ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଜିଲ୍ଲା ସ୍ତରୀୟ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ,କେନ୍ଦ୍ରାପଡା ଆନୁକୂଲ୍ୟରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର.ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥା ଯୋଗୁଁ ରାଜ୍ୟ ତଥା ଆମ ଜିଲ୍ଲାର କୃଷି,ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ବିଭିନ୍ନ ବିଭାଗରେ ବିକାଶ ଘଟିଛି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରାରମ୍ଭରେ ସ୍ୱାଗତଭାଷଣ ପ୍ରଦାନ କରିବା ସହ ଜାତୀୟ ପଞ୍ଚାୟତରାଜ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ ଉତ୍ସବରେ ଅନ୍ତୋଦ୍ୱୟ ଯୋଜନାର ୯ଜଣ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦ୍ଦେଶ ଜିଲ୍ଲାପାଳ ବଣ୍ଟନ କରିବା ସହ କାର୍ଯ୍ୟାଦ୍ଦେଶ ପାଇବାର ୪ରୁ ୬ମାସ ମଧ୍ୟରେ ଗୃହ ନିର୍ମାଣ କରିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୫ଜଣଙ୍କୁ ପ୍ରୋତ୍ସାହିତ ଅର୍ଥରାଶି ବାବଦକୁ ୨୦ହଜାର ଓ ୧୦ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ। ଏହାବ୍ୟତିତ ୬ଜଣଙ୍କୁ ବିଭିନ୍ନ ସ୍କିମ ବର୍ଗରେ ମଧୁବାବୁ ପେନସନ ଭଳି ପ୍ରଧାନ କରାଗଲା। ଉକ୍ତ ଉତ୍ସବରେ କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁ, ଏବିଡିଓ ଅନିରୁଦ୍ଧ ବେହେରା, ଜନପ୍ରତିନିଧି, ଅନ୍ତୋଦ୍ୱୟ ଯୋଜନା ହିତାଧିକାରୀ ଓ ପଞ୍ଚାୟତ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ। କେନ୍ଦ୍ରାପଡାର ଅନ୍ୟ ୮ଗୋଟି ବ୍ଲକରେ ମଧ୍ୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ବଲାଙ୍ଗିର ଠାରେ ଅନୁଷ୍ଠିତ ଜାତୀୟ ପଞ୍ଚାୟତିରାଜ ଦିବସର ରାଜ୍ୟସ୍ତରୀୟ ଉତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସମୟରେ ଆଭାସୀ ମାଧ୍ୟମରେ ସାରା ଓଡିଶା ଯୋଡିହୋଇଥିଲା। ଏହି ଉତ୍ସବକୁ କେନ୍ଦ୍ରାପଡାରେ ମଧ୍ୟ ଆଭାସୀ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା।


