ନିରନ୍ତର ବିକାଶ ଲକ୍ଷ୍ୟ ଏସ୍.ଡି.ଜି ସମ୍ବନ୍ଧିତ କର୍ମଶାଳା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ୨୦୨୧-୨୨ ନିମନ୍ତେ ନିରନ୍ତର ବିକାଶ ଲକ୍ଷ୍ୟ ମାନକ-୪.୦ ବିଷୟରେ ଓଡ଼ିଶା ସରକାର ଏବଂ ନୀତି ଆୟୋଗଙ୍କ ମଧ୍ୟରେ ଏକ ଦିନିକିଆ ମିଳିତ କର୍ମଶାଳା ଆୟୋଜିତ ହୋଇଯାଇଛି । ଖାରବେଳ ଭବନ ସଭାଗୃହଠାରେ ଅନୁଷ୍ଠିତ ଏହି କର୍ମଶାଳାକୁ ଉଦ୍ଘାଟନକରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଲୋକମାନଙ୍କ ଜୀବନଧାରଣ ମାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ସଂପୂର୍ଣ୍ଣ ଅଙ୍ଗୀକାରବଦ୍ଧ । ଏଥିପାଇଁ ରାଜ୍ୟ ମଧ୍ୟ କେତେକ ସ୍ୱତନ୍ତ୍ର ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନା, କେନ୍ଦ୍ର-ରାଜ୍ୟ ମିଳିତ ଯୋଜନା ଓ ରାଜ୍ୟର ନିଜସ୍ୱ ପାଣ୍ଠିରୁ ସ୍ୱତନ୍ତ୍ର ଯୋଜନା ସବୁକୁ ୨୦୩୦-କାର୍ଯ୍ୟସୂଚୀ ଏବଂ ଏସ୍.ଡି.ଜି. ଅଭିମୁଖୀ କରାଯାଇଛି । ତେଣୁ ଏସ୍.ଡ଼ି.ଜି. ରାକିଂ କଲାବେଳେ ଏସମସ୍ତ ଯୋଜନାରୁ ଉପଲବ୍ଧ ଫଳାଫଳ ଗୁଡ଼ିକୁ ବିଚାର କରାଯିବା ଆବଶ୍ୟକ । ମହାପାତ୍ର ଆହୁରିମଧ୍ୟ କହିଥିଲେ ଯେ ୨୦୩୦ ମଧ୍ୟରେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ହେଉଛି ମୁଖ୍ୟକଥା। ତେଣୁ କେବଳ ନିର୍ଦ୍ଦିଷ୍ଟ କେତୋଟି କେନ୍ଦ୍ରୀୟ ଯୋଜନାର ଫଳାଫଳକୁ ବିଚାର ନକରି ରାଜ୍ୟମାନଙ୍କରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର କ୍ଷେତ୍ରସ୍ତରୀୟ ସାମଗ୍ରିକ ଫଳକୁ ବିଚାର କରିବା ଦରକାର । ତାହାହେଲେ ଏସ୍.ଡି.ଜି. ରାକିଂ ବାସ୍ତବତା ଭିତ୍ତିକ ହେବ । କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ସୂଚନାଦେଇ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ ଏସ୍.ଡି.ଜି. ହାସଲରେ ଓଡ଼ିଶାର ରାକିଂ ୨୦୧୮ ମସିହାରେ ୫୮ ରୁ ବୃଦ୍ଧି ପାଇ ୨୦୨୧ ମସିହାରେ ୬୧ ରେ ପହଞ୍ଚିଛି । ରାଜ୍ୟରେ ସେବାଯୋଗାଣ ବ୍ୟବସ୍ଥାର କ୍ରମାଗତ ଉନ୍ନତ୍ତି ଏବଂ ଅନ୍ତର୍ଭୁକ୍ତିକରଣ ବିକାଶଧାରା ନିମନ୍ତେ ଅନେକ ଯୋଜନା ଏବଂ କାର୍ଯ୍ୟକ୍ରମ କରାଯାଉଛି । ଜେନା କହିଥିଲେ ଯେ ୨୦୨୦-୨୧ ଏସ୍.