ଗା ପ୍ରଭୃତି ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।ବୃନ୍ଦାବନ ଭୂୟାଁ ଏନେଇ ଗୁରୁବାର ଥାନାରେ ଏତଲା ଦେବାପରେ ପୋଲିସ ଥାନା ମାମଲା ନଂ.୮୧/୨୨ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଆଇ.ଆଇ.ସି ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।