ଡି.ଜି. ରାକିଂରେ ଓଡ଼ିଶା ଏସ୍.ଡି.ଜି. -୧୩ ଏବଂ ୧୪ରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ସେହିବର୍ଷ ଆକଳନ କରାଯାଇଥିବା ୧୬ଟି ଏସ୍.ଡି.ଜି. ମଧ୍ୟରୁ ଓଡ଼ିଶା ୯ଟି ରେ ଅଗ୍ରଣୀ ଏବଂ ଗୋଟିଏରେ ଦୃତ ପରିବର୍ତ୍ତନଶୀଳ ସ୍ଥିତିରେ ଥିଲା । ଇତି ମଧ୍ୟରେ ତ୍ୱରାନ୍ୱିତ ଏସ୍.ଡି.ଜି. ହାସଲ ନିମନ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରକଳ୍ପ ତତ୍ତ୍ୱାବଧାରକ ୟୁନିଟ୍ (ପି.ଏମ୍.ୟୁ.) ଗଠନ କରିଛନ୍ତି । ଏହି ୟୁନିଟ୍ ବର୍ତ୍ତମାନ ପୂର୍ଣ୍ଣ କ୍ରିୟାଶୀଳ ହୋଇଛି । ତେକ ଏସ୍.ଡି.ଜି. ମାନକ ଆକଳନରେ ରାଜ୍ୟର ସମସ୍ତ ଉପଲବ୍ଧି ସଠିକ୍ ଭାବେ ପ୍ରତିଫଳିତ ହୋଇନଥିଲା । ଅନ୍ୟ କେତେକ ମାନକ ନିମନ୍ତେ ବ୍ୟବହାର କରାଯାଇଥିବା ତଥ୍ୟ ଅତି ପୁରୁଣା ଥିଲା କିମ୍ବା ତଥ୍ୟର ସଠିକତା ବିଷୟ ତନଖୀ କରାଯାଇନଥିଲା । ଏସ୍.ଡି.ଜି.-୪.୦ ରେ ଏସବୁ ବିଷୟପ୍ରତି ଧ୍ୟାନ ଦେବା ନିମନ୍ତେ ଜେନା ନୀତି ଆୟୋଗଙ୍କୁ ଅନୁରୋଧ କରିଥିଲେ । ନୀତି ଆଯୋଗର ଉପଦେଷ୍ଟା ସଂଯୁକ୍ତା ସମାଦ୍ଦାର, ଏସ୍.ଡି.ଜି. ଅଧିକାରୀ ସୌମ୍ୟ ଗୁହା ଏସ୍.ଡି.ଜି.-୪.୦ ନିମନ୍ତେ ପ୍ରସ୍ତାବିତ ମାନକ ବିଷୟରେ ଆଲୋଚନା କରିଥିଲେ । ସମାଦ୍ଦାର କହିଥିଲେ ଯେ ଓଡ଼ିଶା ଏକ ଦୃତ ପରିବର୍ତ୍ତନଶୀଳ ରାଜ୍ୟ । ଏଠାରେ ଅନେକ ପ୍ରକ୍ରିୟାଗତ ସଂସ୍କାର ଏବଂ ଅଭିନବ କୌଶଳର ପ୍ରୟୋଗ କରାଯାଇଛି । ଏକ ପୂର୍ଣ୍ଣାଙ୍ଗ ଏସ୍.ଡି.ଜି. ଢ଼ାଞ୍ଚା ପ୍ରସ୍ତୁତିରେ ସର୍ବଦା ଓଡ଼ିଶାରୁ ସଠିକ୍ ପରାମର୍ଶ ମିଳିଛି । ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏସ୍.ଡି.ଜି.- ୪.୦ ମାନକ ଚୁଡ଼ାନ୍ତ ହେବବୋଲି ସେ ଆଶା ପ୍ରକାଶ କରିଥିଲେ । କୃଷି ଉତ୍ପାଦନ କମିଶନର ସଂଜୀବ ଚୋପ୍ରାଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଏବଂ ଶାସନ ସଚିବମାନେ ନିଜ ନିଜ ବିଭାଗ ସମ୍ବନ୍ଧିତ ଏସ୍.ଡି.ଜି. ଆଲୋଚନାରେ ନିଜ ନିଜର ପରାମର୍ଶ ରଖିଥିଲେ । ସମସ୍ତ ବିଭାଗର ପରାମର୍ଶକୁ ସଂକଳିତକରି ରାଜ୍ୟ ତରଫରୁ ଏକ ସମନ୍ୱିତ ପରାମର୍ଶଚିଠା ଖୁବ୍ ଶିଘ୍ର ନୀତି ଆୟୋଗଙ୍କୁ ପଠାଯିବ ବୋଲି ଉନ୍ନୟନ କମିଶନର ଜେନା କହିଥିଲେ ।


